ଦାଦାବଟି ମାଗି ଦାଦା ଗିରଫ : ଦୁଇ ଦିନରେ ହାଜତରେ ୧୫, ଅଧିକ ଆକ୍ସନ ପାଇଁ ହେଲ୍ପ ଲାଇନ୍‌ ନମ୍ବର ଜାରି କରିବ କମିଶନରେଟ୍‌ ପୋଲିସ

Published By : Prameya-News7 Bureau | October 19, 2020 IST

ଭୁବନେଶ୍ୱର ୧୯।୧୦:  ଲୋକାଲ ଦାଦାଙ୍କୁ ଆଉ ମାଫ୍‌ ନାହିଁ । ଆକ୍ସନରେ ‘ଆଣ୍ଟି-ଏକ୍ସଟର୍ସନ୍‌ ଟାସ୍କ ଫୋର୍ସ’ । ଟୁଇନ୍‌ସିଟିରେ ଦୁଇଦିନ ହେଲା ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳୁଛି । ‘ଦାଦାବଟିକୁ ନା’ ନାମକ ଏକ ଅଭିଯାନର ଆରମ୍ଭ  କରିଛି କମିଶନରେଟ୍ ପୋଲିସ । ଏହି ଅଭିଯାନ ଦ୍ୱାରା ବଟି ଆଦାୟ କରୁଥିବା ଲୋକାଲ ଦାଦାମାନଙ୍କୁ ସାବାଡ଼ କରିବା ପାଇଁ ଏହି ଅଭିଯାନର ଆରମ୍ଭ କରାଯାଇଛି । ପ୍ରଥମ ଦିନରେ ୧୩ ଜଣଙ୍କ ପରେ ଦ୍ବିତୀୟ ଦିନରେ ୪ ଜଣ ଲୋକାଲ ଦାଦା ଏବେ ପୁଲିସ ପଞ୍ଝାରେ ପଡିଛନ୍ତି । ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ପୁଲିସ (ୟୁପିଡି)ର ବିଭିନ୍ନ ଥାନା ଅଞ୍ଚଳରୁ ୪ଜଣଙ୍କୁ ଗିରଫ କରାଯାଇଥିବା ଡିସିପି ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ,  ଖଣ୍ଡଗିରି ଥାନା ପୁଲିସ୍‌ ବରମୁଣ୍ଡା ଅଞ୍ଚଳର ବାପି ମଙ୍ଗରାଜକୁ ଗିରଫ କରିଛି। ବାପିଙ୍କ ନାଁ ପୂର୍ବରୁ ଖଣ୍ଡଗିରି ଥାନାରେ ଏକାଧିକ ଅପରାଧିକ ମାମଲା ରହିଛ । ସେ ଜାଗମରା ଛକରେ ଥିବା ଏକ ବ୍ୟବସାୟିକ ପ୍ରତିଷ୍ଠାନରୁ ଦଶହରା ପୂଜା ବାବଦକୁ ବଟି ମାଗୁଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ  ଆଧାରରେ ପୁଲିସ ତାଙ୍କୁ ଘରୁ ଉଠାଇ ଆଣିଛି । ସେହିପରି ଶନିବାର ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଦାଦାବଟି ଆଦାୟ କରୁଥିବା ୪ଜଣଙ୍କୁ ଗିରଫ କରାଯାଇଥିଲା । ମୋଟ ଦୁଇଦିନରେ ୧୫ରୁ ଦାଦାଙ୍କୁ ପୁଲିସ ହାଜତରେ ପୁରାଇ ସାରିଲାଣି ।

ସେହିପରି ଚନ୍ଦ୍ରଶେଖରପୁର ଥାନା ପୁଲିସ ମୈତ୍ରୀବିହାରରୁ ରମେଶ କୁମାର ପାତ୍ରଙ୍କୁ ଗିରଫ କରିଛି । ମୈତ୍ରୀବିହାରର ଏକ ରେଷ୍ଟୁରାଣ୍ଟ ମାଲିକଙ୍କୁ ସେ ବଟି ମାଗିବା ସହ ମାରଧର କରିଥିବା ନେଇ ଅଭିଯୋଗ ହୋଇଥିଲା । ରମେଶଙ୍କୁ କୋର୍ଟଚାଲାଣ କରାଯିବ । ଜଟଣୀ ଥାନା ପୁଲିସ ଉକ୍ତ ଅଞ୍ଚଳରେ ବାପି ଓରଫ୍‌ ସ୍ମୃତିରଞ୍ଜନ ସାମନ୍ତଙ୍କୁ ଗିରଫ କରିଛି । ଜଟଣୀ ଓ ଏହାର ଉପକଣ୍ଠରେ ନିର୍ମାଣଧୀନ ଆପାର୍ଟମେଣ୍ଟ ଓ ବିଲ୍ଡିଂର ମାଲିକଙ୍କୁ ଦାଦାବଟି ମାଗୁଥିବା ନେଇ ବାପି ନାଁରେ ଥାନାରେ ଏକାଧିକ ଅଭିଯୋଗ ରହିଛି । ଗତବର୍ଷ ଡିସେମ୍ବର ୧୯ ତାରିଖରେ ହୋଇଥିବା ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି ।

