ଦିଲ୍ଲୀ କୋର୍ଟରେ ହାଜର ହେଲେ ୧୩ ଶୁଆ, ଜାଣନ୍ତୁ କାହିଁକି ସେମାନଙ୍କୁ ହାଜର କରାଯାଇଥିଲା ଅଦାଲତରେ
17/10/2019 at 6:18 PM

ନୂଆଦିଲ୍ଲୀ: ପାଟିଆଲା କୋର୍ଟରେ ପୋଲିସ ୧୩ଟି ଶୁଆଙ୍କୁ ହାଜର କରାଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପୋଲିସ ପିଞ୍ଜରାରେ ଶୁଆଙ୍କୁ ନେଇ ଆସିବା ଦେଖି କୋର୍ଟ ପରିସରରେ ଲୋକଙ୍କ ଭିଡ ବଢିବାରେ ଲାଗିଥିଲା। କ’ଣ ପାଇଁ ପୋଲିସ କୋର୍ଟକୁ ଶୁଆ ଆଣିଛି ସେଥିଲାଗି ଲୋକଙ୍କ ମଧ୍ୟରେ ଉତ୍ସୁକତା ଦେଖାଯାଇଥିଲା। ଏଣୁ ଲୋକେ ପଚରାଉଚରା ଆରମ୍ଭ କରିଦେଇଥିଲେ। ଏଥିରେ ପୋଲିସ ଶୁଆଙ୍କୁ କୋର୍ଟରେ ହାଜର କରିବା ଲାଗି ଆଣିଥିବା ଜାଣିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ।

ତେବେ ଶୁଆଙ୍କୁ କୌଣସି ଅପରାଧ ଲାଗି ପୋଲିସ କୋର୍ଟକୁ ଆଣିନଥିଲା। ଅବୈଧ ଚାଲାଣ ବେଳେ ବିମାନ ବନ୍ଦରରୁ ଶୁଆ ସହ ପୋଲିସ ତସ୍କରକୁ ଗିରଫ କରିଥିଲା। ଏଣୁ ଶୁଆମାନଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ସେମାନଙ୍କୁ ପକ୍ଷୀ ଉଦ୍ୟାନରେ ଛାଡିଦେବାକୁ କୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ ସୂଚନା ଅନୁସାରେ ଜନୈକ ଉଜବେକୀସ୍ତାନ ନାଗରିକ ଏହି ଶୁଆ ଗୁଡିକୁ ଗୋପନରେ ନେଇଯାଉଥିଲେ। ତେବେ ଇନ୍ଦିରାଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସିଆଇଏସଏଫ ପକ୍ଷୀ ସହ ତସ୍କରକୁ ଅଟକାଇଥିଲା।

ଉଜବେକ୍ ନାଗରିକ ଅନବାର୍ଜୋଁ ରଖମତ ଜୋନୋବ ଡାବାରେ ପୁରାଇ ଶୁଆମାନଙ୍କୁ ବିମାନରେ ନେବାକୁ ଉଦ୍ୟମ କରୁଥିବା ବେଳେ ସିଆଇଏସଏଫ ଧରି ପୋଲିସ ଜିମା ଦେଇଥିଲା। ପୋଲିସ ଅନବାର୍ଜୋଁକୁ ଗିରଫ କରିବା ବେଳେ ତାଠାରୁ ଶୁଆ ଗୁଡିକୁ ଜବତ କରାଯାଇଥିଲା। ଏଣୁ ପୋଲିସ ଜବତ ଶୁଆ ଓ ଗିରଫ ତସ୍କରକୁ କୋର୍ଟରେ ହାଜର କରିବାକୁ ଆଣିଥିଲା। କଷ୍ଟ ବିଭାଗର ଓକିଲ ପି.ସି ଶର୍ମାଙ୍କ ଅନୁସାରେ ଅପରାଧିକ ମାମଲାରେ ଜବତ କୌଣସି ସମ୍ପତ୍ତିକୁ କେସ୍ ର ସମ୍ପତ୍ତି ମନେ କରାଯାଏ। ଯେହେତୁ ଶୁଆ ଗୁଡିକ ଜୀବିତ ଥିଲେ ତେହେତୁ ବନ୍ୟ ପ୍ରାଣୀ ବିଭାଗକୁ ହସ୍ତାନ୍ତର କରିବା ନିମନ୍ତେ କୋର୍ଟରେ ଉପସ୍ଥାପନା କରାଯାଇଥିଲା।