ପ୍ରେମ-ପ୍ରତାରଣାର ସାଙ୍ଘାତିକ ଷଡ଼ଯନ୍ତ୍ର, ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କରିବା ଯୋଜନାରେ ଥିଲେ ବିନୋଦଙ୍କ ସ୍ତ୍ରୀ ! ଗିରଫ ପରେ କୋର୍ଟ ଚାଲାଣ
27/06/2020 at 4:56 PM

ସାଲେପୁର ୨୭।୦୬: ସ୍ୱାମୀ ହତ୍ୟା ଷଡଯନ୍ତ୍ରରେ ସ୍ତ୍ରୀର ସଂପୃକ୍ତି । ଅବିଶ୍ୱସନୀୟ ଘଟଣାକୁ ନେଇ କଟକ ଜିଲ୍ଲାର କିଶନନଗରରୁ ପାଗା ଯାଏଁ ଆଲୋଚନା । ବିନୋଦ ମଣ୍ଡଳ ହତ୍ୟାକାଣ୍ଡ ମାମଲାରେ ଏକ ସାଙ୍ଘାତିକ ଷଡଯନ୍ତ୍ର ପଦାକୁ ଆସିଛି । ମାମଲାରେ ଆସିଛି ଟ୍ୱିଷ୍ଟ୍ । ବିନୋଦ ମଣ୍ଡଳ ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ତାଙ୍କ ବିଧବା ପତ୍ନୀ ନମିତା ଦାସଙ୍କୁ ଗିରଫ କରିଛି ପୋଲିସ ।
ଅପହରଣ କରିନେଇଥିଲେ , ଖିନ୍ଭିନ୍ କରି ମାରିଥିଲେ । ନିଖୋଜର ୨୫ଦିନ ପରେ ନଇପଠାରୁ ମିଳିଥିଲା ବିନୋଦ ମଣ୍ଡଳଙ୍କ ଖଣ୍ଡ ବିଖଣ୍ଡିତ ଗଳିତ ମୃତଦେହ । ପୂର୍ବରୁ ପୋଲିସ ଏହି ମାମଲାରୁ ଶାରଦା କୁଣ୍ଡୁକୁ ଗିରଫ କରିଥିଲା । ମୃତଦେହ ମିଳିବା ପୂର୍ବ ଦିନ ଶାରଦାର ସହଯୋଗୀ ସିଲୁ ଦାସକୁ ଗିରଫ କରିଥିଲା । ରିମାଣ୍ଡରେ ନେଇ ଅଭିଯୁକ୍ତଙ୍କୁ ଜେରା ପରେ ଖୋଲିଥିଲା ହତ୍ୟାକାଣ୍ଡର ଖିଅ ।
ପ୍ରେମ ଓ ପ୍ରତାରଣାର ଭୟଙ୍କର କାରନାମା । ଶାରଦା ଓ ସିଲୁ ଦାସ ସହ ବିନୋଦଙ୍କ ପତ୍ନୀ ନମିତା ଦାସଙ୍କୁ ଜେରା ପରେ ପୋଲିସ ହାତରେ ଏକ ଭୟଙ୍କର ହତ୍ୟା ଷଡଯନ୍ତ୍ରର ସୂଚନା ଲାଗିଥିବା ଜଣାଯାଇଛି । ତଦନ୍ତ ସହ ସଂପୃକ୍ତ ପୋଲିସ ଅଧିକାରୀଙ୍କ ଠାରୁ ଆମକୁ ମିଳିଛି ଏଭଳି କିଛି ସୂଚନା। ବିବାହ ପୂର୍ବରୁ ନମିତାଙ୍କର ଅଭିଯୁକ୍ତ ଶାରଦା କୁଣ୍ଡୁଙ୍କ ସହ ପ୍ରେମ ସଂପର୍କ ଥିଲା । ଦୁରସମ୍ପର୍କୀୟ ବନ୍ଧୁ ହିସାବରେ ଶାରଦା ଆସୁଥିଲେ ନମିତାଙ୍କ ଘରକୁ । ଏପରିକି ସେନେଇ ନମିତାଙ୍କ ଗାଁରେ ବିରୋଧ ମଧ୍ୟ ଥିଲା । ପରେ ଶାରଦାଙ୍କ ସହ ନମିତାଙ୍କ ବାହାଘର ପ୍ରସ୍ତାବରୁ କଥାବାର୍ତ୍ତା ମଧ୍ୟ ହୋଇଥିଲା । କିନ୍ତୁ ଶାରଦା କୁଆଡେ ବାହା ତାରିଖ ଘୁଞ୍ଚାଇବାକୁ ଚାହିଁବାରୁ , ପରେ ନମିତାଙ୍କ ପରିବାର କିଶନନଗର ବିଜୟ ମଣ୍ଡଳଙ୍କ ପୁଅ ବିନୋଦ ମଣ୍ଡଳଙ୍କ ସହ ତାଙ୍କ ବିବାହ କରାଇଥିଲେ । ବିନୋଦଙ୍କୁ ବିବାହ ପରେ ବି ଶାରଦା ସହ ଯୋଗାଯୋଗରେ ଥିଲେ ନମିତା । ବିନୋଦଙ୍କୁ ରାସ୍ତାରୁ ହଟାଇ ଉଭୟ ବିବାହ କରିବାକୁ କୁଆଡେ ଯୋଜାନରେ ଥିଲେ । ତାର ପରିଣାମ ହେଲା ବିନୋଦଙ୍କ ଅକାଳ ନିଧନ ।
ଶାରଦାକୁ ଏହି ଷଡଯନ୍ତ୍ରରେ ସିଲୁ ଦାସ ସାହଯ୍ୟ କରିଥିବା ପୋଲିସ ସୁତ୍ରରୁ ଜଣାଯାଇଛି । ମେ ମାସ ୨୬ ତାରିଖ ଦିନ ସିଲୁ ଦାସ ଫୋନ୍ କରି ବୋର୍ଡ ଅଫିସରେ କାମ କରାଇବାର ଲୋଭ ଦେଖାଇ ବିନୋଦଙ୍କୁ ଡାକି ନେଇଥିଲା । ଘରୁ ବୋର୍ଡ ଅଫିସ ଯାଉଛି କହି ବିନୋଦ ବାହାରିଥିଲା । କିନ୍ତୁ କିଛି ଘଣ୍ଟା ପରେ ଆଉ ତାଙ୍କ ଖୋଜ୍ ଖବର ପାଇନଥିଲେ ଘର ଲୋକେ । ସିଲୁ ଦାସ ଓ ଶାରଦା କିଭଳି ବିନୋଦଙ୍କୁ ନେଲେ, ଏବଂ ଜଗତପୁର ଥାନା ଅନ୍ତର୍ଗତ ବାରଗୋଡ଼ିଆ ମହାନଦୀ ପଠାରୁ କିପରି ଭାବେ ବିନୋଦଙ୍କ ମୃତଦେହ ମିଳିଲା , ପୋଲିସ ପରେ ହୁଏ ତ ସ୍ପଷ୍ଟ କରିବ । ତେବେ ଜଗତପୁରରେ ବିନୋଦଙ୍କ ମଟରସାଇକେଲ ମିଳିବା ଏବଂ ନଦୀପଠାରୁ ଖଣ୍ଡ ଖଣ୍ଡ ଗଳିତ ମୃତଦେହ ଉଦ୍ଧାର ହେବା ଘଟଣାରୁ ବିନୋଦଙ୍କ ହତ୍ୟାରେ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ଥିବା ସ୍ପଷ୍ଟ ।
ବିନୋଦଙ୍କ ମୃତଦେହ ଉଦ୍ଧାର ପରେ ନମିତାଙ୍କୁ ତାଙ୍କ ବାପାଙ୍କ ଜିମା ଦେଇଥିଲା ପୋଲିସ । ସେଦିନଠାରୁ ନମିତା ବାପ ଘରେ ଥିଲେ । ଶନିବାର ଦିନ ସକାଳ ସମୟରେ ପୋଲିସ ତାଙ୍କୁ ଥାନାକୁ ଆଣି , ଅନ୍ୟ ଦୁଇ ଅଭିଯୁକ୍ତଙ୍କ ସହ ଜେରା କରିଥିଲେ । ଏହାପରେ ସେହି ଜେରାରୁ ମିଳିଥିବା ତଥ୍ୟ ଆଧାରରେ ନମିତାଙ୍କୁ ଗିରଫ କରି ଆଜି ଅପରାହ୍ନ ୪ଟାରେ କୋର୍ଟ ଚାଲାଣ କରିଛି ପୋଲିସ । ଏହି ଘଟଣାରୁ ସ୍ୱାମୀ ହତ୍ୟା ଷଡଯନ୍ତ୍ରରେ ସ୍ତ୍ରୀର ସଂପୃକ୍ତି ଥିବା ପୋଲିସ ପଦକ୍ଷେପରୁ ସ୍ପଷ୍ଟ ହୋଇଛି ।