ଆତଙ୍କବାଦୀ କସାବକୁ ଜୀବିତ ଗିରଫ କରିଥିବା ଏହି ପୋଲିସ ଅଧିକାରୀ ନିଲମ୍ବିତ

Published By : Prameya-News7 Bureau | August 11, 2019 IST

ମୁମ୍ବାଇ ୧୧/୮: ମୁମ୍ବାଇରେ ହୋଇଥିବା ୨୬/୧୧ ଆକ୍ରମଣରେ ପାକିସ୍ତାନୀ ଆତଙ୍କବାଦୀ ଅଜମଲ କସାଭକୁ ଗିରଫ କରିଥିବା ରାଷ୍ଟ୍ରପତି ପୁରସ୍କାରରେ ସମ୍ମାନିତ ହୋଇଥିବା ପୋଲିସ୍ ଅଧିକାରୀ ସଞ୍ଜୟ ଗୋବିଲକରଙ୍କୁ ମୁମ୍ବାଇ ପୋଲିସ୍ ନିଲମ୍ବିତ କରିଛି। ସଞ୍ଜୟ ପୋଲିସର ଆର୍ଥିକ ଶାଖାରେ ନିଯୁକ୍ତ ଥିଲେ। ତାଙ୍କୁ ଆତଙ୍କବାଦୀ ଦାଉଦ ଇବ୍ରାହିମର ଅନୁଚର ସୋହେଲ ଭାମଲାକୁ ଗିରଫ ନ କରି ଛାଡ଼ି ଦେଇଥିବା ଅଭିଯୋଗରେ ଶୁକ୍ରବାର ନିଲମ୍ବିତ କରାଯାଇଛି। ଏହି ମାମଲାରେ ସହାୟକ ପୋଲିସ୍ ଇନସ୍ପେକ୍ଟର ଜିତେନ୍ଦ୍ର ସିଙ୍ଗୋଟଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି।
ମୋଷ୍ଟ ଓ୍ବାଣ୍ଟେଡ ସୋହେଲ୍ ଦୁବାଇରୁ ଫେରିବାବେଳେ ମୁମ୍ବାଇ ବିମାନବନ୍ଦରରେ ଧରା ପଡ଼ିଥିଲା। ଦୁଇ ପୋଲିସ୍ ଅଧିକାରୀ ସୋହେଲକୁ ପଚରାଉଚୁରା କରିଥିଲେ ଏବଂ ଛାଡ଼ି ଦେଇଥିଲେ। ଏହା ପରେ ସୋହେଲ ଫେରାର ହୋଇଯାଇଥିଲା। ଦୁଇ ପୋଲିସ ଅଧିକାରୀଙ୍କୁ ଦାୟିତ୍ବହୀନତା ପାଇଁ ନିଲମ୍ବିତ କରାଯାଇଛି।
ସୋହେଲକୁ ୨୦୦୪ମସିହାରେ ନକଲି ନୋଟ୍ ଧନ୍ଦାରେ ମୁମ୍ବାଇରେ ଗିରଫ କରିବା ପରେ କୋର୍ଟ ୫ବର୍ଷ ଜେଲ ଦଣ୍ଡ ଶୁଣାଇଥିଲା। ଏହାପରେ ସୋହେଲରେ ଜାମିନରେ ମୁକୁଳିବା ପରେ ଫେରାର ହୋଇଯାଇଥିଲା। ସେତେବେଳେ ପୋଲିସ୍ ତା’ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.