ପୋଲିସ୍ ବନିଲା ଚୋର, ଲୁଟି ନେଲା ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା-ରୂପା, ଅଭିଯୁକ୍ତକୁ ଧରାଇଲା ସିସିଟିଭି
22/01/2021 at 2:45 PM

ମହାରାଜଗଞ୍ଜ୨୨/୧: ଉତ୍ତର ପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟ ଜନକ ଡକାୟତି ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ଗୁରୁବାର ଦିନ ତିନିଜଣ ପୋଲିସ୍ କର୍ମୀଙ୍କୁ ଗିରଫ ସହିତ ନିଲମ୍ୱିତ କରାଯାଇଛି ।
ଗୋରଖପୁରର ବରିଷ୍ଠ ପୋଲିସ୍ ଅଧିକ୍ଷକ ଯୋଗେନ୍ଦ୍ର କୁମାର ଏନେଇ କହିଛନ୍ତି ଯେ, ଅଭିଯୁକ୍ତଙ୍କ ଠାରୁ ପୋଲିସ୍ ୧୯ ଲକ୍ଷ ନଗଦ ଟଙ୍କା, ୧୨ ଲକ୍ଷ ଟଙ୍କାର ସୁନା ୪ ଲକ୍ଷ ଟଙ୍କାର ରୂପା ଏବଂ ଏହି ଲୁଟ୍ର ବ୍ୟବହୃତ କାରକୁ ଜବତ କରିଛି । ଗୋରଖପୁରର ପାଡଲି ଗଞ୍ଜ ଅଞ୍ଚଳରେ ଦୁଇଜଣ ଗହଣା ଦୋକାନୀଙ୍କୁ ଲୁଟିଥିବା ଅଭିଯୋଗରେ ଏହି ତିନିଜଣ ପୋଲିସ୍ କର୍ମଚାରୀ ଏବଂ ସେମାନଙ୍କ ସହ ସାମିଲ୍ ଅନ୍ୟ ୬ଜଣ ଲୋକଙ୍କୁ ପୋଲିସ୍ ଗିରଫ କରିଥିବା କହିଛି ।
ଘଟଣା ଅନୁସାରେ ଅଭିଯୋଗକାରୀ ଦୀପକ ଶର୍ମା ଏବଂ ରାଜୁ ବର୍ମା ଗତ ବୁଧବାର ସକାଳୁ ବସରେ ଗୋରଖପୁର ଆସିଥିଲେ । ସେଠାରୁ ଲକ୍ଷ୍ନୌ ଯିବା ପାଇଁ ଅନ୍ୟ ଏକ ବସ୍ରେ ଚଢ଼ିଥିଲେ । ପୋଲିସର କହିବା ମୁତାବକ ଏହି ସମୟରେ ୬ ଜଣ ସନ୍ଦିଗ୍ଧ ବ୍ୟକ୍ତି ବସରେ ଚଢ଼ିଥିଲେ ଏବଂ ଦୁଇଜଣ ଗହଣା ଦୋକାନୀଙ୍କୁ ତଳକୁ ଓହ୍ଲାଇବାକୁ କହିଥିଲେ । ଏହାପରେ ସେମାନଙ୍କୁ ମାଡ଼ ମାରିବା ସହ ତାଙ୍କଠାରୁ ଟଙ୍କା, ସୁନା ଏବଂ ରୂପା ଲୁଟି ନେଇଥିଲେ ।
ଏହି ସମସ୍ତ ଘଟଣା ପାଖରେ ଲାଗିଥିବା ଏକ ସିସିଟିଭିରେ ରେକର୍ଡ ହୋଇଯାଇଥିଲା । ଯାହାକୁ ଆଧାର କରି ପୋଲିସ୍ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିଥିଲା । ଜଣେ ଅଧିକାରୀ ଏ ନେଇ କହିଛନ୍ତି ଯେ ଗିରଫ ହୋଇଥିବା ପୋଲିସଙ୍କ ମଧ୍ୟରେ ଉପ-ନିରିକ୍ଷକ ଧର୍ମେନ୍ଦ୍ର ଯାଦବ, କନେଷ୍ଟବଳ ମହେନ୍ଦ୍ର ଯାଦବ ଏବଂ ସନ୍ତୋଷ ଯାଦବ ରହିଛନ୍ତି। ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ପୋଲିସ୍ ପକ୍ଷରୁ କୁହାଯାଇଛି ।