ବିବାହର ୬ମାସ ହେଇନି ଉଜୁଡ଼ି ଗଲା ସଂସାର ,ସ୍ତ୍ରୀକୁ ହତ୍ୟାକଲା ପରେ ଓଢ଼ଣାରେ ଝୁଲି ପଡ଼ିଲା ପୋଲିସ ସ୍ଵାମୀ

Published By : Prameya-News7 Bureau | March 13, 2019 IST

ବାଗପତ ୧୩/୩- ବିବାହର ମାତ୍ର ୬ମାସ ହୋଇନି ଉଜୁଡ଼ିଗଲା ସଂସାର । ଜଣେ ସିପାହୀ ସ୍ଵାମୀ ନିଜ ସ୍ତ୍ରୀକୁ ହତ୍ୟା କରିବା ପରେ ନିଜେ ଝୁଲିପଡ଼ିଛି ଫ୍ୟାନରେ ।

ବାଗପତ ପୋଲିସ ଲାଇନରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବିରେନ୍ଦ୍ର ନାମକ ଜଣେ ପୋଲିସ ସିପାହୀ ଏହି ଘଟଣାରେ ନିଜେ ମୂଖ୍ୟ ଅଭିଯୁକ୍ତ ।

ବିରେନ୍ଦ୍ର ମଧ୍ୟ ଜ୍ୟୋତି ନାମକ ଜଣେ ମହିଳା ପୋଲିସ କନେଷ୍ଟବଳଂକୁ ବିବାହ କରିଥିଲେ । ବିବାହ ମାତ୍ର ଛଅମାସ ପୂର୍ବେ ହୋଇଥିଲା । ବିରେନ୍ଦ୍ର ଓ ଜ୍ୟୋତି ଏକା ଥାନାରେ ମଧ୍ୟ ଚାକିରୀ କରୁଥିଲେ । ଉଭୟଙ୍କ ବିବାହ ଘରଲୋକଙ୍କ ସହମତିରେ ହୋଇଥିଲା । କିନ୍ତୁ ବିରେନ୍ଦ ୬ ସହ ଜ୍ୟୋତିଙ୍କର ବୁଝାବଣା ସବୁବେଳେ ଠିକ ରହୁ ନଥିଲା ।

ଘଟଣାଦିନ ବିରେନ୍ଦ୍ର ଓ ଜ୍ୟୋତି ଅଲଟ୍ରାସାଉଣ୍ଡ କରିବାକୁ ଯାଇଥିଲେ । ଏହିକଥା ଜ୍ୟୋତି ତାଙ୍କ ପରିବାର ଲୋକଙ୍କୁ ଫୋନ କରି କହିଥିବା କଥା ଜଣାଯାଇଛି । ସେମାନେ ଘରକୁ ଫେରିବା ପରେ ଏହି ଅଭାବନୀୟ ଘଟଣା ଘଟିଥିଲା । କୌଣସି କାରଣରୁ ଉଭୟ ସ୍ଵାମୀ-ସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହି କାରଣରୁ ବିରେନ୍ଦ୍ର ନିଜ ସ୍ତ୍ରୀର ତଣ୍ଟିଚିପି ହତ୍ୟା କରିଥିଲେ ।

ହତ୍ୟା କରିବାପରେ ଶବ ପାଖରେ ବହୁତ ସମୟ ପର୍ଯ୍ୟନ୍ତ ବସି ରହିଥିଲା ବିରେନ୍ଦ୍ର । ଡ଼ାଏରୀରେ ଲେଖିଥିଲା ସୁସାଇଡ଼ ନୋଟ୍ । ଏଥିରେ ନିଜର ଭଉଣୀ-ଭିଣୋଇଙ୍କୁ ଦୋଷୀ କରିବା ସହ ମଉସା-ମାଉସୀଙ୍କୁ ମଧ୍ୟ ଦୋଷୀ କରିଥିଲା । ଜ୍ୟୋତି ନାଁରେ ଏଣୁତେଣୁ କଥା କହୁଥିବାରୁ ସେ ଜ୍ୟୋତିକୁ ଭୁଲ ବୁଝିଥିଲା । ସେହି କାରଣରୁ ଜ୍ୟୋତି ସହିତ ବୁଝାବଣା ଠିକ ରହୁ ନଥିଲା । ଫଳରେ ସେ ଜ୍ୟୋତିକୁ ମାରିବାକୁ ବାଧ୍ୟ ହୋଇଥିଲା ।

ଜ୍ୟୋତିକୁ ହତ୍ୟା କରିବା ପରେ ବିରେନ୍ଦ୍ର ଓଢ଼ଣାରେ ଫାଶି ଲଗାଇ ନିଜେ କରିଥିଲା ଆତ୍ମହତ୍ୟା । ବିରେନ୍ଦ୍ର ଓ ଜ୍ୟୋତିର ମୃତଦେହ ଜବତ କରିବାବେଳେ ପୋଲିସ ଉଦ୍ଧାର କରିଥିବା ସୁସାଇଡ଼ ନୋଟକୁ ଆଧାର କରି ତଦନ୍ତ ଚଳାଇଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.