କର୍ତ୍ତବ୍ୟ ଆଗରେ ହାର୍‌ ମାନିଲା ଦୂରତା : ୬ଶହ କିମି ଚାଲି ଡ୍ୟୁଟିରେ ଯୋଗଦେଲେ ୫୯ ବର୍ଷିୟ କନେଷ୍ଟବଳ

Published By : Prameya-News7 Bureau | April 20, 2020 IST

ଗ୍ୱାଲିୟର ୨୦।୦୪: କରୋନାକୁ ହରାଇବା ପାଇଁ ଦେଶ ଏବେ ଲକ୍‌ଡାଉନ୍‌ରେ ଥିବା ବେଳେ କିଛି ଲୋକ ନିୟମ ଭାଙ୍ଗି ନିଜ ଓ ଅନ୍ୟ ଲାଗି ବିପଦ ସୃଷ୍ଟି କରୁଛନ୍ତି । କିନ୍ତୁ ୫୯ ବର୍ଷୀୟ ଜଣେ ହେଡ୍‌ କନେଷ୍ଟବଳ ୧୭ ଦିନ ଚାଲି ଚାଲି ଆସି ଡ୍ୟୁଟିରେ ଯୋଗଦେଇଛନ୍ତି । ବୟସ ୫୯ ବର୍ଷ ହୋଇଥିବା ସତ୍ତେ୍ୱ ସେ ଦୀର୍ଘ ୬୦୦ କିଲୋମିଟର ଚାଲି ଚାଲି ଆସି ପହଞ୍ଚିଛନ୍ତି । କରୋନାକୁ ମାତ୍‌ ଦେବା ପାଇଁ ଏବେ ଦେଶର ତମାମ ପୋଲିସ ବ୍ୟବସ୍ଥା ଅଣ୍ଟା ଭିଡ଼ିଥିବା ବେଳେ ନିଜ କର୍ତ୍ତବ୍ୟ ନିର୍ବାହ ପାଇଁ ଏହି କନେଷ୍ଟବଳ ଜଣକ ଧାଇଁଆସିଛନ୍ତି ।

ଏହି ଯୋଦ୍ଧା ଜଣକ ହେଉଛନ୍ତି ମଧ୍ୟ ପ୍ରଦେଶ ପୁଲିସର ହେଡ୍‌ କନେଷ୍ଟବଳ ରମେଶ ସିଂହ ତୋମର । ଗ୍ୱାଲିୟରରୁ ଉଜ୍ଜୈନ ପର୍ଯ୍ୟନ୍ତ ସେ ଚାଲି ଚାଲି ଆସିଛନ୍ତି । ଥାନାରେ ପହଞ୍ଚିବା ପରେ କିଛି ପୋଲିସ ଅଧିକାରୀ ଓ କର୍ମଚାରୀ ତାଙ୍କୁ ପ୍ରଶଂସା କରିବା ସହ ସାଲ୍ୟୁଟ୍‌ ମାରିଛନ୍ତି । ଲକ୍‌ଡାଉନ୍‌ ନିୟମ ମାନି ସେ ଏଭଳି କରିଛନ୍ତି । ତାଙ୍କର ଏଭଳି କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି । ଲକ୍‌ଡାଉନ୍‌ ନିୟମ ମାନି ଘରେ ସୁରକ୍ଷିତ ରହିବା ଲାଗି ଲୋକଙ୍କୁ ଏହା ଉତ୍ସାହିତ କରିବ ବୋଲି ଉଜ୍ଜୈନର ନୀଲଗଙ୍ଗା ଥାନା ପକ୍ଷରୁ ଆଶା କରାଯାଇଛି । ହେଡ୍‌ କନେଷ୍ଟବଳ ତୋମର ଥାନାରେ ପହଞ୍ଚିବା କ୍ଷଣି ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା । ଏହାପରେ ତାଙ୍କୁ ବିଶ୍ରାମ ନେବାକୁ କୁହାଯାଇଥିଲା । କିନ୍ତୁ ସେ ମନାକରିବାରୁ ତାଙ୍କୁ ଚେକ୍‌ଅପ୍‌ ପାଇଁ ହସ୍ପିଟାଲ ପଠାଯାଇଥିଲା । ତେବେ ସମ୍ପୂର୍ଣ୍ଣ ଫିଟ୍‌ ଘୋଷିତ ହେବା ପରେ ତାଙ୍କୁ ସୋମବାରଠାରୁ ଡ୍ୟୁଟିରେ ପଠାଯିବ ବୋଲି ଥାନାଧିକାରୀ କହିଛନ୍ତି ।

ଥାନା ସୂତ୍ରରୁ ମିଳିଥିବା ସୂଚନା ମୁତାବକ ହେଡ୍‌ କନଷ୍ଟେବଳ ତୋମର୍‌ ମାର୍ଚ୍ଚ ୨୦ରେ ଏକ ରିପୋର୍ଟ ଦେବା ପାଇଁ ଗ୍ୱାଲିୟରରେ ଥିବା ଏଫ୍‌ଏସ୍‌ଏଲ୍‌ ଲାବ୍‌କୁ ଯାଇଥିଲେ । ଲକ୍‌ଡାଉନ୍‌ ଯୋଗୁଁ ଫେରିପାରିନଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.