ଆଦିତ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଲା, ମୁଣ୍ଡରେ ଲାଗିଛି ଶକ୍ତ ଆଘାତ : ପତ୍ନୀ ବିଦ୍ୟାଶ୍ରୀଙ୍କ ସନ୍ଦେହ , ବାପା କହିଲେ ରହିଛି ଷଡ଼ଯନ୍ତ୍ର

Published By : Prameya-News7 Bureau | July 09, 2020 IST

ଭୁବନେଶ୍ବର ୦୯।୦୭: ତଦନ୍ତ ଯେତିକି ଆଗଉଛି, ସନ୍ଦେହ ସେତିକି ବଢୁଛି । ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାର ପୋଷ୍ଟମର୍ଟ ରିପୋର୍ଟ ପୋଲିସ ହାତକୁ ଆସିଥିଲେ ବି ଆତ୍ମହତ୍ୟା ଘଟଣାକୁ ମାନିବାକୁ ରାଜି ନୁହଁନ୍ତି ଆଦିତ୍ୟଙ୍କ ଆତ୍ମୀୟ । ସ୍ତ୍ରୀ ବିଦ୍ୟାଶ୍ରୀଙ୍କ ସନ୍ଦେହ ଏକ ଅଜଣା ଘଟଣାକୁ ନେଇ , ଯାହାକୁ ଖୋଜି  ବାହାର କରିବାକୁ ସେ ଦାବି ନିଷ୍ପତ୍ତି ନେଇଛନ୍ତି । ଆଦିତ୍ୟଙ୍କ ବାପା ସନ୍ଦେହ କରୁଛନ୍ତି, ମଦ ବିରୋଧୀ ଅଭିଯାନ ଲାଗି ତାଙ୍କ ପୁଅକୁ ଷଡଯନ୍ତ୍ର କରି ମୁତ୍ୟୁମୁଖକୁ ଠେଲିଦିଆଯାଇଛି ।  ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି ଧରିଥିବା ବେଳେ , ଏବେ ଫୋକସ୍‌ରେ ରହିଛି ଆଦିତ୍ୟଙ୍କ ଡାଏରୀ । ସେହି ଶେଷ ଚାରି ପୃଷ୍ଠା, ସେଥିରେ ଆଦିତ୍ୟ ଆତ୍ମହତ୍ୟା କରିବାକୂ ଯାଉଥିବା ସଙ୍କେତ ଦେଇଥିଲେ। ତେବେ ସେ ଅକ୍ଷର ଆଦିତ୍ୟଙ୍କର କି ନୁହେଁ , ତାହା ଏପର୍ଯ୍ୟନ୍ତ ନିଶ୍ଚିତ କରିନାହିଁ ପୋଲିସ ।   

wp:html /wp:html

ଏପଟେ ସମାଜସେବୀ ଆଦିତ୍ୟ ଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ରିପୋର୍ଟରେ ଆସିଛି ଯେ, ମୁଣ୍ଡରେ ଶକ୍ତ ଆଘାତ ଯୋଗୁଁ ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଛି । ଟ୍ରେନ୍‌ ଆଘାତରେ ଆଦିତ୍ୟଙ୍କ ମୁଣ୍ଡ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ରିପୋର୍ଟରେ ମଧ୍ୟ ଉଲ୍ଲେଖ ରହିଛି । ତେବେ ଘଟଣାରେ ତଦନ୍ତ କରୁଥିବା ଜିଆର୍‌ପି ପୋଲିସକୁ ପୋଷ୍ଟମର୍ଟମ ରିପୋର୍ଟ ହସ୍ତାନ୍ତର କରାଯାଇଛି । ସେପଟେ ଘଟଣାରେ ହତ୍ୟା ମାମଲା ରୁଜୁ କରି GRP ତଦନ୍ତ ଜାରି ରଖିଛି । ଆଦିତ୍ୟଙ୍କ ମୃତ୍ୟୁ ପରେ ତାଙ୍କ ସଂଗଠନର କିଛି ସଦସ୍ୟଙ୍କ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ କରାଯାଇଛି । ଆଦିତ୍ୟଙ୍କ ସଂଗଠନ ପିପୁଲ ଫର୍ ସେବାର ସଦସ୍ୟ ପକ୍ଷରୁ ଅଭିଯୋଗ କରାଯାଇଥିଲା ।

