ଶାହିନ ବାଗ୍ରେ ବଢିଲା ପୋଲିସ ଗତିବିଧି, ସୁରକ୍ଷା କଡାକଡି
1/03/2020 at 5:06 PM

ନୂଆଦିଲ୍ଲୀ ୧।୩: ଦକ୍ଷିଣ-ପୂର୍ବ ଦିଲ୍ଲୀ ଶାହିନବାଗରେ ରବିବାର ପୋଲିସ ଗତିବଧି ବଢିବା ପ୍ରଦର୍ଶନକାରୀଙ୍କୁ ଆତଙ୍କିତ କରିଛି। ତେବେ ସତର୍କତା ସ୍ୱରୂପ ପୋଲିସ ସେଠାରେ ସୁରକ୍ଷା କଡାକଡି କରିଥିବା ଡିସିପି ଆର.ପି. ମିଣା କହିଛନ୍ତି। ଦକ୍ଷିଣପନ୍ଥୀ ସମୂହ ହିନ୍ଦୁ ସେନା ଶନିବାର ଶାହିନବାଗ୍ ଖାଲି କରିବାକୁ ଆହ୍ୱାନ ଦେଇଥିଲା। ଏଥିଲାଗି ଏକ ଶୋଭାଯାତ୍ରା ଆୟୋଜନ ମଧ୍ୟ କରିଥିଲା। ତେବେ ମାମଲାରେ ପୋଲିସ ହସ୍ତକ୍ଷେପ କରିବା ଯୋଗୁ କାର୍ଯ୍ୟକ୍ରମ ବାତିଲ ହୋଇଛି।

ତେବେ ଶନିବାରର ଘଟଣା ପୋଲିସକୁ ଏଠାରେ ଅଧିକ ସତର୍କ କରାଇଦେଇଛି। ଏଣୁ ରବିବାର ଶାହିନବାଗରେ ଅଧିକ ସୁରକ୍ଷା ବଳଙ୍କୁ ମୁତୟନ କରାଯାଇଥିବା ମିଣା କହିଛନ୍ତି। ସୂଚନା ଅନୁସାରେ ଏଠାରେ ୨ ପ୍ଲାଟୁନ ମହିଳା ଫୋର୍ସଙ୍କ ସମେତ ମୋଟ ୧୨ ପ୍ଲାଟୁନ ଫୋର୍ସ ଏବେ ମୁତୟନ ଅଛନ୍ତି। ତେବେ ଶାହିନ ବାଗ ଆରମ୍ଭ ଦିନରୁ ଏଠାରେ ଏତେ ସଂଖ୍ୟକ ଫୋର୍ସ ନଥିବା ବେଳେ ଅଚାନକ ଏଭଳି ମୁତୟନ ବିକ୍ଷୋଭକାରୀଙ୍କୁ ଆତଙ୍କିତ କରିଛି।
Press Release to call off the 1st March 2020 Shaheen Bagh protest site clearance call. pic.twitter.com/J5JSQVhpYL
— Vishnu Gupta🕉 (@VishnuGupta_HS) February 29, 2020
ସେପଟେ ହିନ୍ଦୁ ସେନା ଶାହିନବାଗ୍ ହଟାଓ ଅଭିଯାନ ପୋଲିସ ଚାପ ଯୋଗୁ ପ୍ରତ୍ୟାହାର କରିଥିବା କହିଛି। ରବିବାର ଏଠାରେ ବିକ୍ଷୋଭ ଲାଗି ହିନ୍ଦୁ ସେନା ଅନୁମତି ମାଗିଥିଲା। ତେବେ ଏଥିଲାଗି ପୋଲିସ ଅନୁମତି ଦେଇ ନଥିବା ବେଳେ କୌଣସି ପ୍ରକାର କାର୍ଯ୍ୟକ୍ରମ ଆୟଜନ ନ କରିବାକୁ ଚାପ ପକାଇଥିବାର ସେନା ପକ୍ଷରୁ ଏକ ବୟାନରେ କୁହାଯାଇଛି। ଗତ ଡିସେମ୍ବର ୧୫ ତାରିଖରୁ ସିଏଏ ବିରୋଧରେ ଅକୁପାଏ ଶାହିନବାଗ୍ ଆନ୍ଦୋଳନ ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଜାରି ରହିଛି।