କେନ୍ଦ୍ରାପଡାରେ ମୋବାଇଲ୍ ଲୁଟେରାଙ୍କ ଗୁଳିମାଡରେ ଯୁବକ ଆହତ, ହେଲେ ପୋଲିସ କହୁଛି ଗୁଳିକାଣ୍ଡ ହୋଇନି

Published By : Prameya-News7 Bureau | August 27, 2019 IST

କେନ୍ଦ୍ରାପଡା ୨୭|୮: କେନ୍ଦ୍ରାପଡ଼ା ପାଲଟିଛି ଅପରାଧୀଙ୍କ ଚରାଭୂଇଁ । ମୋବାଇଲ୍ ଲୁଟେରାଙ୍କ ହାତରେ ବି ବନ୍ଧୁକ ଆଉ ଗୁଳି । ଗତ କାଲି  ତାରିଖ ସଂଧ୍ୟାରେ ମୋବାଇଲ୍ ଲୁଟେରାଙ୍କ ଗୁଳିରେ ଆହତ ହୋଇଛନ୍ତି ଡେରାବିଶ ଅଂଚଳର ଜଣେ ଯୁବକ । ହେଲେ ଏସପି ସାହେବ କହୁଛନ୍ତି କଣନା ଗୁଳିକାଣ୍ଡ ଘଟିନି । ପୋଲିସର ଏମିତି କୋହଳ ମନୋଭାବ  ପାଇଁ ଅପରାଧୀମାନେ ଏବେ ସାରା ଜିଲ୍ଲାରେ ବେଶ ସକ୍ରିୟ ।

{"id":149596}

କେନ୍ଦ୍ରାପଡ଼ା ଏବେ ପାଲଟିଛି କ୍ରାଇମ୍ କ୍ୟାପିଟାଲ । ଏଠି କଥା କଥାକେ ଫୁଟୁଛି ଗୁଳି   । ସାମନ୍ୟ କଥାରେ ହେଉଛି ରକ୍ତପାତ  । ପୋଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ସୃଷ୍ଟି କରୁଛନ୍ତି  ଅପରାଧୀ ।  ଗତ ସୋମବାର ଡେରାବିଶ ଅଞ୍ଚଳରେ ୩ ଜଣ ମୋବାଇଲ୍ ଲୁଟେରା ଜଗନ୍ନାଥ ବେହେରା ନାମକ ଜଣେ ଯୁବକଙ୍କୁ ଗୁଳିମାଡ କରି ଫେରାର ହୋଇ ଯାଇଛନ୍ତି ।

{"id":149597}

ମୋବାଇଲ୍ ଲୁଟେରାଙ୍କ ହାତରେ ବନ୍ଧୁକ ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।  ଅଗଷ୍ଟ ୧୪ରେ କଳପଡା ପୋଲ ଉପରେ ଠିକାଦାରଙ୍କ ଉପରକୁ ଆଖିବୁଜା ଗୁଳି କରି ଫେରାର ହୋଇଯାଇଥିଲେ ଅପରାଧୀ । ଗତ ଜୁଲାଇ ୧୩ରେ ଦଣ୍ଡାମୁଣ୍ଡ ଛକରେ ଯୁବ ବ୍ୟବସାୟୀ ବିବେକାନନ୍ଦ ମହାରଣାଙ୍କ ଉପରକୁ ଗୁଳିମାଡ ହୋଇଥିଲା । ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ୫ ଦିନ ବ୍ୟାପୀ କେନ୍ଦ୍ରାପଡାକୁ ଅଚଳ କରିଦେଇଥିଲେ ସ୍ଥାନୀୟ ଲୋକେ  ।

{"id":149598}

ଥାନା ଅଧିକାରୀଙ୍କ ସହ ମାସିକ କ୍ରାଇମ୍ ମିଟିଙ୍ଗ୍ କରି ଚୁପ୍ ବସି ପଡୁଛନ୍ତି ଜିଲ୍ଳା ଏସପି ।  ଦୁଇମାସ ମଧ୍ୟରେ ହୋଇଥିବା ତିନି ତିନିଟି ବଡ ଧରଣର ଗୁଳିକାଣ୍ଡରେ ପୋଲିସକୁ ସେମିତି କିଛି ସଫଳତା ମିଳିନି । କଳପଡ଼ା ଗୁଳିକାଣ୍ଡ ଘଟଣାରେ ଅପରାଧୀଙ୍କ ଛାଇ ମଧ୍ୟ ମାଡ଼ିପାରୁନି ପୋଲିସ  । ତେବେ ଦଣ୍ଡାମୁଣ୍ଡ ଗୁଳିକାଣ୍ଡ ଘଟଣାରେ ୪ ଜଣ ସୁପାରି କିଲରଙ୍କୁ ଧରି ବାହାବା ନେବାକୁ ଚେଷ୍ଟା କରୁଛି ପୋଲିସ ।   ସେପଟେ ଡେରାବିଶରେ ହୋଇଥିବା ଗୁଳିକାଣ୍ଡକୁ ଏସପି  ଅସ୍ବୀକାର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.