ତବଲିଗୀ ଜମାତ ମୁଖ୍ୟ ମୌଲାନା ସାଦଙ୍କୁ ଖୋଜୁଛି ପୋଲିସ, ୟୁପି-ଦିଲ୍ଲୀରେ ଚଢାଉ : ସାମ୍ବାଦିକ ସମ୍ମିଳନୀରେ ଆତ୍ମପ୍ରକାଶ କରିପାରନ୍ତି ମୌଲାନା

Published By : Prameya-News7 Bureau | April 02, 2020 IST

ନୂଆଦିଲ୍ଲୀ ୨।୪: ତବଲିଗୀ ଜମାତର ମୁଖ୍ୟ ମୌଲାନା ସାଦଙ୍କର ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ । ଦେଶର ଅନେକ ସ୍ଥାନରେ ପୋଲିସ ଟିମ୍ ଖୋଜାଖୋଜି ଜାରି ରଖିଛନ୍ତି । ମୌଲାନା ସାଦଙ୍କ ସହ ପୋଲିସ ତାଙ୍କର ସହଯୋଗୀଙ୍କୁ ମଧ୍ୟ ଖୋଜୁଛି, ଯାହାଙ୍କ ବିରୋଧରେ ନିଜାମୁଦ୍ଦୀନ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି । ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଛି ।

ଏହି ସମୟରେ ମୌଲାନା ମହମ୍ମଦ ସାଦ୍ ଆଜି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ସୂଚନା ମିଲିଛି । ସେ ତାଙ୍କ ଭାଇଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀ କରିବେ । ତେବେ ସାମ୍ବାଦିକ ସମ୍ମିଳନୀର ସ୍ଥାନ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏପଚେ ମୌଲାନା ସାଦଙ୍କୁ ଠାବ କରିବା ଲାଗି ୟୁପି ଶାମଲିରୁ ଦିଲ୍ଲୀ ପର୍ଯ୍ୟନ୍ତ ଚଢାଉ ଜାରି ରହିଛି ।

ତବଲିଗୀ ଜମାତ ମରକଜ ଦେଶର ବିଭିନ୍ନ ରାଜ୍ୟକୁ ଯାଇଥିଲେ । ଦିଲ୍ଲୀ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ, ହରିୟାଣା, ପଞ୍ଜାବ, ହିମାଚଳ ପ୍ରଦେଶ, ଓଡିଶା, ତେଲେଙ୍ଗାନା, ତାମିଲନାଡୁ, କର୍ଣ୍ଣାଟକ, କେରଳ, ଆସାମ, ମେଘାଳୟ, ଆଣ୍ଡାମାନ ସହିତ ସମସ୍ତ ରାଜ୍ୟ ସରକାର ଏଥିରେ ଯୋଗଦେଇଥିବା ୫ହଜାର ଜମାତଙ୍କୁ ଖୋଜି ବାହାରକରିଛନ୍ତି ।

ସେମାନଙ୍କୁ ବିଭିନ୍ନ ରାଜ୍ୟରେ କ୍ବାରେଣ୍ଟାଇନ୍ ରେ ରଖାଯାଇଛି । କିନ୍ତୁ ତଥାପି ଶହ ଶହ ଏମିତି ଅଛନ୍ତି ଯେଉଁମାନଙ୍କୁ ଖୋଜିବାକୁ ପଡିବ । ମରକଜର ମୌଲାନା ସାଦ ଦିଲ୍ଲୀରେ ଲୁଚି ବସିଥିବା କୁହାଯାଉଛି । ଦିଲ୍ଲୀରେ ତାଙ୍କର ଦୁଇଟି ଘର ଅଛି । ଗୋଟିଏ ହଜରତ ନିଜାମୁଦ୍ଦୀନ ବସ୍ତିରେ ଏବଂ ଅନ୍ୟଟି ଜାକିର ନାଗରରେ । ତବଲିଗୀ ଜମାତର ମୁଖ୍ୟ ମୌଲାନା ସାଦ୍ଙ୍କର ବିବାଦ ସହ ପୁରୁଣା ସମ୍ପର୍କ ରହିଛି ।

