କରୋନାରେ ଚାଲିଗଲା କୋଭିଡ଼ ଯୋଦ୍ଧାଙ୍କ ଜୀବନ : ଲକ୍ଷଣ ଥାଇ ଦୁଇ ଥର ଟେଷ୍ଟ ରିପୋର୍ଟ ନେଗେଟିଭ୍, ତୃୀତୟ ଥର ଆସିଲା ପଜିଟିଭ୍‌

Published By : Prameya-News7 Bureau | August 08, 2020 IST

ଲକ୍ଷ୍ନୌ ୦୮।୦୮: ଦିନକୁ ଦିନ ଅଣାୟତ ହୋଇଚାଲିଛି କରୋନା । ପ୍ରତିଦିନ ହଜାର ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଉତ୍ତରପ୍ରଦେଶର ଜଣେ ପୋଲିସ ଇନ୍ସପେକ୍ଟର କରୋନାରେ ପ୍ରାଣ ହରାଇଛନ୍ତି । ତାଙ୍କ ନାମ ଇନ୍ଦ୍ରଜିତ ସିଂହ ଭଦୌରିଆ (୪୭) ଏବଂ ସେ ଉନ୍ନାଓ ଜିଲ୍ଲାର ବାସିନ୍ଦା । ଶାହାଜାହାନପୁର ଜିଲ୍ଲା ଆଲ୍ଲାହାଗଞ୍ଜ ଥାନାରେ କାର୍ଯ୍ୟରତ ଥିଲେ । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ୨ ଥର ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ତୃତୀୟ ଥର ପଜିଟିଭ୍‌ ଆସିଥିଲା ।

ଭଦୌରିଆ ଜୁଲାଇ ୨୨ ତାରିଖରେ ମିରଟରେ ଏକ ପୁଲିସ ଟ୍ରେନିଂରେ ସାମିଲ ହୋଇଥିଲେ । ସେଠାରୁ ଫେରିବାର ଦିନକ ପରେ ଅର୍ଥାତ ଜୁଲାଇ ୨୩ରେ ଥଣ୍ଡା ଜ୍ୱର ଓ କାଶରେ ପୀଡିତ ହୋଇପଡିଥିଲେ । ସେହିଦିନ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା । ରାପିଡ ଆଣ୍ଟିଜେନ ଟେଷ୍ଟରୁ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । କିନ୍ତୁ ତାଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଥିଲା ।

ଘରେ ରହିବା ଭିତରେ ତାଙ୍କର ଜ୍ୱର ଓ ଥଣ୍ଡା କମି ନଥିଲା । ତାଙ୍କୁ ଜୁଲାଇ ୩୧ରେ ପୁଣି ଥରେ କରୋନା ଟେଷ୍ଟ କରିବାକୁ କୁହାଯାଇଥିଲା । ଏଥରକ ସେ ଆରଟି-ପିସିଆର ଟେଷ୍ଟ କରାଇଥିଲେ । କିନ୍ତୁ ଏଥର ବି ରିପୋର୍ଟ ନେଗେଟିଭ ଆସିଥିଲା । ତେବେ ଦେହ ଅଧିକ ଖରାପ ହୋଇପଡିବାରୁ ଅଗଷ୍ଟ ୧ ତାରିଖରେ ତାଙ୍କୁ ଲକ୍ଷ୍ନୌର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସେଠାରେ ତାଙ୍କ କରୋନା ଟେଷ୍ଟ କରାଯିବା ପରେ ତାହା ପଜିଟିଭ ବାହାରିଥିଲା । ହେଲେ ସେତେବେଳକୁ ତାଙ୍କ ଅବସ୍ଥା ବହୁତ ଖରାପ ହୋଇସାରିଥିଲା । ଅଗଷ୍ଟ ୪ ତାରିଖରେ ସେଠାରୁ ତାଙ୍କୁ ଅନ୍ୟ ଏକ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ମାତ୍ର ଗୋଟିଏ ଦିନ ଭେଣ୍ଟିଲେଟରରେ ସେ ରହିଥିଲେ । ପରଦିନ ଅର୍ଥାତ ଅଗଷ୍ଟ ୫ ତାରିଖରେ ଡାକ୍ତରଙ୍କ ଚେଷ୍ଟା ସତ୍ତ୍ୱେ ସେ ପ୍ରାଣ ହରାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.