ବିକାଶ ଦୁବେ ଗିରଫ ମାମଲା: ‘ବିଟ୍ଟୁ ଭୟା’କୁ ଖୋଜୁଛି ପୋଲିସ
9/07/2020 at 4:24 PM

ଉଜ୍ଜୈନ ୯।୭: ଉତ୍ତରପ୍ରଦେଶ କାନପୁର କାଣ୍ଡର ମୁଖ୍ୟ ନାୟକ ବିକାଶ ଦୁବେକୁ ଉଜ୍ଜୈନର ମହାକାଳେଶ୍ୱର ମନ୍ଦିର ନିକଟରୁ ମଧ୍ୟପ୍ରଦେଶ ପୋଲିସ ନାଟକୀୟ ଢଙ୍ଗରେ ଗିରଫ କରିଛି। ଗିରଫଦାରୀ ବେଳେ ଫେରାର ଅଭିଯୁକ୍ତ ମୁଁ କାନପୁର କାଣ୍ଡର ଅଭିଯୁକ୍ତ ବିକାଶ ଦୁବେ ବୋଲି ଜୋର ଜୋରରେ ଚିତ୍କାର କରୁଥିଲା ଓ ବିଟ୍ଟୁ ଭୟା ନାମକ ଜନୈକ ବ୍ୟକ୍ତିର ନାମ ନେଉଥିଲା। ପୋଲିସ ମାମଲାରେ ବିକାଶ ଦୁବେ ସହ ସମ୍ପୃକ୍ତି ସନ୍ଦେହରେ ଲକ୍ଷ୍ନୌର ୨ ଜଣ ଓକିଲଙ୍କୁ ମଧ୍ୟ ଗିରଫ କରିଛି। ଗିରଫ ଦୁଇଜଣଙ୍କ ମଧ୍ୟରୁ ବିଟ୍ଟୁ କିଏ ପୋଲିସ ପଚରାଉଚରା ଜାରି ରଖିଛି।

ମିଳିଥିବା ସୂଚନା ଅନୁସାରେ ବିକାଶ ନିଜକୁ ନିଜେ ଗିରଫ କରାଇଛି। ତା ବିରୋଧରେ ୟୁପି ପୋଲିସର ଆକ୍ସନରେ ସେ ଭୟଭୀତ ହୋଇ ମଧ୍ୟପ୍ରଦେଶରୁ ନିଜକୁ ଗିରଫ କରାଇଛି। ୟୁପି ପୋଲିସ ବିକାଶ ଦୁବେର ଲୋକଙ୍କୁ ଗଣି ଗଣି ଏନକାଉଣ୍ଟର କରୁଛି। ଏଣୁ ବିକାଶ ପୋଲିସ ଏନକାଉଣ୍ଟର ଭୟରେ ମଧ୍ୟପ୍ରଦେଶ ପଳାଇଥିବାର ସନ୍ଦେହ କରାଯାଉଛି। ତେବେ ପୋଲିସ ହାଇ ଆଲର୍ଟ ଜାରି କରିଥିବା ସତ୍ତ୍ୱେ ସେ ମଧ୍ୟପ୍ରଦେଶ ଗଲା କିପରି ସେ ନେଇ ଏବେ ପୋଲିସ ଖୋଳତାଡ କରୁଛି।

ବିକାଶ ଉତ୍ତରପ୍ରଦେଶ ନମ୍ବର ଥିବା ଏକ ଗାଡିରେ ଉଜ୍ଜୈନ ପହଞ୍ଚିଛି। ପୋଲିସ ଗାଡିକୁ ଜବତ କରିଥିବା ବେଳେ ନମ୍ବର ଯାଞ୍ଚରୁ ତାହା ମନୋଜ ଯାଦବ ବୋଲି ଜନୈକ ବ୍ୟକ୍ତିଙ୍କ ନାମରେ ଥିବା ଜଣାପଡିଛି। ମନୋଜ ପେଷାରେ ଓକିଲ ବୋଲି ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡିଥିବା ବେଳେ ୟୁପି ପୋଲି ମନୋଜ ଘରେ ପହଞ୍ଚିଛି। ଉଜ୍ଜୈନ ପୋଲିସ ବିକାଶ ନିକଟରୁ ଏକ ବ୍ୟାଗ୍ ଜବତ କରିଛି। ସେଥିରେ ତାର କିଛି ଲୁଗାପଟା, ଜରୁରି କାଗଜପତ୍ର ସାଙ୍ଗକୁ ମୋବାଇଲ ଫୋନ ଓ ଚାର୍ଜର ରହିଛି। ପୋଲିସ ଏବେ ବିକାଶ ମୋବାଇଲ ଫୋନରୁ ଫେରାର ହେବା ପରେ ଓ ପୂର୍ବରୁ ସେ କାହା କାହା ସମ୍ପର୍କରେ ଥିଲା ତାର ଯାଞ୍ଚ କରିବ ବୋଲି ଜଣାପଡିଛି।