ମୌଲାନା ସାଦଙ୍କ ଜେଜେବାପା ମୌଲାନା ଇଲିୟାସ କାନ୍ଦଲଭି ୧୯୨୭ମସିହାରେ ତବଲିଗୀ ଜମାତ ଗଠନ କରିଥିଲେ । ସେ ଉତ୍ତରପ୍ରଦେଶର ଶାମଲି ଜିଲ୍ଲାର କାନ୍ଧଲା ନିବାସୀ ଥିଲେ । ମୌଲାନା ଇଲିଆସଙ୍କର ଅଣନାତି ହେଉଛନ୍ତି ମୌଲାନା ସାଦ ।
ମୌଲାନା ସାଦ୍ ୧୯୬୫ମସିହାରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୌଲାନା ମହମ୍ମଦ ହାରୁନ ଥିଲା । ମୌଲାନା ସାଦ୍ ୧୯୮୭ରେ ମଦ୍ରାସା କାଶଫୁଲ୍ ଉଲୁମ୍, ହଜରତ ନିଜାମୁଦ୍ଦିନରେ ତାଙ୍କର ପାଠ ପଢା ଆରମ୍ଭ କରିଥିଲେ । ଏହା ପରେ ସେ ସାହାରନପୁରକୁ ଯାଇ ସେଠାରେ ଆଲମିୟତ ଡିଗ୍ରୀ ହାସଲ କରିଥିଲେ ।

ମୌଲାନା ସାଦ୍ ୧୯୯୦ରେ ସାହାରନପୁରର ମଜାହିର ଉଲୁମର ମୋହତମିମ (ଭିସି) ମୌଲାନା ସଲମାନଙ୍କ ଝିଅଙ୍କୁ ବିବାହ କରିଥିଲେ । ୧୯୯୫ରେ ତବଲିଗୀ ଜମାତର ସର୍ବେସର୍ବା ମୌଲାନା ଇନାମୁଲ ହାସନଙ୍କ ଦେହାନ୍ତ ପରେ ମୌଲାନା ସାଦ୍ ମାରକଜ ଦାୟିତ୍ବ ଗ୍ରହଣ କରିଥିଲେ । ସେବେଠାରୁ ସେ ତବଲିଗୀ ଜାମାତର ମୁଖ୍ୟ ରହିଆସିଛନ୍ତି । ତବଲିଗୀ ଜମାତରେ ମୌଲାନା ସାଦଙ୍କର ବହୁତ ସମ୍ମାନ ରହିଛି ।

ଭାରତରେ ବ୍ରିଟିଶ ଶାସନ ପରେ ଆର୍ଯ୍ୟ ସମାଜ ହିନ୍ଦୁରୁ ମୁସଲମାନ ହୋଇଥିବା ଲୋକଙ୍କୁ ପୁନଃ ହିନ୍ଦୁ କରାଇବା ପାଇଁ ଏକ ଶୁଦ୍ଧକରଣ ଅଭିଯାନ ଆରମ୍ଭ କରିଥିଲେ । ଏହି କାରଣରୁ ମୌଲାନା ଇଲିୟାସ୍ କାନ୍ଧଲଭି ୧୯୨୬-୨୭ରେ ତବଲିଗୀ ଜମାତ ଗଠନ କରିଥିଲେ । ସେ ତବଲିଗୀ ଜମାତର ପ୍ରଥମ ମୁଖ୍ୟ ହୋଇଥିଲେ । ମୌଲାନା ଇଲିୟାସ୍ ପ୍ରଥମ ଜମାତ୍ ମେୱାତ ନେଇ ଯାଇଥିଲେ ।

ମୌଲାନା ଇଲିୟାସଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ମୌଲାନା ୟୁସୁଫ ତବଲିଗୀ ଜମାତର ମୁଖ୍ୟ ହୋଇଥିଲେ। ୧୯୬୫ରେ ମୌଲାନା ୟୁସୁଫଙ୍କର ହଠାତ୍ ମୃତ୍ୟୁ ଘଟିଥିଲା । ଏହାପରେ ମୌଲାନା ଇନାମୁଲ ହସନ ତବଲିଗୀ ଜମାତର ମୁଖ୍ୟ ହୋଇଥିଲେ । ଇନାମୁଲ ହସନ ୩୦ ବର୍ଷ ଧରି ଏହି ପଦବୀରେ ରହିଆସିଥିଲେ । ଏହି ସମୟ ମଧ୍ୟରେ କେବଳ ଦେଶରେ ନୁହେଁ ସମଗ୍ର ବିଶ୍ବରେ ତବଲିଗୀ ଗୋଷ୍ଠୀର କାମ ବ୍ୟାପିଗଲା ।

