ଭୋପାଳ ୭।୪: ଦେଶରେ କରୋନା ଭାଇରସ୍ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ମଧ୍ୟପ୍ରଦେଶରେ ମଧ୍ୟ କରୋନା ବେଗରେ ଲକ୍ ଡାଉନ୍ ପରେ ମଧ୍ୟ ଏଥିରେ ବ୍ରେକ୍ ଲାଗିପାରୁନାହିଁ । ରାଜ୍ୟରେ ୨୫୦ରୁ ଅଧିକ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି । ରାଜଧାନୀ ଭୋପାଳର କରୋନାରେ ଏପର୍ଯ୍ୟନ୍ତ ୬୧ରୁ ଅଧିକ ଲୋକ ସଂକ୍ରମିତ ହୋଇସାରିଲେଣି ।
ଇନ୍ଦୋର ପରେ କରୋନାର ଦ୍ବିତୀୟ ହଟ୍ ସ୍ପଟ୍ ଭାବେ ଉଭା ହୋଇଥିବା ଭୋପାଳରେ ସରକାର ଲକ୍ ଡାଉନ୍ କୁ କଡାକଡି କରିଛନ୍ତି । ପୋଲିସ ମଧ୍ୟ ଏଥିରୁ ସୁରକ୍ଷା ପାଇଁ ନୂଆ କୌଶଳ ପ୍ରସ୍ତୁତ କରିଛି । ଭୋପାଳ ରାସ୍ତାରେ ଡାକ୍ତରଙ୍କ ପୋଷାକ ପିନ୍ଧି ପୋଲିସ କର୍ମଚାରୀମାନେ ଡ୍ୟୁଟି କରୁଛନ୍ତି । କରୋନାଠାରୁ ରକ୍ଷା ପାଇବା ଏହା ପଛରେ କାରଣ ଥିବା କୁହାଯାଉଛି । ପୋଲିସ ଅନୁମାନ କରୁଛି ଯେ, ଏହାଦ୍ବାରା କରୋନା ହେବାର ଆଶଙ୍କା କମ୍ ରହିବ ।
ଭୋପାଳର ପିପଲାନି ପୋଲିସ ଷ୍ଟେସନରେ ନିୟୋଜିତ କରାଯାଇଥିବା ପୋଲିସ କର୍ମଚାରୀମାନେ କରୋନାରୁ ରକ୍ଷା କରିବା ପାଇଁ ଏହି ନୂତନ କୌଶଳ ଆପଣାଇଛନ୍ତି । ସମସ୍ତ ପୋଲିସ କର୍ମଚାରୀ ଡାକ୍ତରଙ୍କ ପୋଷାକ ପିନ୍ଧି ଡ୍ୟୁଟି କରୁଛନ୍ତି । ଉଲ୍ଲେଖନୀୟ ବିଷୟ ହେଉଛି, ଏହି ସମୟରେ ଡାକ୍ତର ଏବଂ ମେଡିକାଲ ଷ୍ଟାଫ୍ ଙ୍କ ସହ ପୋଲିସ କର୍ମଚାରୀଙ୍କୁ କରୋନା ସଂକ୍ରମିତ ହେବାର ଆଶଙ୍କା ସର୍ବାଧିକ ।
ସୂଚନାଯୋଗ୍ୟ ଯେ, ଭୋପାଳରେ କରୋନା ଭାଇରସ୍ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏଠାରେ ରୋଗୀଙ୍କ ସଂଖ୍ୟା ୬୦ରୁ ଅଧିକରେ ପହଞ୍ଚିଛି । ଏଥିସହ ଇନ୍ଦୋରରେ ୧୫୦ରୁ ଅଧିକ ମାମଲା ରୁଜୁ ହୋଇଥିବା ଜଣାପଡିଛି ।