କନଷ୍ଟେବଳଙ୍କୁ ଟ୍ରାକ୍ଟର ଚଢାଇ ମାରିଦେଲେ ବାଲି ମାଫିଆ, ଚୋରା କାରବାର ରୋକିବା ବେଳେ ଖାକି ବର୍ଦ୍ଦିରେ ଚାଲିଗଲା ପ୍ରାଣ

Published By : Prameya-News7 Bureau | November 08, 2020 IST

ଆଗ୍ରା, ୧୧|୦୮: ଉତ୍ତର ପ୍ରଦେଶର ଖେରାଗଡ ଜିଲ୍ଲାରେ ରବିବାର ଖଣି ମାଫିଆମାନେ ଜଣେ ପୋଲିସ କନଷ୍ଟେବଳଙ୍କୁ ଟ୍ରାକ୍ଟର ଚଢାଉ ହତ୍ୟା କରିଛନ୍ତି । ଏହାପରେ ଫାୟାରିଂ କରି ସେଠାରୁ ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରେ ପୋଲିସ ଏସପି ରୋହନ ପ୍ରସାଦ ସଦଳବଳେ ପହଁଚି ତଦନ୍ତ ଆରମ୍ଭ କରିବା ସହ ମାଫିଆଙ୍କୁ ଧରିବାକୁ ପ୍ରୟାସ ଆରମ୍ଭ ହୋଇଛି ।

ସୂଚନାନୁସାରେ, ରବିବାର ସକାଳ ୫ଟାରେ ସେୟାନ୍ ଥାନା ପୋଲିସକୁ ବେଆଇନ ଭାବେ ବାଲି ଖନନ ହେଉଥିବା ନେଇ ଖବର ଆସିଥିଲା । ଏପରିକି ଚୋରା ବାଲି ଚାଲାଣ ହେଉଥିବା ବାବଦରେ ସୂଚନା ମିଳିଥିଲା । ସୂଚନା ମିଳିବା ପରେ ସବ ଇନ୍ସପେକ୍ଟର ଅମୃତ କୁମାର କନଷ୍ଟେବଳ ସୋନୁ କୁମାର ଚୌଧରୀ, ସୁଧୀର, ସୁରଜ, ସୁନୀଲ ଓ ଶିଶୁପାଳ ମାଫିଆଙ୍କୁ ଧରିବା ପାଇଁ ଚଢଉ କରିଥିଲେ ।

ପୋଲିସ ଟିମ୍ ବହୁତ ସମୟ ଯାଏଁ ଖେରାଗଡ-ସେୟାନ ରୋଡରେ ଅପେକ୍ଷା କରିଥିଲେ । କିନ୍ତୁ କୌଣସି ଚୋରା ବାଲି ଟ୍ରକ୍ ଆସି ନଥିଲା । କିଛି ସମୟ ପରେ ପୋଲିସ ଟିମ୍ ଥାନା ଅଭିମୁଖେ ଯିବା ସମୟରେ ଖେରାଗଡଠାରେ ୫ରୁ ୬ଟି ବାଲି ଟ୍ରାକ୍ଚର ଦେଖିବାକୁ ମିଳିଥିଲା । ଏହି ଟ୍ରାକ୍ଟର ସବୁକୁ ପୋଲିସ ଅଟକାଇବାକୁ ଚେଷ୍ଟା କରିଥିଲା । କନଷ୍ଟେବଳ ସୋନୁ ବାଡି ଦେଖାଇ ଟ୍ରାକ୍ଚରରୁ ଅଟରକାଇବା ବେଳେ ତାଙ୍କ ଉପରେ ମାଫିଆମାନେ ଟ୍ରାକ୍ଟର ଚଢାଉ ଦେଇଥିଲେ ।  ଏହାସହ ମାଫିଆମାନେ ପୋଲିସ ଉପରେ ଗୁଳି ଚାଳନା କରି ଫେରାର ହୋଇଯାଇଥିଲେ ।

ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଅନ୍ୟ ପୋଲିସ କର୍ମଚାରୀମାନେ ସୋନୁଙ୍କୁ ଟ୍ରାକ୍ଟର ତଳୁ ଉଦ୍ଧାର କରିଥିଲେ ମଧ୍ୟ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ଏହି ଘଟଣା ସ୍ତାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିବା ବେଳେ ପୋଲିସ ବାଲି ମାଫିଆଙ୍କୁ ଧରିବାକୁ ପ୍ରୟାସ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.