ମୌଲାନା ଇନାମୁଲ ହସନ ୧୦ ଜଣ ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରିଥିଲେ । ଯେଉଁଥିରେ ବିଶ୍ବର ବିଭିନ୍ନ ଦେଶର ଲୋକ ସାମିଲ ହୋଇଥିଲେ । ଭାରତରୁ ମୌଲାନା ଇନାମୁଲ ହସନ, ମୌଲାନା ସାଦ୍, ମୌଲାନା ଜୁବୈର ଏବଂ ମୌଲାନା ଅବଦୁଲ ୱାହାବ ସାମିଲ ହୋଇଥିଲେ । ଏହି କମିଟିର କାମ ହେଉଛି ସାରା ବିଶ୍ବରେ ତବଲିଗୀ ଜମାତର କାମ ତଦାରଖ କରିବା ।

୧୯୯୫ରେ ମୌଲାନା ଇନାମୁଲ ହସନଙ୍କ ଦେହାନ୍ତ ହୋଇଥିଲା । ତାଙ୍କ ପରେ ତବଲିଗୀ ଜମାତର ମୁଖ୍ୟ କିଏ ହେବ ସେନେଇ ବିବାଦ ଉପୁଜିଥିଲା । ଏହି କାରଣରୁ କାହାକୁ ମୁଖ୍ୟ ପଦବୀ ଦିଆଯାଇନଥିଲା । ୧୦ ଜଣ ସଦସ୍ୟଙ୍କ ସୁର କମିଟିର ତତ୍ତ୍ବାବଧାନରେ ଜମାତର କାମ ଜାରି ରହିଥିଲା । ଏହି କମିଟିର ଅଧିକାଂଶ ସଦସ୍ୟଙ୍କର ମୃତ୍ୟୁ ହୋଇସାରିଛି । ୨୦୧୫ରେ ମୌଲାନା ଜୁବୈରଙ୍କ ଦେହାନ୍ତ ପରେ ଅବଦୁଲ ୱାହାବ ସୁର କମିଟିରେ ବଞ୍ଚିଥିଲେ । ଏହାପରେ ତବଲିଗୀ ଜାମାତର ଲୋକମାନେ କହିଥିଲେ ଯେ ଖାଲି ପଡିଥିବା କମିଟିର ସଦସ୍ୟଙ୍କ ପଦବୀ ପୂରଣ କରାଯାଉ । ମୌଲାନା ସାଦ୍ ଏଥିପାଇଁ ପ୍ରସ୍ତୁତ ନଥିଲେ ଏବଂ ସେ ନିଜକୁ ତବଲିଗୀ ଜମାତରେ ମୁଖ୍ୟ ଘୋଷଣା କରିଥିଲେ ।

ଏହି କାରଣରୁ ତବଲିଗୀ ଜମାତରେ ଅନେକ ବିବାଦ ଦେଖାଦେଇଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ଜୋରଦାର ସଂଘର୍ଷ ଚାଲିଥିଲା ​​ । ଏହି ମାମଲା ପୋଲିସ ପାଖରେ ମଧ୍ୟ ପହଞ୍ଚିଥିଲା । କେବଳ ଏହା ପରେ ଅନ୍ୟ ଗୋଷ୍ଠୀ ମରକଜଠାରୁ ଅଲଗା ହୋଇ ତୁର୍କମାନ ଫାଟକରେ ମସଜିଦ ଫୈଜ-ଇ-ଇଲାହିରୁ ଜମାତ କାମ ଆରମ୍ଭ କରିଥିଲେ । ତଥାପି, ମୁସଲିମ୍ ସମ୍ପ୍ରଦାୟର ଏକ ବୃହତ ଅଂଶ ଯେଉଁମାନେ ତବଲିଗୀ ଜମାତ ସହିତ ଜଡିତ ଥିଲେ ସେମାନେ ଆଜି ମଧ୍ୟ ନିଜାମୁଦ୍ଦିନ ସ୍ଥିତ ମରକଜକୁ ହିଁ ନିଜର କେନ୍ଦ୍ର ଭାବରେ ବିବେଚନା କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.