ଡ୍ୟାନ୍ସରଙ୍କ ସହ ଅଶ୍ଳୀଳ ଗୀତରେ ନାଚିବା ଭିଡିଓ ଭାଇରାଲ୍, ଚାକିରୀରୁ ବିଦା ହେଲେ ଥାନା ଅଧିକାରୀ
4/07/2019 at 2:45 PM

ଧାନବାଦ ୪|୭: ଅଶ୍ଳୀଳ ଗୀତରେ ଜଣେ ଡ୍ୟାନ୍ସରଙ୍କ ନାଚିବା ଥାନା ଅଧିକାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏପରିକି ନାଚର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଛି । ଭାଇରାଲ ଭିଡିଓର ଯାଞ୍ଚ କରିବା ପରେ ଥାନା ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ।
ସୂଚନାଯୋଗ୍ୟ ଝାଡଖଣ୍ଡ ଧାନବାଦ ଜିଲ୍ଲାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଜିଲ୍ଲାର ମହୁଦା ଥାନା ଅଧିକାରୀ ନନ୍ଦକିଶୋର ସିଂହ ଜଣେ ବାର୍ ଡ୍ୟାନ୍ସରଙ୍କ ସହ ଅଶ୍ଳୀଳ ଗୀତରେ ନାଚୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭାଇରାଲ ହୋଇଥିବା ଭିଡିଓ କୌଣସି ଏକ ହୋଟେଲର । ଭିଡିଓରେ ଥାନା ଅଧିକାରୀ ଜଣେ ଅର୍ଦ୍ଧନଗ୍ନ ମହିଳାଙ୍କ ସହ ନାଚୁଥିବାର ଦେଖିବାକୁ ମିଳିଥିଲା । ଥାନା ଅଧିକାରୀଙ୍କ ନାଚର ଏହି ଦୃଶ୍ୟକୁ କୌଣସି ବ୍ୟକ୍ତି ନିଜ ମୋବାଇଲରେ ଉତ୍ତୋଳନ କରି ଭାଇରାଲ କରିଦେଇଥିଲେ । ଭିଡିଓ ଭାଇରାଲ ହେବା ପରେ ଉପରିସ୍ଥ ଅଧିକାରୀଙ୍କ ନଜରକୁ ଆସିଥିଲା । ଫଳରେ ସେ ଭିଡିଓର ଯାଞ୍ଚ କରିବାର ନିର୍ଦ୍ଦେଶ ଦେଇଥିଲେ । ବାଘମାରା ଡିଏସପି ମନୋଜ କୁମାରଙ୍କୁ ଯାଞ୍ଚ ଦାୟିତ୍ବ ଦେଇଥିଲେ ।
ଯାଞ୍ଚ ବେଳେ ଜଣାପଡିଲା ଯେ, ଭିଡିଓରେ ଥାନା ଅଧିକାରୀ ନିଶାସକ୍ତ ଅବସ୍ଥାରେ ଥିଲେ । ଡ୍ୟାନ୍ସରଙ୍କ ସହ ଅଶ୍ଳୀଳ ବ୍ୟବହାର କରୁଥିଲେ । ଯାଞ୍ଚ ସମୟରେ ଥାନା ଅଧିକାରୀ ଡ୍ୟାନ୍ସରଙ୍କ ସହ ନାଚୁଥିବାର ସ୍ବୀକାର କରିବା ସହ ଭିଡିଓକୁ ସତ ବୋଲି ମାନିଛନ୍ତି । ଏହାପରେ ଥାନା ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ଥାନା ଅଧିକାରୀଙ୍କ ସହ ଆଉ କେଉଁ ପୋଲିସ ଅଧିକାରୀ ସାମିଲ ଥିଲେ ତାର ଯାଞ୍ଚ କରାଯାଉଛି । ଯେଉଁମାନେ ଏଥିରେ ସାମିଲ ଥିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।