ଗାଈ କାହାର ? ଜଣେ ଡାକୁଛି ଲକ୍ଷ୍ମୀ- ଜଣେ ଡାକୁଛି ରାଣୀ: ପୋଲିସ୍‌ର ଅକଲ ଗୁଡୁମ୍

Published By : Prameya-News7 Bureau | November 01, 2020 IST

କୋରାପୁଟ୧/୧୧: ଗୋଟିଏ ଗାଈର ଦୁଇଟି ନାଁ । ଲକ୍ଷ୍ମୀ ଓ ରାଣୀ। ଏହାକୁ ନେଇ ସ୍ଥାନୀୟ ଅଶୋକନଗର ଅଞ୍ଚଳର ଦୁଇଟି ପରିବାର ମଧ୍ୟରେ ବିବାଦ। ନାଲି ରଙ୍ଗର ଏହି ଗାଈର ମାଲିକାନାକୁ ନେଇ ଉଭୟ ପରିବାର ମୁହାଁମୁହିଁ । ଥାନାରେ ୩୦୩ ଓ ୩୦୪ରେ ପୃଥକ ପୃଥକ୍‌ ଦୁଇଟି ମାମଲା ରୁଜୁ। ପରିସ୍ଥିତି ଏମିତି ହୋଇଛି ଯେ, ପୁଲିସ୍‌ର ଅକଲଗୁଡୁମ୍‌ ହୋଇଯାଇଛି। କାରଣ ଉଭୟ ମାଲିକ ସେମାନେ ଦେଇଥିବା ନାଁରେ ଡାକିଲେ ଗାଈଟି ସେମାନଙ୍କ ପାଖକୁ ଚାଲିଯାଉଛି। ଶୁକ୍ରବାର ରାତିରେ ପୁଲିସ ଗାଈକୁ ଥାନାକୁ ଆଣିଲା । ତଦନ୍ତ କଲା । କିନ୍ତୁ ସମାଧାନର ରାସ୍ତା ପାଇଲାନି । ଶେଷରେ ତୃତୀୟ ଲୋକର ସହାୟତା ନେଲା । ଗାଈର ଯତ୍ନ ନେବାକୁ ତାଙ୍କୁ ହସ୍ତାନ୍ତର କରାଗଲା । ଘଟଣା ଅତ୍ୟନ୍ତ ରୋଚକ ମୋଡ଼ ନେବା ସହ ପୂରା ସହରରେ ଆଜି ଚର୍ଚ୍ଚାର ବିଷୟ ପାଲଟିଥିଲା ।

ଘଟଣା ଥିଲା ଏମିତି । ଅଶୋକନଗର ଅଞ୍ଚଳର କମଳା ମୁଦୁଲିଙ୍କ ଅଭିଯୋଗ ହେଉଛି, ଗାଈଟି ତାଙ୍କ ଗୁହାଳରେ ଜନ୍ମହୋଇ ବଡ଼ ହୋଇଛି। ତା’ର ନାଁ ଲକ୍ଷ୍ମୀ ଦେଇଛନ୍ତି। ଅନ୍ୟ ଦାବିଦାର ପ୍ରମୋଦ କୁମାର ରାଉତ କହିଛନ୍ତି, ଗାଈଟିକୁ ସେ ନବରଙ୍ଗପୁରରୁ କିଣିଥିଲେ। ନାଁ ଦେଇଥିଲେ ରାଣୀ। ଘରେ ଗାଈଟି ଏକ ବାଛୁରୀଟିକୁ ବି ଜନ୍ମ ଦେଇଥିଲା। ଏହି ଗାଈକୁ ନେଇ ଉଭୟ ପକ୍ଷ ମଧ୍ୟରେ ସୃଷ୍ଟି ହେଲା ବିବାଦ। ଉଭୟ ଗାଈ ଉପରେ ନିଜ ନିଜର ମାଲିକାନା ଜାହିର୍‌ କରିଥିଲେ। ଶେଷରେ କଥା ପହଞ୍ଚିଲା ଟାଉନ୍‌ ଥାନାରେ। ସମାଧାନର ରାସ୍ତା ବାହାର କରିବାକୁ ପୁଲିସ୍‌ ବିଭିନ୍ନ ଶୈଳୀ ଆପଣାଇଲା। ଗାଈକୁ ଥାନାକୁ ଧରିନେଲା। ପ୍ରଥମ ମାଲିକ ଲକ୍ଷ୍ମୀ ବୋଲି ଡାକିଲେ ଗାଈଟି ତାଙ୍କ ପାଖକୁ ଚାଲିଯାଉଥିଲା। ଦ୍ୱିତୀୟ ମାଲିକ ରାଣୀ ଡାକିଲେ ଗାଈଟି ତାଙ୍କ ପାଖକୁ ବି ଗଲା। ଶେଷରେ ଗାଈର ଚିକିତ୍ସା କରିଥିବା ଡାକ୍ତରଙ୍କ ସହାୟତା ଲୋଡ଼ିଲା ପୁଲିସ୍‌। ଉଭୟଙ୍କ ଘରେ ସେ ଗାଈର ଚିକିତ୍ସା କରିଥିବା କହିଥିଲେ । ପରେ ପୁଲିସ୍‌ ପାଖରେ ପ୍ରକୃତ ମାଲିକାନା ଜାଣିବା ଲାଗି ଆଉ କୌଣସି ବାଟ ନଥିଲା ।

ଶେଷରେ ଗାଈର ଭରଣପୋଷଣ ପାଇଁ ପୁଲିସ ଅନ୍ୟ ଜଣଙ୍କ ସହାୟତା ନେଇଛି । ଗାଈଟିକୁ ତାଙ୍କୁ ହସ୍ତାନ୍ତର କରିଛି । ଉଭୟ ଅଭିଯୋଗକାରୀଙ୍କ ନାଁରେ ପୁଲିସ ମାମଲା ରୁଜୁ କରିଛି । ତଦନ୍ତ ଅଧିକାରୀ ଇନ୍ସପେକ୍ଟର ସୁମିତ୍ରା ଜେନା କହିଛନ୍ତି, ଗାଈବାଛୁରୀଙ୍କୁ ନେଇ ଉଭୟ ପରିବାର ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଥିଲା । ଗାଈଟି ନିଜର ବୋଲି ଉଭୟ ପକ୍ଷ ଦାବି କରିଥିଲେ । ଉଭୟ ପରିବାର ଗାଈର ନାମକରଣ କରିଥିଲେ । ପରିସ୍ଥିତି ଏମିତି ହେଲା ଯେ, ସମାଧାନର ସୂତ୍ର ବାହାରିପାରିଲାନି । ସବୁ ପରୀକ୍ଷା ଫେଲ୍‌ ମାରିଲା । ଗାଈ ପାଇଁ କମଳାଙ୍କ ଗାଡ଼ିକୁ ଶ୍ରୀ ରାଉତ ଟେକାମାରି ଭାଙ୍ଗିଥିବା ଅଭିଯୋଗ ହୋଇଥିଲା । ଅନ୍ୟପକ୍ଷରେ ଶ୍ରୀ ରାଉତ ଅଭିଯୋଗ କରିଥିଲେ ଯେ, କମଳା ଓ ତାଙ୍କ ପୁଅ ମିଶି ତାଙ୍କ ଘର ଆଗରେ ପାଟିତୁଣ୍ଡ ଓ ଗାଳିଗୁଲଜ କରିଥିଲେ । ଉଭୟ ପକ୍ଷଙ୍କ ନାଁରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.