ଧମକ ଚିଠିପରେ ବଢିଲା ସୁରକ୍ଷା, ମୁଖ୍ୟମନ୍ତ୍ରୀ ଯିବା ରାସ୍ତାରେ ମାଳ ମାଳ ପୋଲିସ

Published By : Prameya-News7 Bureau | September 04, 2018 IST

ଭୁବନେଶ୍ବର୪|୯: ଛତିଶଗଡ ଜେଲ୍ ଭିତରୁ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟାଧମକ ଆସିବା ପରେ ସଜାଗ ହୋଇପଡିଛି ରାଜ୍ୟ ପୋଲିସ । ଆଜି ବିଧାନସଭାକୁ  ମୁଖ୍ୟମନ୍ତ୍ରୀ  ଆସିବା ବେଳେ ରାସ୍ତା ସାରା ମାଳ ମାଳ ପୋଲିସ ପଇଁତରା ମାରୁଥିବା ଦେଖିବାକୁ ମିଳିଥିଲା । ୫୦କୋଟି ଟଙ୍କାର ଦରକାର ଅଛି । ଟଙ୍କା ନଦେଲେ ଜୀବନ ପ୍ରତି ବିପଦ। ଟଙ୍କା କେତେବେଳେ ଆଉ କେଉଁଠି ଦେବ ତାହା ପରବର୍ତ୍ତୀ ଚିଠିରେ ଜଣାଇ ଦିଆଯିବ । ଏହି ଭଳି କିଛି ହିନ୍ଦିରେ ଲେଖାଥିବା ଚିଠି  ଆସିଛି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନାଁରେ । ଚିଠି ପାଇବା ପରେ ରାଜ୍ୟ ପୋଲିସ ବିଭାଗ ତତ୍ପର ହୋଇ ଉଠିଛି । ପୋଲିସ ବିଭାଗ ଏହି ଚଠିଟି  ଛତିଶଗଡର ବିଳାସପୁର ଜେଲରେ ଥିବା ପୁଷ୍ପେନ୍ଦ୍ର ଚୌହାନ ପଠାଇଥିବା ଜାଣିବାକୁ ପାଇଛି । ଜେଲରେ ଥିବା ସଜା କାଟୁଥିବା ଜଣେ କଏଦୀ କିଭଳି ଚଠି ପଠାଇଲା ତାର ଛାନଭିନ କରିବାକୁ ଛତିଶଗଡ ପୋଲିସ ଡିଜିଙ୍କ ସହିତ ଯୋଗାଯୋଗ କରିଛି ରାଜ୍ୟ ପୋଲିସ ବିଭାଗ । ଚିଠି ମିଳିବା  ପରେ ମୁଖ୍ୟମନ୍ତ୍ରୀଙ୍କ ଯିବା ଆସିବା ରାସ୍ତାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା  ଦେଖିବାକୁ ମିଳିଥିଲା । ଆଜି ମୁଖ୍ୟମନ୍ତ୍ରୀ ବିଧାନସଭା ଆସିବା ବେଳେ ନିଜେ ପୋଲିସ ଡିଜିଙ୍କ ଦାୟିତ୍ବରେ ଥିବା କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟୟା ଉପସ୍ଥିତ ରହିଥିଲେ । ଏଥି ସହିତ ପୋଲିସ କମିଶନର ସତ୍ୟଜିତ ମହାନ୍ତି  ଭୁବନେଶ୍ବର ଡିସିପି  ଅନୁପ ସାହୁ  ଗୁଇନ୍ଦା ବିଭାଗ ଏସପି , ଟ୍ରାଫିକ ଡିସିପି ଏସିପି ଙ୍କ ସହିତ ବହୁ ପୋଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଥିଲେ । କିଏ ଏହି  ପୁଷ୍ପେନ୍ଦ୍ର ଚୌହାନ । ଜେଲ ଭିତରେ ଥାଇ ମଧ୍ୟ ଏଭଳି ଚିଠି ପଠାଇଲେ କିପରି । ପ୍ରାୟ ୫୦ରୁ ଉର୍ଦ୍ଧ ଅପରାଧିକ ମାମଲାରେ ଜଡିତ ପୁଷ୍ପେନ୍ଦ୍ର ୧୦ବର୍ଷ ଜେଲ ଦଣ୍ଡ ଭୋଗୁଥିବା ଜଣା ପଡିଛି । ତେବେ  ମୁଖ୍ୟମନ୍ତ୍ରୀଙ୍କ ପଞ୍ଚ ସ୍ତରିୟ  ସୁରକ୍ଷା ବଳୟ ଭେଦ କରି କେହି ତାଙ୍କୁ  ହତ୍ୟାକରିବା ସମ୍ଭବ ନୁହେଁ ବୋଲି ପୁର୍ବତନ ଡିଜି କହିଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ଅଧିକ ସତର୍କ ହୋଇଛି ପୋଲିସ। କିନ୍ତୁ ଏ ଚିଠି ପଛରେ ଆଉ କିଛି ରହସ୍ୟ ରହିଛି କି ଏହାର ମଧ୍ୟ ଖୋଳତାଡ଼ ଆରମ୍ଭ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.