ଫିଲ୍ମରେ ଅଭିନୟର ଲୋଭ ଦେଖାଇ ଚଳାଉଥିଲେ ସେକ୍ସ ରାକେଟ, ୧୩ ଗିରଫ

Published By : Prameya-News7 Bureau | November 08, 2019 IST

ହାଇଦ୍ରାବାଦ୮।୧୧: ବିଭିନ୍ନ ସ୍ଥାନରେ ଚାଲୁଥିବା ସେକ୍ସ ରାକେଟ ଉପରେ ପୋଲିସ ଚଢ଼ଉ କରିଛି। ଆନ୍ଧ୍ରପ୍ରଦେଶ ପୋଲିସର ଏହି ଚଢଉରେ ଏପର୍ଯ୍ୟନ୍ତ ୧୩ ଜଣଙ୍କୁ ଗିରଫ କରାଗଲାଣି। ନେଲୋର ସିଟିରେ ଦେହ ବ୍ୟବସାୟ ଚାଲିଥିଲା। ଏ ସମ୍ପର୍କରେ ପୋଲିସକୁ ସୂଚନା ମିଳିବାମାତ୍ରେ ଆଡ୍ଡା ଉପରେ ଚଢ଼ଉ କରାଯାଇଥିଲା। ଜୋର ଜବରଦସ୍ତ ଧନ୍ଦାରେ ଲିପ୍ତ ଥିବା ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଥିଲା। 

ସହରର ୬ଟି ସ୍ଥାନରେ ଚାଲିଥିବା ଦେହ ବ୍ୟବସାୟ ଉପରେ ପୋଲିସ ଏପର୍ଯ୍ୟନ୍ତ ଚଢ଼ଉ କରିଛି। ୮ଜଣ ପରିଚାଳକ  ଓ ୫ ଜଣ ଗ୍ରାହକଙ୍କୁ ପୋଲିସ ଗିରଫ କରିଥିବା ବେଳେ ଜାକିର ହୁସେନ ନାମକ ଜଣେ ବ୍ୟକ୍ତି ଏବଂ ତାଙ୍କ ସହଯୋଗୀମାନେ ଏହି ରାକେଟ ଚଲାଇଥିଲେ। ଫିଲ୍ମରେ ଅଭିନୟ ସୁଯୋଗ ଦେବା ବାହାନାରେ ଯୁବତୀ ଓ ମହିଳାଙ୍କୁ ସେମାନେ ଦେହ ବ୍ୟବସାୟରେ ସାମିଲ କରୁଥିଲେ ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।

ଚଢ଼ଉ ସମୟରେ ଗୋଟିଏ କାର, ଗୋଟିଏ ମୋଟରସାଇକେଲ, ଗୋଟିଏ କମ୍ପ୍ୟୁଟର, ୧୪ଟି ମୋବାଇଲ ଓ ନଗଦ ୧୨ ହଜାର ୩୦୦ ଟଙ୍କା ପୋଲିସ ଜବତ କରିଛି। ଭାରତୀୟ ଦଣ୍ଡବିଧି ଆଇନ ଅନୁସାରେ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ମୋକଦ୍ଦମା ରୁଜୁ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.