୭ ମାସ ଧରି କୋମାରେ ଥିଲେ ଯୁବକ, ହୋସ୍ ଆସିବା ପରେ ଗିରଫ କରିନେଲା ପୋଲିସ

Published By : Prameya-News7 Bureau | January 23, 2021 IST

ସିଡନୀ, ୨୩।୦୧ :  ଅଷ୍ଟ୍ରେଲିଆର ଜଣେ ୨୧ ବର୍ଷୀୟ ଯୁବକ ୭ ମାସ ପରେ କୋମାରୁ ବାହାରକୁ ଆସିଥିଲେ । କିନ୍ତୁ କୋମାରୁ ବାହାରିବା ପରେ ତାଙ୍କୁ ତୁରନ୍ତ ପୋଲିସ ଗିରଫ କରିନେଇଥିଲା । କାରଣ ଯୁବକଙ୍କ ଉପରେ ନିଜ ବାନ୍ଧବୀଙ୍କୁ ହତ୍ୟା କରିବା ନେଇ ଅଭିଯୋଗ ରହିଥିଲା । ସେ ନିଜ ମଧ୍ୟ ହତ୍ୟା ଦିନ ୪ ମହଲା କୋଠାରୁ ପଡିଯାଇଥିଲେ । ଗତ ୭ ମାସ ଧରି ସେ କୋମାରେ ଥିବା ବେଳେ ତାଙ୍କର ଚିକିତ୍ସା ଚାଲିଥିଲା ।

ଦକ୍ଷିଣ ସିଡନୀରେ ରହୁଥିବା ଏହି ବ୍ୟକ୍ତି ଗତ ବର୍ଷ ଜୁନରେ ନିଜ ଆପାର୍ଟମେଣ୍ଟର ବାଲକୋନୀରୁ ତଳକୁ ଖସି ପଡିଥିଲେ । ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା । ସେ କୋମାକୁ ଚାଲିଯାଇଥିଲେ । ପୋଲିସ ତାପର ଦିନ ଆପାର୍ଟମେଣ୍ଟରେ ପହଁଚିବା ପରେ ସେଠାରେ ୧୯ ବର୍ଷୀୟା ଜଣେ ଯୁବତୀଙ୍କ ମୃତଦେହ ଦେଖିଥିଲା । ଯୁବକଜଣଙ୍କ ଯୁବତୀଙ୍କୁ ମାଡ ମାରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।

ତେବେ ଯୁବକଜଣଙ୍କ ନିଜେ ତଳକୁ ଡେଇଁ ପଡିଥିଲେ କିମ୍ବା ଭୁଲରେ ପଡିଯାଇଥିଲେ ତାହା ସ୍ପଷ୍ଟ ହୋଇପାରି ନାହିଁ । ପୋଲିସ ଅଧିକାରୀଙ୍କ କହିବାନୁସାରେ, ଯୁବକଟି ବହୁତ ଭାଗ୍ୟଶାଳୀ ଅଟେ । କାରଣ ସେ ବଞ୍ଚିଛନ୍ତି । ତେବେ ମୃତ ଯୁବତୀଙ୍କ ଘରଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ନିଜ ଝିଅର ଅନ୍ତିମ ସଂସ୍କାର ପାଇଁ ମଧ୍ୟ କରୋନା କଟକଣା ଯୋଗୁଁ ସାମିଲ ହୋଇପାରି ନଥିଲେ ।

ସୂଚନାଯୋଗ୍ୟ, ଉଭୟ ଯୁବକ ଓ ଯୁବତୀ ଚୀନର ବାସିନ୍ଦା । ସେମାନେ ଷ୍ଟୁଡେଣ୍ଟ ଭିସାରେ ଅଷ୍ଟ୍ରେଲିଆ ଆସିଥିଲେ । ପୋଲିସ ଯୁବକଙ୍କୁ ଗିରଫ କରି ଜେଲ୍ ପଠାଇଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.