କୃଷି ଆଇନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ବେଳେ ସଂଘର୍ଷ, ପୋଲିସର ଲାଠିଚାର୍ଜ, ଅନେକ ଚାଷୀ ଆହତ
29/12/2020 at 3:19 PM

ପାଟଣା ୨୯/୧୨ : ଦିଲ୍ଲୀ ସୀମାରେ ପ୍ରାୟ ଏକ ମାସରୁ ଉର୍ଦ୍ଧ୍ବ ଦିନ ହେଲା ଆନ୍ଦୋଳନ ଜାରି ରଖିଛନ୍ତି ବିଭିନ୍ନ କୃଷକ ସଂଗଠନ । ଦେଶର ଅନେକ ବିରୋଧୀ ଦଳ ଏହି ଆନ୍ଦୋଳନକୁ ସମର୍ଥନ କରିଛନ୍ତି । ଏହାରି ମଧ୍ୟରେ ମଙ୍ଗଳବାର ବିହାରର ପାଟଣାରେ କୃଷି ଆଇନ ବିରୁଦ୍ଧର ପ୍ରଦର୍ଶନ କରୁଥିବା ଚାଷୀଙ୍କ ଉପରେ ଲାଠିଚାର୍ଜ କରିଛି ପୋଲିସ ।
ମିଳିଥିବା ସୂଚନା ଅନୁସାରେ, ଅଖିଳ ଭାରତୀୟ କିଷାନ ସଂଘର୍ଷ ସମବାୟ ସମିତି ଏବଂ ବାମ ଦଳମାନଙ୍କ ପକ୍ଷରୁ ଏକ ରାଲି ରାଜଭବନ ପର୍ଯ୍ୟନ୍ତ ବାହାରିଥିଲା । ତେବେ କୌଣସି କାରଣରୁ ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଯାଇଥିଲା । ଏହା ପରେ ପ୍ରଦର୍ଶନକାରୀଙ୍କ ଉପରେ ଲାଠିଚାର୍ଜ ଆରମ୍ଭ କରିଦେଇଥିଲା ପୋଲିସ ।

କୃଷି ଆଇନକୁ ବିରୋଧ କରି ରାଜ୍ୟର ବିଭିନ୍ନ ସ୍ଥାନରୁ ଚାଷୀମାନେ ଆସି ପାଟଣାରେ ବିରୋଧ ପ୍ରଦର୍ଶନ କରିଥିଲେ । ଚାଷୀଙ୍କ ଫ୍ଳାଗ୍ ମାର୍ଚ୍ଚ୍ ଗାନ୍ଧୀ ମୈଦାନରୁ ବାହାରି ରାଜଭବନ ଅଭିମୁଖେ ଆଗକୁ ବଡିଥିଲା । ତେବେ ଡାକବଙ୍ଗଳା ନିକଟରେ ପହଞ୍ଚିବା ପରେ ପୋଲିସ ସେମାନଙ୍କୁ ରାଜଭବନ ଆଡକୁ ଯିବାରୁ ରୋକିଥିଲା । ଏହାକୁ ନେଇ ପୋଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷହୋଇଥିଲା । ଯାହା ପରେ ପୋଲିସ ବାଧ୍ୟ ହୋଇ ଲାଠିଚାର୍ଜ କରିଥିଲା ।
ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସଂଘର୍ଷ ବେଳେ ଅନେକ ଚାଷୀ ଆହତ ହୋଇଥିବା ସୂଚନା ମିଳିଛି । ଆହତ ଚାଷୀମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଦିଲ୍ଲୀ, ହରିୟାଣା ଏବଂ ପଞ୍ଜାବ ପରେ ବିହାରରେ ମଧ୍ୟ ଚାଷୀ ଆନ୍ଦୋଳନ ଆରମ୍ଭ ହୋଇଯାଇଛି । ଚାଷୀଙ୍କ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେଉଥିବାରୁ ପାଟଣାର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।