ମାସ୍କ ପିନ୍ଧି ନଥିବାରୁ ବିଧାୟକଙ୍କ ଚାଲାଣ କାଟିଲା ପୋଲିସ, ବିଧାୟକ ଧମକାଇଲେ ‘ଏବେ ତୁମେ ରହିବ ନହେଲେ ମୁଁ…’

Published By : Prameya-News7 Bureau | May 17, 2021 IST

କାନପୁର ୧୭।୫: କାନପୁରରେ ସମାଜବାଦୀ ପାର୍ଟି ବିଧାୟକ ଇରଫାନ ସୋଲାଙ୍କିଙ୍କୁ ନିଜ ସମର୍ଥକଙ୍କୁ ସମର୍ଥନ କରିବା ମହଙ୍ଗା ପଡିଛି । ପୋଲିସ ତାଙ୍କର ଜଣେ ସମର୍ଥକଙ୍କ ଚାଲାଣ କାଟିଥିଲା । ଏହାକୁ  ବିରୋଧ କରି ବିଧାୟକ ତାଙ୍କର ଅନ୍ୟ ସମର୍ଥକଙ୍କ ସହ ପୋଲିସ ଷ୍ଟେସନକୁ ଆସି ବିକ୍ଷୋଭ କରିଥିଲେ । ଏହାପରେ ପୋଲିସ ମାସ୍କ ପିନ୍ଧି ନଥିବାରୁ ବିଧାୟକଙ୍କର ଚାଲାଣ କାଟି ଦେଇଥିବା ଜଣାପଡିଛି ।

ପ୍ରକୃତରେ ରବିବାର ଦିନ ମୁଲଗଞ୍ଜ ଥାନା ଅଧିକାରୀ ଅଭିଷେକ ସୋନକର ଏବଂ ଫହିମ ଖାନ୍, ଇରଫାନ୍ ସୋଲାଙ୍କିଙ୍କ ଜଣେ ସମର୍ଥକଙ୍କର ଚାଲାଣ କାଟିଦେଇଥିଲେ । ଏହାପରେ ବିଧାୟକ ତାଙ୍କ ସମର୍ଥକଙ୍କ ସହ ଥାନାରେ ପହଞ୍ଚି ହୋହଲ୍ଲା କରିଥିଲେ । ସେହି ସମୟରେ ସେଠାରେ ଉପସ୍ଥିତ ଥିବା କୌଣସି ସମର୍ଥକଙ୍କ ମୁହଁରେ ମାସ୍କ ନଥିଲା । ବିଧାୟକ ନିଜେ ମାସ୍କ ପିନ୍ଧି ନ ଥିବାରୁ ପୋଲିସ ହଜାରେ ଟଙ୍କାର ଚାଲାଣ କାଟିଦେଲା । ଏହାପର ବିଧାୟକ ଚାଲାଣ କାଟିଥିବା ଦୁଇ ପୋଲିସ ଅଧିକାରୀଙ୍କୁ ଧମକ ଦେଇଥିଲେ । ବିଧାୟକ କହିଥିଲେ ‘ତୁମର ସାହାସ କିପରି ହେଲା ଚାଲାଣ କାଟିବାକୁ । ମୋତେ ଗାଁର ବିଧାୟକ ବୋଲି ଭାବନି । ଏବେ ତୁମେ ଦୁଇ ଜଣ ରହିବ ନହେଲେ ମୁଁ ରହିବି ।’

ସେପଟେ ପୋଲିସ କମିଶନର ଅସୀମ ଅରୁଣ ଚାଲାଣ କାଟିଥିବା ଦୁଇ ପୋଲିସ ଅଧିକାରୀ ଅଭିଷେକ ସୋନକର ଏବଂ ଫହିମ ଖାନଙ୍କୁ ହଜାରେ ଟଙ୍କା ଲେଖାଏଁ ପୁରସ୍କାର ଦେଇ ସମ୍ମାନୀତ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଇରଫାନ୍ ସୋଲାଙ୍କି କାନପୁରର ସିସାମଓ ବିଧାନସଭା ଆସନରୁ ସମାଜବାଦୀ ପାର୍ଟିର ବିଧାୟକ ଅଛନ୍ତି । ଇରଫାନ୍ ସୋଲାଙ୍କିଙ୍କ ନାଁ ଅନେକ ସମୟରେ ବିବାଦରେ ଥାଏ । ଇରଫାନ୍ଙ୍କ ବାପା ହାଜି ମୁଶତାକ କାନପୁର ସହରର ବଡ ନେତା ଥିଲେ ଏବଂ ମୁଲାୟମ ସିଂ ଯାଦବଙ୍କ ଘନିଷ୍ଠ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.