ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, ୧୦ କିଲୋରୁ ଅଧିକ ସୁନା ଜବତ : IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍

Published By : Prameya-News7 Bureau | November 26, 2020 IST

କଟକ ୨୬।୧୧: ବାହା ବେଦୀରୁ ବନ୍ଧା ହେଲେ ବ୍ୟାଙ୍କ୍ ମ୍ୟାନେଜର । କଟକ ବଜ୍ରକବାଟି ମାନାପୁରମ୍‌ ଗୋଲ୍ଡ ଲୋନ୍ ଶାଖାର ମ୍ୟାନେଜରଙ୍କୁ ବାନ୍ଧିଲା ପୋଲିସ । ସୁନା ହେରଫେର ମାମଲାରେ ମ୍ୟାନେଜର ପୀତାମ୍ବର ସାହୁଙ୍କୁ ପୋଲିସ ଗିରଫ କରିଛି । କଟକ ନୟାସଡକ ସ୍ଥିତ IIFLରୁ ଲୁଟ୍‌ ଘଟଣାରେ ଲିଙ୍କ୍ ଥିବା ନେଇ ପୋଲିସ ପୀତାମ୍ବରଙ୍କ ଘରେ ଚଢାଉ କରିଥିଲା । ଚଢାଉ ବେଳେ ୧୦ କିଲୋରୁ ଅଧିକ ସୁନା ପୋଲିସ ଜବତ କରିଥିବା ଜଣାପଡିଛି । ତେବେ ହଡପ ସୁନା ମାନାପୁରମ୍‌ ଗୋଲ୍ଡ ଲୋନ୍‌ରେ ରଖାଯାଇଥିବା ନେଇ ପୋଲିସ ସୁରାକ୍ ପାଇବା ପରେ ଛାନ୍‌ଭିନ୍ ଆରମ୍ଭ କରିଥିଲା ।

ପୂର୍ବରୁ କଟକ ନୟାସଡକ ସ୍ଥିତ IIFLଶାଖାରୁ ସୁନା ଲୁଟ୍ ଘଟଣାରେ ୭ ଜଣଙ୍କୁ ପୋଲିସ ଗିରଫ କରିସାରିଛି । ଏଥିସହ ୩ କିଲୋ ସୁନା ମଧ୍ୟ ଜବତ କରିଛି । IIFLରୁ ସୁନା ଲୁଟ୍ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟଙ୍କ ସହ ସହଯୋଗୀ ନୀଳିମା ଲେଙ୍କାଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ସୁନା ଲୁଟ୍ କରି ଅୟସ କରୁଥିଲା ଲାଲା ଅମ୍ରିତ ରାୟ । ଆଉ ଏଥିରେ ସହଯୋଗ କରିଥିଲେ IIFLର ଆକାଉଣ୍ଟାଣ୍ଟ ନୀଳିମା ଲେଙ୍କା ।

ତେବେ ବ୍ୟାଙ୍କ୍‌ରୁ ସୁନା ଲୁଟ୍ ପରେ ଅଡିଟ୍‌ରେ ଫାଙ୍କିବା ପାଇଁ ନକଲି ସୁନା ମିଶାଇଦେଇଥିଲା ଲାଲା । ହଡପ ଟଙ୍କାରେ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲା ଲାଲା । ଦାମୀ ଗାଡି ଚଢୁଥିଲା । ମନ ଇଚ୍ଛା ଖର୍ଚ୍ଚ କରୁଥିଲା । ତେବେ ସେ ଏବେ ନୁହେଁ କେବେଠୁ ବ୍ୟାଙ୍କରୁ ଟଙ୍କା, ସୁନା ହଡପ କରୁଥିଲା । ସେଥିପାଇଁ ବିଭିନ୍ନ ପନ୍ଥା ଆପଣାଇଥିଲା ଅଭିଯୁକ୍ତ ଲାଲା । ତଦନ୍ତରୁ ଜଣାପଡିଛି ଯେ, ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟକୁ ସିଧାସଳଖ ସହଯୋଗ କରୁଥିଲା ନୀଳିମା । ଲୁଟ୍ ଲିଙ୍କ୍‌ରେ ଲାଲାକୁ ନେଇ କଟକ ବଜ୍ରକବାଟି ମାନାପୁରମ୍‌ ଗୋଲ୍ଡ ଲୋନ୍ ଶାଖାରେ ଅଧିକ ତଦନ୍ତ କରିଥିଲା ପୋଲିସ । ତେବେ ସଂପୃକ୍ତି ଅଭିଯୋଗରେ ମାନାପୁରମ୍‌ ଗୋଲ୍ଡ ଲୋନ୍ ଶାଖାର ମ୍ୟାନେଜରକୁ ଗିରଫ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଗତ ଗୁରୁବାର ଦିନ କଟକ ନୟାସଡ଼କ ସ୍ଥିତ IIFL ଶାଖାରୁ ୨୦ କୋଟି ଟଙ୍କାର ସୁନା ଲୁଟିନେଇଥିଲେ ଦୁର୍ବୃତ୍ତ । ଲୁଟ୍‌ ସମୟରେ IIFLର ସିସିଟିଭ କାମ କରୁନଥିଲା । ଘଟଣାର ତଦନ୍ତ ଓ ଛାନ୍‌ଭିନ୍‌ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା । ବିଭିନ୍ନ ସ୍ଥାନରେ ମଧ୍ୟ ଚଢାଉ କରିଥିଲା ପୋଲିସ । ମାତ୍ର ୬ ଦିନ ପରେ ପୋଲିସ ଲୁଟ୍ ଘଟଣାର ପର୍ଦ୍ଦାଫାଶ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.