ସେହିପରି ଆଦିତ୍ୟଙ୍କ ମୃତ୍ୟୁ ନେଇ ସ୍ତ୍ରୀ ବିଦ୍ୟାଶ୍ରୀ କହିଛନ୍ତି ଯେ, ମୋ ସ୍ୱାମୀଙ୍କ ମୃତ୍ୟୁ ପଛରେ ଏକ ବଡ଼ ରହସ୍ୟ ରହିଛି । ଏକ ନିର୍ଦ୍ଦିଷ୍ଟ ଘଟଣାକୁ ନେଇ ସେ କିଛି ଦିନ ହେଲା ଚିନ୍ତିତ ରହୁଥିଲେ । ଯେମିତି ହେଲେ, ଏହାକୁ ଖୋଜି ବାହାର କରିବି । ବିଦ୍ୟାଶ୍ରୀ ଆହୁରୀ ମଧ୍ୟ କହିଛନ୍ତି, ଆଦିତ୍ୟଙ୍କ ବ୍ୟକ୍ତିଗତ ଜୀବନ ବହୁତ ଖୁସି ଥିଲା । ମତେ ନେଇ ସେ ସବୁବେଳେ ଖୁସିରେ ରହୁଥିଲେ ।  ଜଣେ ସମାଜସେବୀଙ୍କୁ ବାହା ହେବେ ବୋଲି ପିଲାଟିବେଳୁ ଇଚ୍ଛା ଥିଲା । ଗତ ବର୍ଷ ଡିସେମ୍ବର ବେଳେ ଫେସବୁକ୍‌ରେ ତାଙ୍କ ସମାଜ ସେବା ସମ୍ପର୍କରେ ଜାଣିବାକୁ ପାଇଲି । ଆଦିତ୍ୟଙ୍କୁ ଦେଖି କରିବାକୁ ‘ହାପି ହୋମ୍‌’ ବୃଦ୍ଧାଶ୍ରମକୁ ୩ ଥର ଆସିଛି । ଫେରିକି ଯାଇଛି । ପରେ ଉଭୟ ପରିବାରଙ୍କ ସହମତିରେ ଆମର ବିବାହ ହୋଇଥିଲା । ବିବାହ ପରଠୁ ଶାଶୁ ଶଶୁର ଆମ ସହ ରହୁଥିଲେ । ୨୯ ତାରିଖରେ ଆଦିତ୍ୟଙ୍କ ମାଉସୀ ପୁଅଙ୍କ ଦୁର୍ଘଟଣା ହୋଇଥିଲା ।  ତାଙ୍କୁ ଦେଖା କରିବାକୁ ଉଭୟ ଶାଶୁ ଶଶୁର ଗାଁକୁ ପଳାଇଥିଲେ । ସେମାନେ ଭୋର ବେଳା ବସ୍‌ଷ୍ଟାଣ୍ଡରେ ପହଞ୍ଚିଥିଲେ । କିନ୍ତୁ ତାଙ୍କୁ ବସ୍‌ଷ୍ଟାଣ୍ଡରୁ ଆଣିବାକୁ ତାଙ୍କ ପୁଅ ଆଉ ଦୁନିଆରେ ନଥିଲେ । ତାଙ୍କ ସମାଜସେବାକୁ ନେଇ କିଛି ଗୋଷ୍ଠୀ ଖୁସି ନଥିଲେ । ପୁଲିସ ଏହି ଦିଗକୁ ନେଇ ଖୋଳତାଡ କରୁ । ତାଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ିବ ।

ସେପଟେ ଆଦିତ୍ୟ ଆତ୍ମହତ୍ୟା କରିଥିବା ସନ୍ଦେହକୁ ପରିବାର ଲୋକ ଆଦୌ ବିଶ୍ୱାସ କରି ପାରୁନାହାନ୍ତି । ତାଙ୍କ ବାପା ନନ୍ଦକିଶୋର କହିଛନ୍ତି, ମଦ ବିରୋଧୀ ଅଭିଯାନରେ ଆଦିତ୍ୟ ନିଜକୁ ସାମିଲ କରିଥିଲା । ୨୦୧୯ ମସିହା ଅଗଷ୍ଟରେ ସେ ୧୨ ଦିନ ପାଇଁ ଅନଶନରେ ବସିଥିଲା । ଏତିକିବେଳେ କିଛି ଧମକଭରା ଫୋନ୍‌ କଲ୍‌ ଆସୁଥିବା ପୁଅ କହୁଥିଲା । ତାକୁ କେହି ପିଟି ପିଟି ହତ୍ୟା କରି ରେଳଲାଇନ୍‌ରେ ଫିଙ୍ଗି ଦେଇଛି । ଏହାଛଡ଼ା ତାଙ୍କ ସମ୍ପର୍କୀୟ ଭାଇ ମଧ୍ୟ ସମାନ ପ୍ରଶ୍ନ ଉଠାଇଛନ୍ତି । ମଦ ବିରୋଧୀ ଅଭିଯାନରେ ଆଦିତ୍ୟ ଅନ୍ୟତମ ଯୋଦ୍ଧା ପାଲଟିଥିବାରୁ ତାଙ୍କର ଅନେକ ଶତ୍ରୁ ପାଲଟିଥିବା ସେ ଏକ ପ୍ରେସ୍‌ମିଟ୍‌ରେ କହିଛନ୍ତି । ପୁଲିସ ଉଚ୍ଚସ୍ତରୀୟ ତଦନ୍ତ କଲେ, ପ୍ରକୃତ ଚିତ୍ର ସାମ୍ନାକୁ ଆସିବ ବୋଲି ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.