ରାଜଧାନୀର ୨୭ଟି ବାର୍ରେ କମିଶନରେଟ୍ ପୋଲିସର ଚଢାଉ : କୋଭିଡ୍ ନିୟମ ଭାଙ୍ଗି ମଦ ବିକ୍ରି ଅଭିଯୋଗ, ମୋଟା ଅଙ୍କର ଫାଇନ୍ ଆଦାୟ
13/12/2020 at 8:01 AM

ଭୁବନେଶ୍ୱର ୧୩।୧୨: ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ବାର୍ ଗୁଡ଼ିକ ଉପରେ ଚଢ଼ାଉ । କୋଭିଡ୍ ନିୟମ ଉଲଂଘନ କରି ସେଠାରେ ମଦ ବିକ୍ରି କରାଯାଉଥିବା ଅଭିଯୋଗରେ ପୋଲିସ ଚଢ଼ାଉ କରିଛି। ଲକ୍ଷ୍ମୀସାଗର,ଖାରବେଳ ନଗର ଓ ୟୁନିଟ-୮ ଅଞ୍ଚଳରେ ଥିବା ବିଭିନ୍ନ ବାର୍ ଉପରେ ଏହି ଚଢ଼ାଉ କରିଥିଲା କମିଶନରେଟ୍ ପୋଲିସ । ରାଜଧାନୀର ୨୭ ଟି ବାରରେ ରେଡ୍ କରାଯାଇଛି । ରେଡ୍ ବେଳେ ମୋଟା ଅଙ୍କର ଫାଇନ୍ ଆଦାୟ କରିଛି ପୋଲିସ୍ ।

ଖବର ଅନୁଯାୟୀ, କରୋନା କଟକଣା ପାଇଁ ସରକାର ସବୁ ବାର୍ ବନ୍ଦ କରିଥିଲେ। କୌଣସି ବାର୍ ମାଲିକ ଗ୍ରାହକଙ୍କୁ ବସାଇ ମଦ ଦେଇପାରିବେ ନାହିଁ। କେବଳ ଅନ୍ଲାଇନ୍ରେ ବିକ୍ରି କରିବେ। କିଛିଦିନ ସବୁ ଠିକ୍ଠାକ୍ ଥିଲା । କିନ୍ତୁ ଏବେ କୌଣସି ବାର୍ ମାଲିକ କୋଭିଡ଼ ନିୟମ ମାନୁନାହାନ୍ତି, ବରଂ ଖୋଲାଖୋଲି ଭାବେ ଗ୍ରାହକଙ୍କୁ ମଦ ପରଶୁଛନ୍ତି । ଏପରିକି କିଛି ମାଲିକ ଡ୍ୟାନ୍ସ ବାର ବି ଖୋଲିବାକୁ ପଛାଇ ନାହାନ୍ତି । ଏନେଇ ୨ ଦିନ ତଳେ କମିଶନରେଟ ପୋଲିସକୁ ଅଭିଯୋଗ ମିଳିଥିଲା । ପୋଲିସ କମିଶନରଙ୍କ ନିର୍ଦ୍ଦେଶକ୍ରମେ, ନୂଆପଲ୍ଲୀ ଥାନା, ଲକ୍ଷ୍ମୀସାଗର, ଚନ୍ଦ୍ରଶେଖରପୁର, ଇନ୍ଫୋସିଟି, ଖାରବେଳନଗର ଓ ବଡ଼ଗଡ଼ ଥାନା ପୁଲିସ୍ ଏକା ସାଙ୍ଗରେ ଚଢ଼ଉ କରିଥିଲେ । ଚଢ଼ଉ ବେଳେ ଖାରବେଳ ନଗର ଥାନା ଅଞ୍ଚଳରେ ଥିବା ମ୍ୟାଡ୍ ମୁଲ୍ ବାର୍ରୁ ୩୦ ଜଣ, କଟକ ରୋଡ୍ ମହାନ୍ତି ବାରରେ ୨ ଜଣ ଯୁବତୀଙ୍କ ସହ ୪୦ ଜଣ ଗ୍ରାହକ ଥିଲେ । ଏପରିକି ବାର୍ରେ ଥିବା ଗ୍ରାହକ ଓ କର୍ମଚାରୀମାନେ ମାସ୍କ ବି ପିନ୍ଧି ନଥିଲେ ବୋଲି ପୁଲିସ୍ କହିଛି ।

ଖାରବେଳ ନଗର ଓ କ୍ୟାପିଟାଲ ଥାନା ଅଂଚଳରେ ଥିବା ୬ଟି ବାର ଉପରେ ଏକକାଳୀନ ଚଢଉ କରାଯାଇଥିଲା। ଚଢଉ ବେଳେ ୭୨ ଜଣଙ୍କଠାରୁ ୨୮ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ସେହିପରି ଲକ୍ଷ୍ମୀସାଗର ଓ ବରଗଡ ଥାନା ଅଧୀନ ୧୦ଟି ବାରରେ ଚଢଉ କରାଯାଇଥିଲା । ସ୍ୱାଗତ ବାର ଓ ମହାନ୍ତି ବାରରେ ଖୋଲାଖୋଲି ଗ୍ରାହକଙ୍କୁ ମଦ ପରସାଯାଉଥିଲା । ସେମାନଙ୍କଠାରୁ ୪ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି । ଏହି ଚଢଉରେ ୨ ପ୍ଲାଟୁନ ଫୋର୍ସ ଓ ୧୫ ଜଣ ଅଧିକାରୀ ସାମିଲ ଥିଲେ । ସେପଟେ ଯେଉଁ ବାର୍ରେ କୋଭିଡ୍ ନିୟମ ଉଲ୍ଲଙ୍ଘନ କରି ମଦ କାରବାର କରାଯାଉଥିଲା ସେ ସବୁକୁ ସିଲ୍ କରିବାକୁ ପୁଲିସ୍ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ ଅବକାରୀ ବିଭାଗକୁ ଚିଠି ଲେଖିଛନ୍ତି।