ପାର୍କରେ ଅନୈତିକ କାମକରୁଥିବା ଯୁବତୀ ସହ ପୋଲିସ କଲା ଅଶାଳୀନ ବ୍ୟବହାର, ଭିଡିଓ ଭାଇରାଲ ହେବା ପରେ ଗଲା ଚାକିରୀ
28/05/2019 at 9:33 AM

ଫରିଦାବାଦ୨୮|୫: ପୋଲିସ ଥାନାରେ ଜଣେ ପୋଲିସକର୍ମୀ ଯୁବତୀଙ୍କୁ ବେଲ୍ଟ ଦ୍ବାରା ମାରପିଟ୍ କରିବାର ଭିଡିଓ ଭାଇରାଲ ହୋଇଛି। ଏହି ଘଟଣା ଘଟିଛି ହରିଆଣାର ଫରିଦାବାଦ ସ୍ଥିତ ଆଦର୍ଶନଗର ଥାନାରେ। ଏହି ଥାନାର ଏକ ଭିଡିଓ ସୋସିଆଲ ମିଡିଆରେ ଜୋରସୋର୍ରେ ଭାଇରାଲ ହେବାରେ ଲାଗିଛି।
ଏହି ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ, ଜଣେ ପୋଲିସକର୍ମୀ ଯୁବତୀଙ୍କୁ ପିଟୁଛନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ ହରିଆଣା ପୋଲିସ ଏହି ମାମଲାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଭିଯୁକ୍ତ ପୋଲିସ କନ୍ଷ୍ଟେବଲ ବଲଦେବ ଓ ରୋହିତକୁ ସସପେଣ୍ଡ କରାଯାଇଛି। ଅପରପକ୍ଷରେ ୩ ଜଣ ଏସପିଓ କୃଷ୍ଣ, ହରପାଲ ଓ ଦିନେଶକୁ ଚାକିରୀରୁ ବହିସ୍କାର କରାଯାଇଛି। ବିଭିନ୍ନ ରାଜନୈତିକ ଦଳର ନେତାମାନେ ଏହି ଭିଡିଓ ଟୁଇଟ୍ କରି ସଂପୃକ୍ତ ପୋଲିସକର୍ମୀଙ୍କୁ ଦଣ୍ଡ ହେବା ପାଇଁ ଦାବି କରିଥିଲେ।
ଖବର ନେବାରେ ଜଣା ପଡିଛି ଯେ, ସ୍ଥାନୀୟ ଏକ ପାର୍କରେ ଯୁବକ ଯୁବତୀ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ପୋଲିସକୁ ଖବର ମିଳିଥିଲା। ପୋଲିସ ସେହି ଅନୁସାରେ ପାର୍କରେ ପହଞ୍ଚିଥିଲା। ପୋଲିସକୁ ଦେଖି ଯୁବକ ଜଣକ ଘଟଣା ସ୍ଥଳରୁ ଦୌଡି ଚାଲିଯାଇଥିବା ବେଳେ ପୋଲିସ ଯୁବତୀଙ୍କୁ କାବୁ କରିଥିଲା। ପରେ ପୋଲିସ ଯୁବତୀଙ୍କୁ ଥାନାକୁ ଆଣି ତାଙ୍କ ସହିତ ଅଶାଳୀନ ବ୍ୟବହାର କରିବା ସହ ତାଙ୍କୁ ବେଲ୍ଟରେ ମାଡ ମାରିଥିଲା। ଏହି ଘଟଣା ଚାଲିଥିବା ବେଳେ କେହି ଜଣେ ମୋବାଇଲରେ ସମଗ୍ର ଘଟଣାକୁ ରେକର୍ଡିଙ୍ଗ କରି ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଦେଇଥିଲା।