କରୋନାର କରାଳ ଚିତ୍ର: ଆସିଲେନି ପୁଅ- ପରିବାର, କାନ୍ଧ ଦେଲା ପୋଲିସ, ମୁଖାଗ୍ନି ଦେଲା ଚାକର

Published By : Prameya-News7 Bureau | May 09, 2021 IST

ନୂଆଦିଲ୍ଲୀ ୯/୫: କରୋନା କାଳରେ ବହୁ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳୁଛି। କରୋନା ଭୟରେ ଅନ୍ତିମ ବିଦାୟ ବେଳେ ବି ନିଜର ଲୋକେ ସାଙ୍ଗରେ ଯାଉନାହାନ୍ତି। ଅନ୍ତିମ ସଂସ୍କାର ତ ଦୂରର କଥା ଶେଷ ଦେଖା କରୁନାହାନ୍ତି। କେହି ନିଜ ଜୀବନ ଭୟରେ ଯାଇପାରୁନାହାନ୍ତି ତ ଆଉ କିଏ ଯିବାକୁ ଚାହିଁଲେ ବି ଯାଇପାରୁ ନାହାନ୍ତି। କିନ୍ତୁ ଏହି ସମୟରେ ଦେବଦୂତ ହୋଇ ଛିଡ଼ା ହେଉଛି ପୋଲିସ। ଏମିତି ଏକ ଘଟଣା ଦକ୍ଷିଣ ଦିଲ୍ଲୀର ଗ୍ରେଟର କୈଳାଶ ପାର୍ଟ ଓ୍ବାନ୍‌ରେ ଘଟିଛି।

୭୦ ବର୍ଷୀୟ ସୁରେଶ କୁମାର ବୁଟା ନିଜ ଝିଅ ଏବଂ ନାତୁଣୀଙ୍କ ସହ ଗ୍ରେଟର କୈଳାଶ ପାର୍ଟ ଓ୍ବାନ ଅଞ୍ଚଳରେ ରହୁଥିଲେ। ତାଙ୍କର ପୂରା ପରିବାର କରୋନା ସଂକ୍ରମତି। ସୁରେଶ କୁମାରଙ୍କ ବ୍ୟତୀତ ପରିବାରର ଅନ୍ୟ ସଦସ୍ୟଙ୍କୁ କରୋନା। ବୋହୂଙ୍କ ଅବସ୍ଥା ଗରୁତର ଥିବା ବେଳେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କିଛି ଦିନ ହେଲା ବୃଦ୍ଧଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ଥିଲା। ଚାକରର କହିବା ଅନୁଯାୟୀ, ସେ ବୃଦ୍ଧଙ୍କୁ କବାଟ ପାଖରେ ଡାକିଥିଲେ। କିନ୍ତୁ ଦୀର୍ଘ ସମୟ କୌଣସି ଉତ୍ତର ନମିଳିବାରୁ ସେ କବାଟ ଭାଙ୍ଗି ଦେଇଥିଲେ। ପରେ ଦେଖିଲେ ବୃଦ୍ଧଙ୍କ ମୃତ୍ୟୁ ହୋଇସାରିଛି ।

ଏନେଇ ସେ ବୃଦ୍ଧଙ୍କ ପୁଅଙ୍କୁ ଜଣାଇଥିଲେ। ସେ କରୋନା ସଂକ୍ରମିତ ହୋଇଥିବାରୁ ଅନ୍ତିମ ସଂସ୍କାର ପାଇଁ ଆସିପାରିନଥିଲେ। ବାପାଙ୍କ ମୃତ୍ୟୁ ଖବର ପାଇବା ପରେ ତମାମ ସମ୍ପର୍କୀୟଙ୍କୁ କଲ କରିଥିଲେ। କିନ୍ତୁ କେହି ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ରାଜି ହୋଇନଥିଲେ। ଅସହାୟ ପୁଅ ପାଖ ପଡ଼ୋଶୀ ସମସ୍ତଙ୍କୁ କଲ୍‌ କରି ନୟାନ୍ତ ହେବା ପରେ ଶେଷରେ ସ୍ଥାନୀୟ ଏସଏଚଓଙ୍କୁ କଲ୍‌ କରି ସହାୟତା ମାଗିଥିଲେ।

ଗ୍ରେଟର କୈଳାଶ ପାର୍ଟ ଓ୍ବାନର ଏସଏଚଓ ରିତେଶ କୁମାର ତୁରନ୍ତ ନିଜ ଟିମ୍‌କୁ ପଠାଇ ଅନ୍ତିମ ସଂସ୍କାର କରାଇବାକୁ ନିର୍ଦେଶ ଦେଇଥିଲେ। ଦିଲ୍ଲୀ ପୋଲିସର ଏକ ଟିମ୍‌ ବୃଦ୍ଧଙ୍କୁ କୋକେଇରେ କାନ୍ଧ ଦେଇ ଶ୍ମଶାନ ଘାଟରେ ପହଞ୍ଚିଥିଲେ। ସେଠାରେ ହିନ୍ଦୁ ରୀତିନୀତିରେ ଅନ୍ତିମ ସଂସ୍କାର କରାଇଥିଲେ।  ସେପଟେ ପୁଅର କାର୍ଯ୍ୟ ଚାକର କରିଥିଲା। ବୃଦ୍ଧଙ୍କୁ ମୁଖାଗ୍ନି ଦେଲା ଚାକର। ଆତ୍ମୀୟ ପରିଜନ ହାତ ଟେକିଦେବା ପରେ ଶେଷରେ ଦିଲ୍ଲୀ ପୋଲିସ ବୃଦ୍ଧଙ୍କ ମର ଶରୀରକୁ କାନ୍ଧ ଦେବା ସହ ଚାକର ମୁଖାଗ୍ନି ଦେଲା। ଦିଲ୍ଲୀ ପୋଲିସର ମହାନତା ପାଇଁ ଚାରିଆଡ଼ୁ ପ୍ରଶଂସା ଛୁଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.