ଫିଲ୍ମ ନିର୍ମାତା ଓ ଅଭିନେତା ମହେଶ ମାଞ୍ଜରେକରଙ୍କ ବିରୋଧରେ ମାମଲା ରୁଜ୍ଜୁ: ମାରପିଟ୍ ଓ ଗାଳିଗୁଲଜ ଅଭିଯୋଗ
17/01/2021 at 4:00 PM

ମୁମ୍ବାଇ ୧୭/୦୧ : ମହାରାଷ୍ଟ୍ର ପୁନେର ଜଣେ ବ୍ୟକ୍ତି ଫିଲ୍ମ ମେକର୍ ଓ ଅଭିନେତା ମହେଶ ମାଞ୍ଜରେକରଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି। ଅଭିଯୋଗକାରୀଙ୍କ କହିବାନୁଯାୟୀ, ତାଙ୍କ କାର ମହେଶ ମାଞ୍ଜରେକରଙ୍କ କାର ସହ ଧକ୍କା ହୋଇଥିଲା। ଏହାପରେ ମହେଶ ମାଞ୍ଜରେକର କାରରୁ ଓହ୍ଲାଇ ତାଙ୍କୁ ଚାପୁଡ଼ା ମାରିବା ସହ ଗାଳିଗୁଲଜ ମଧ୍ୟ କରିଥିଲେ।

ଯାବତ ପୋଲିସ ଷ୍ଟେସନର ଜଣେ ଅଧିକାରୀ ରବିବାର ଦିନ କହିଛନ୍ତି ଯେ ଶୁକ୍ରବାର ରାତିରେ ପୁନେ-ସୋଲାପୁର ରାଜପଥରେ ଯାବତ ଗାଁ ନିକଟରେ ଏହି ଘଟଣା ଘଟିଛି। ପୋଲିସ ମହେଶ ମାଞ୍ଜରେକରଙ୍କ ବିରୋଧରେ ଭାରତୀୟ ଦଣ୍ଡ ବିଧାନର ପ୍ରାସଙ୍ଗିକ ଧାରା ଅନୁଯାୟୀ ମାମଲା ରୁଜ୍ଜୁ କରିଛି। ପୋଲିସ କହିଛି ଅଭିଯୋଗକାରୀ କୈଳାସ ସତପୁତେ ଅଭିଯୋଗ କରିଛନ୍ତି ଯେ ମହେଶ ମାଞ୍ଜରେକର ହଠାତ ବ୍ରେକ୍ ଦେଇଥିଲେ ଯେଉଁଥିପାଇଁ ତାଙ୍କ କାର ମହେଶ ମାଞ୍ଜରେକରଙ୍କ କାର ସହ ଧକ୍କା ହୋଇଥିଲା।

କାର ଧକ୍କା ହେବାପରେ ଅଭିନେତା କାରରୁ ଓହ୍ଲାଇ କୈଳାସଙ୍କ ସହ ଯୁକ୍ତିତର୍କ କରିଥିଲେ। ଯୁକ୍ତିତର୍କ ମଧ୍ୟରେ ମହେଶ ମାଞ୍ଜରେକର କୈଳାସଙ୍କୁ ଚାପୁଡ଼ା ମାରିଥିଲେ ଓ ଅସଭା ଭାଷାରେ ଗାଳିଗୁଲଜ କରିଥିଲେ।