ନାଳରୁ ମଣିଷର କଟା ଗୋଡ ମିଳିବା ଘଟଣା : ଶରୀରର ଅବଶିଷ୍ଟ ଅଙ୍ଗପ୍ରତ୍ୟଙ୍ଗ ନମିଳିବାରୁ ପୋଲିସ ତଦନ୍ତ ହେଉଛି ବାଟବଣା

Published By : Prameya-News7 Bureau | November 14, 2019 IST

ଭୁବନେଶ୍ବର ୧୪।୧୧: ଖଣ୍ଡଗିରି ବରବାରି ନାଳରୁ ମଣିଷର କଟା ଗୋଡ ମିଳିବା ଘଟଣା ତଦନ୍ତ ଜାରି ରଖିଛି ଖଣ୍ଡଗିରି ଥାନା ପୋଲିସ । ଶରୀରର ଅବଶିଷ୍ଟ ଅଙ୍ଗପ୍ରତ୍ୟଙ୍ଗ ନମିଳିବାରୁ ପୋଲିସ ବାଟବଣା ହୋଇଛି। ପୁରୀ ବଳିଆପଣ୍ଡା ଥାନା ପୋଲିସ ସହ ଯୋଗାଯୋଗ କରାଯାଇଛି । ସିପସରୁବାଲି ଜଙ୍ଗଲରେ କଟାମୁଣ୍ଡ ମିଳିବା ଘଟଣାରେ ପଚରାଉଚରା କରିଛି । ଉଭୟ ଘଟଣାରେ କୌଣସି ଲିଙ୍କ୍‌ ଅଛି କି ନାହିଁ, ତାହାର ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଖଣ୍ଡଗିରି ଥାନା ପୋଲିସ ଗତକାଲି ପୁଣି ଘଟଣାସ୍ଥଳରେ ତଦନ୍ତ କରିଛି । ବରମୁଣ୍ଡା ଓଭରବ୍ରିଜ୍‌ ନିକଟ ବରବାରି ନାଳର ଉଭୟ ପାର୍ଶ୍ବରେ ପୁଣି ଖୋଜାଖୋଜି କରିଛି ପୋଲିସ । ଏପରିକି ଖଣ୍ଡଗିରି ପାହାଡ଼ ଓ ଆଖପାଖ ଜଙ୍ଗଲ ଅଞ୍ଚଳରେ ମଧ୍ୟ ଖୋଜାଖୋଜି କରିଛି । ଖୋଜାଖୋଜି କରିଥିଲେ ମଧ୍ୟ ଖାଲି ହାତରେ ଫେରିଛି ପୋଲିସ । ରାଜ୍ୟର ବିଭିନ୍ନ ଥାନାରେ ନିଖୋଜ ଓ ଅପହରଣ ହୋଇଥିବା ଯୁବକମାନଙ୍କ ସମ୍ପର୍କରେ ଏଯାଏଁ କୌଣସି ପକ୍କା ତଥ୍ୟ ପୋଲିସ ହାତରେ ଲାଗିନି ।

{"id":183815,"sizeSlug":"large"}

ପୁରୀ ସିପସରୁବାଲି ଜଙ୍ଗଲରେ କୌଣସି ବ୍ୟକ୍ତିଙ୍କୁ ହତ୍ୟା କରିବା ପରେ ଅଙ୍ଗପ୍ରତ୍ୟଙ୍ଗକୁ ଖଣ୍ଡ ଖଣ୍ଡ କରି ବିଭିନ୍ନ ଅଞ୍ଚଳରେ ଫିଙ୍ଗି ଦେଇଥିବା ନେଇ ସନ୍ଦେହ କରାଯାଉଛି । ତାକୁ ନେଇ ପୋଲିସ ତଦନ୍ତ କରୁଛି । ଖଣ୍ଡଗିରି ଥାନାର ତଦନ୍ତକାରୀ ଅଧିକାରୀ ବଳିଆପଣ୍ଡା ଆଇଆଇସିଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି ।

{"id":183816,"sizeSlug":"large"}

ସେପଟେ ଜବତ ହୋଇଥିବା କଟା ଗୋଡ଼ରୁ ନଖ ଓ ହାଡ଼ର ନମୂନାକୁ ପରୀକ୍ଷା ନିରୀକ୍ଷା ପାଇଁ ରାଜ୍ୟ ଫୋରେନ୍ସିକ ପରୀକ୍ଷାଗାରକୁ ପଠାଯାଇଛି । ସେଠାରେ କଟା ଗୋଡ଼ର ଡିଏନ୍‌ଏ ଟେଷ୍ଟ ସହ ଅନ୍ୟାନ୍ୟ ପରୀକ୍ଷା କରାଯିବ । ଟେଷ୍ଟ ପରେ କଟା ହୋଇଥିବା ମଣିଷର ବୟସ ଓ ଲିଙ୍ଗ ସହ ଅନ୍ୟାନ୍ୟ ପରିଚୟ ସମ୍ପର୍କରେ ପତ୍ତା ମିଳିପାରିବ ।

ସୂଚନାଯୋଗ୍ୟ, ମଙ୍ଗଳବାର ଅପରାହ୍ନରେ ବରବାରି ନାଳ କଡ଼ରେ ଜଣେ ମଣିଷର କଟା ଗୋଡ଼ ପଡିଥିବା ଓୟୁଏଟି ଫାର୍ମର କର୍ମଚାରୀ ଦେଖି ପୋଲିସକୁ ଖବର ଦେଇଥିଲେ । ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହାକୁ ଜବତ କରିଥିଲା । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.