ଖାକିରେ ରକ୍ତ ଦାଗ: ସିଗାରେଟ୍‌ ପଇସା ମାଗିବାରୁ ଦୋକାନୀକୁ ଗାଡ଼ି ଚଢ଼ାଇ ମାରିଦେଲେ କନେଷ୍ଟବଳ

Published By : Prameya-News7 Bureau | December 31, 2020 IST

ଉଦ୍ଧମସିଂହ ନଗର ୩୧/୧୨: ଖାକି ବର୍ଦ୍ଦିର ଦାଦାଗିରି ! ବନ୍ଧୁଙ୍କ ସହ ମିଶି ସିଗାରେଟ୍‌ ଫୁଙ୍କିଲେ ପୋଲିସ କନେଷ୍ଟବଳ । କିନ୍ତୁ ଦୋକାନୀ ଟଙ୍କା ମାଗିବାରୁ ବାବୁଙ୍କ ରକ୍ତ ଗରମ ହୋଇଗଲା । ପ୍ରଥମେ ବଚସା ପରେ ରକ୍ତମୁଖା ସାଜିଲେ ପୋଲିସ କନେଷ୍ଟବଳ। ପରେ ଦୋକାନୀକୁ ଗାଡ଼ି ଚଢ଼ାଇ ମାରିଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଉତ୍ତରାଖଣ୍ଡର ଉଦ୍ଧମସିଂହ ନଗରରେ ଘଟିଛି।

ମିଳିଥିବା ସୂଚନା ଅନୁସାରେ, ବୁଧବାର ରାତି ୧୦.୩୦। କନେଷ୍ଟବଳ ପ୍ରବୀଣ କୁମାର, ତାଙ୍କ ଶଳା ଜୀବନ କୁମାର ଓ ଅନ୍ୟ ଜଣେ ସାଥି ଗୌରବ ରାଠୋର ବାଜପୁର ଅଞ୍ଚଳରେ ଥିବା ଗୌରବ ରୋହେଲା ନାମକ ଜଣେ ଦୋକାନୀଙ୍କ ପାଖରୁ ସିଗାରେଟ୍‌ ମାଗିଥିଲେ। ସିଗାରେଟ୍‌ ଫୁଙ୍କିବା ପରେ ୩ ଜଣ କଥାବାର୍ତ୍ତା କରୁ କରୁ ଯିବାକୁ ବାହାରିଥିଲେ। ଏହା ଦେଇ ଦୋକାନୀ ରୋହେଲା ପ୍ରବୀଣଙ୍କୁ ସିଗାରେଟ୍‌ ଟଙ୍କା ମାଗିଥିଲା। କିନ୍ତୁ ଏହା ପ୍ରବୀଣଙ୍କୁ ପସନ୍ଦ ଆସିନଥିଲା। ପଇସା ମାଗିବାରୁ ବାବୁ ତାତିଗଲେ। ରୋହେଲା ଓ ଦୋକାନରେ ଥିବା ତାଙ୍କ ଭାଇ ଅଜୟଙ୍କ ସହ ପ୍ରବୀଣ ପାଟିତୁଣ୍ଡ କରିଥିଲେ।  

ପରେ ପରେ ବଚସା ଉଗ୍ରରୂପ ଧାରଣ କରିଥିଲା। କନେଷ୍ଟବଳ ପ୍ରବୀଣ ରାଗରେ ବାହାରେ ଛିଡ଼ା ହୋଇଥିବା ଦୋକାନୀ ରୋହେଲାଙ୍କ ଉପରେ କାର ଚଢ଼ାଇ ଦେଇଥିଲେ। କାର ତଳେ ଚାପି ହୋଇ ଗୁରୁତର ହୋଇଥିବା ରୋହେଲା ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ ବୋଲି ବାଜପୁର ଥାନା ଆଇଆଇସି ଦୀପଶିଖା ଅଗ୍ରଓ୍ବାଲ କହିଛନ୍ତି।

ରୋହେଲାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା ତାଙ୍କ ମୃତ ଦେହ ରଖି ଥାନା ଆଗରେ ଧାରଣା ଦେଇଥିଲେ । ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ପ୍ରବୀଣର କାରନାମା ସମ୍ପର୍କରେ ଜାଣିଥିଲା। ଦୋକାନୀ ରୋହେଲାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଅଭିଯୁକ୍ତ କନେଷ୍ଟବଳ ପ୍ରବୀଣ ଓ ତା ସହ ଥିବା ୨ ଜଣଙ୍କୁ ପୋଲିସ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.