ସେହିପରି କମିଶନରେଟ୍‌ ପୁଲିସ ପକ୍ଷରୁ ଏନେଇ ଏକ ହେଲ୍ପ ଲାଇନ୍‌ ନମ୍ବର ଜାରି ହେବ । ଲୋକାଲ ଦାଦାଙ୍କ ଶିକାର ହେଉଥିବା ନିରୀହ ଜନତା ଏହା ଜରିଆରେ ଅଭିଯୋଗ କରିବାକୁ ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ ଅନୁରୋଧ କରିଛନ୍ତି। ତେଣୁ ଆଗକୁ ଅଭିଯୋଗ ବଢ଼ିବା ସହ ପୁଲିସର ଆକ୍ସନ ବି ବଢ଼ିବ ବୋଲି ଆଶା ରହିଛି ।

କାହିଁକି ଉଠିଲା‌ ‘ଦାଦାବଟି’ ବିରୋଧୀ ଅଭିଯାନ ?

‘ଦାଦାବଟିକୁ ନା’ ଏହି ଅଭିଯାନ ପଛରେ ପଟିଆ ଅଞ୍ଚଳରେ ଜଣେ ଅବସରପ୍ରାପ୍ତ ସରକାରୀ ଚାକିରିଆଙ୍କ ଦୁଃଖ କାହାଣୀ ରହିଛି । ସାଢ଼େ ୩ ବର୍ଷ ତଳେ ସେ ପଟିଆ ଅଞ୍ଚଳରେ ଏକ ଜମି କିଣିଥିଲେ । ସେଠାରେ ବିଲ୍ଡିଂ ବନାଇବା ବେଳେ ଲୋକାଲ ଦାଦାଙ୍କ ଆକ୍ରୋଶର ଶିକାର ହୋଇଥିଲେ । ସମ୍ପୃକ୍ତ ଅସାମାଜିକ ବ୍ୟକ୍ତି ଜଣକ ତାଙ୍କଠାରୁ ବାଲି, ଗୋଡି, ସିମେଣ୍ଟ କିଣିବାକୁ ଧମକ ଦେଇଥିଲା । ଏମିତିକି ଏଠାରେ ଘର କରିବାକୁ ହେଲେ, ମାସିକିଆ ବଟି ଦେବାକୁ ପଡିବ ବୋଲି ଶୁଣାଇଥିଲା । ଏନେଇ ବୃଦ୍ଧଜଣକ ଇନ୍‌ଫୋସିଟି ଥାନାରେ ଅନେକ ଥର ଅଭିଯୋଗ କରିଥିଲେ । ଡିସିପି ଓ ସିପିଙ୍କ ଅଫିସକୁ ଏକାଧିକ ଥର ଦୌଡିଥିଲେ । ୟା ଭିତରେ ୩ ବର୍ଷ ବିତିଗଲା । କିନ୍ତୁ କିଛି ସୁଫଳ ମିଳିଲାନି ।

ଗତମାସରେ ସମ୍ପୃକ୍ତ ବୃଦ୍ଧଜଣକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିଗୋଚର ହେବା ପରେ ତୁରନ୍ତ ଏଭଳି ଅସାମାଜିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ପୁଲିସ ବାହିନୀକୁ ଏମିତି ନିର୍ଦ୍ଦେଶ ବି ମିଳିଛି, ଯଦି ଏଭଳି ଅଭିଯୋଗ କୌଣସି ରାଜନୈତିକ ଦଳର ନେତା, ପୂର୍ବତନ କର୍ପୋରେଟର, ବିଧାୟକ କିମ୍ବା ମନ୍ତ୍ରୀ ବିରୋଧରେ ଆସୁଛି । ସେମାନଙ୍କ ବିରୋଧରେ ମଧ୍ୟ ଆକ୍ସନ ନିଅ ।

ସରକାରଙ୍କ ନିର୍ଦ୍ଦେଶ ପରେ ଦାଦାବଟି ରୋକିବାକୁ କମିଶନରେଟ୍‌ ପୁଲିସ ଜୋର୍‌ ଲଗାଇଛି । ବିଶେଷ କରି ଟୁଇନ୍‌ ସିଟିରେ ଦାଦାବଟି ବଢ଼ୁଥିବା ନେଇ ଅଭିଯୋଗ ହେଉଥିଲା । ଏହି ସୂଚନା ଆଧାରରେ ଚୋରି ଓ ବଟି ଆଦାୟ ରୋକିବାକୁ ତିଆରି ହୋଇଛି ବ୍ଲୁ-ପ୍ରିଣ୍ଟ । ଅସାମାଜିକ, ଖଣି ଓ ଜମି ମାଫିଆଙ୍କ ସହ ଲୋକାଲ୍‌ ଦାଦାଙ୍କ ତାଲିକା ପ୍ରସ୍ତୁତ ଚାଲିଛି । ଦୁଇ ଶହରୁ ଅଧିକ ଅସାମାଜିକଙ୍କୁ ଚିହ୍ନଟ କରାଯାଇଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି ।
କମିଶନରେଟ ପୁଲିସର “ଦାଦାବଟିକୁ ନା’ ଅଭିଯାନକୁ ଭୁବନେଶ୍ୱରର ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ସ୍ୱାଗତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.