Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶ୍ରମିକଙ୍କ ପାଇଁ ଆଗକୁ ଆସିଲା ପୋଲିସ , ଆଉ ଚାଲି ଚାଲି ଯିବେନି ଶ୍ରମଜୀବୀ, ଆତିଥ୍ୟ ସହ ଯିବାର ବନ୍ଦୋବସ୍ତ କରିବାକୁ ପ୍ରତିଶୃତି ଦେଲେ ଡିଜିପି

16/05/2020 at 2:09 PM

ଭୁବନେଶ୍ୱର ୧୬/୫: ଓଡ଼ିଶା ସୀମା ଭିତରେ ଆଉ କୌଣସି ଶ୍ରମିକ ଚାଲି ଚାଲି ଯିବେନି । ସେମାନେ ଯେଉଁ ରାଜ୍ୟର ହୋଇ ଥାନ୍ତୁନା କାହିଁକି, ଓଡ଼ିଶା ସୀମାରେ ପ୍ରବେଶ କଲେ ସେମାନଙ୍କ ଖାଇବା ପିଇବା ସହ ଯିବାର ବନ୍ଦୋବସ୍ତ ରାଜ୍ୟ ସରକାର କରିବେ । ଗୀତଗୋବିନ୍ଦ ଭବନରେ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ ହେଉଥିବା ନିୟମିତ ବୁଲେଟିନ୍‌ରେ ପୁଲିସ ଡିଜି ଅଭୟ ଏହି ସୂଚନା ଦେଇଛନ୍ତି ।  

ଡିଜି ଶ୍ରୀ ଅଭୟ କହିଛନ୍ତି, ଓଡ଼ିଶା ଭିତରେ ଯେଭଳି କୌଣସି ରାଜ୍ୟର ଶ୍ରମିକ ଚାଲି ଚାଲି ନ ଯିବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ଓଡ଼ିଶାର ଶ୍ରମିକମାନେ ଯଦି ରାଜ୍ୟର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାକୁ ଚାହୁଁଥାନ୍ତି, ତେବେ ସେମାନଙ୍କ ନିମନ୍ତେ ମଧ୍ୟ ସରକାରଙ୍କ ପକ୍ଷରୁ ଯାତାୟାତର ଆବଶ୍ୟକ ବନ୍ଦୋବସ୍ତ କରାଯିବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ଆବଶ୍ୟକ ଅର୍ଥ ପୁଲିସକୁ ଯୋଗାଇ ଦିଆଯାଇଛି । ଡିଜି ଶ୍ରୀ ଅଭୟ ଆହୁରି କହିଛନ୍ତି, ରାଜ୍ୟର ୧୨ଟି ଚେକ୍‌ ପଏଣ୍ଟ୍‌ ବାଟ ଦେଇ ଏବେ ଗାଡ଼ିରେ ଓ ଚାଲିଚାଲି ନିଜ ରାଜ୍ୟକୁ ଯାଉଛନ୍ତି। ଏଣିକି ସମସ୍ତଙ୍କୁ ଓଡ଼ିଶା ସୀମା ଭିତରେ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାର ବନ୍ଦୋବସ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।  

ଯଦି କୌଣସି ଶ୍ରମିକ ବା ଲୋକ ଚାଲିଚାଲି ଆସୁଥାନ୍ତି, ସେମାନେ ଚାହିଁଲେ ନିକଟସ୍ଥ ଥାନାରେ ପହଞ୍ଚି ପୁଲିସର ସହାୟତା ନେଇ ପାରିବେ । ପୁଲିସ ସେମାନଙ୍କୁ ଓଡ଼ିଶା ସୀମାରେ ପହଞ୍ଚିବାର ବ୍ୟବସ୍ଥା କରିବ । ଏବେ କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାରେ ଏଥିପାଇଁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି । ଯଦି କେହି ଶ୍ରମିକ ରହିଥାନ୍ତି ଓ ଚାଲିଚାଲି ଅବା ସାଇକେଲରେ ଯାଉଥାନ୍ତି ତେବେ ସେମାନଙ୍କ ପରିବହନର ବନ୍ଦୋବସ୍ତ କରାଯିବ । ଅନ୍ୟ ରାଜ୍ୟର ଶ୍ରମିକ ଓ ଲୋକମାନଙ୍କୁ ମଧ୍ୟ ଓଡ଼ିଶା ଭିତରେ ଆବଶ୍ୟକ ସୁବିଧାସୁଯୋଗ ଯୋଗାଇ ଦିଆଯିବ ବୋଲି ଡିଜି ଶ୍ରୀ ଅଭୟ କହିଛନ୍ତି ।  

ରାଜ୍ୟର ଗିରିଶୋଳା, କୋରେଡ଼ା ଓ ସୋହେଲା ଗେଟ୍‌ ଦେଇ ଏବେ ଅଧିକାଂଶ ଦାଦନ ଶ୍ର୍ରମିକ ଆସୁଛନ୍ତି । ସେସବୁ ସ୍ଥାନରେ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ରାଜ୍ୟର ୧୨ଟି ରୁଟ୍‌ ଦେଇ ମୋଟ ୪,୩୭୨ଟି ଯାନ ଓଡ଼ିଶା ଭିତରକୁ ଆସିଥିବା ଡିଜି ଶ୍ରୀ ଅଭୟ ସୂଚନା ଦେଇଛନ୍ତି ।

   Related Posts