ରକ୍ଷକ ସାଜିଲା ଭକ୍ଷକ : ଜମି ହଡପ ପାଇଁ ଦଲାଲ ସାଜିଲେ ଖାକି ବାବୁ ! ବୃଦ୍ଧଙ୍କୁ ଉଲଗ୍ନ କରି ପିଟିଲେ

Published By : Prameya-News7 Bureau | January 30, 2021 IST

ସମ୍ବଲପୁର,୩୦/୦୧: ରକ୍ଷକ ସାଜିଲା ଭକ୍ଷକ । ଜମି ହଡ଼ପ ପାଇଁ ଦଲାଲ୍‌ ସାଜିଲେ ଖାକି ବାବୁ । ଜମି ବିକ୍ରି ପାଇଁ ରାଜି ନ ହେବାରୁ ଦଲାଲ୍‌ଙ୍କ ଉପସ୍ଥିତିରେ ଜଣେ ବୃଦ୍ଧଙ୍କୁ ଗାଁ ଦାଣ୍ଡରେ ଉଲଗ୍ନ କରି ମାରିଲେ ନିସ୍ତୁକ ମାଡ଼ ।  ପୋଲିସର ଏପରି ଜୁଲମ ଘଟଣା ସମ୍ବଲପୁର ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି । 

ସୂଚନାନୁସାରେ, ବୁର୍ଲା ଥାନା ଅଞ୍ଚଳରେ ଘଟିଥିବା ଏହି ଘଟଣା ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି । ପୀଡିତଜଣଙ୍କ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାରୁ ସେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିନାହାନ୍ତି । ପୋଲିସ୍‌ ନିର୍ଯାତନାର ଶିକାର ହୋଇଥିବା ତିହିଁକିପାଲିର ସୁଶୀଳ ଭୋଇ ବୋଲି ଜଣାପଡିଛି ।

ଅନ୍ୟଦିଗରେ, ବୁର୍ଲା ଥାନାଧିକାରୀ ବିଭୂତି ଭୂଷଣ ଭୋଇ ଘଟଣା ସମ୍ପର୍କରେ ପଚରା ଯାଇଥିଲା । ସେ କହିଥିଲେ ଯେ, କେବଳ ୪୧ ନୋଟିସ୍‌ରେ ଦସ୍ତଖତ ପାଇଁ ପିସିଆର୍‌ ଟିମ ଯାଇଥିଲା । ଗ୍ରାମବାସୀଙ୍କ ଉପସ୍ଥିତିରେ କେବଳ ଦସ୍ତଖତ ନେଇ ପିସିଆ ଭ୍ୟାନ୍ ଆସିଥିଲା। ତେବେ ଦସ୍ତଖତ ପାଇଁ ଭୋର୍‌ ୪ଟାରେ ବୁର୍ଲା ପୋଲିସ୍‌କୁ କିଭଳି ଉଚିତ୍‌ ସମୟ ହେଲା ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ଏସ୍‌ପି ବାତୁଲାଗଙ୍ଗାଧରଙ୍କୁ ଯାଗାଯୋଗ କରିବାରୁ, ଘଟଣା ସମ୍ପର୍କରେ ତଦନ୍ତ କରାଯିବ ବୋଲି ସେ କହିଛନ୍ତି ।

ଅଭିଯୋଗ ଅନୁସାରେ, ସୁଶୀଳଙ୍କର କିଛି ବ୍ୟକ୍ତିଙ୍କ ସହ ଜମିକ ବିବାଦ ଲାଗି ରହିଥିଲା ।ତେବେ ଶୁକ୍ରବାର ଭୋର୍‌ ୪ଟାରେ ବୁର୍ଲାଥାନାର ପିସିଆର୍‌ ତିହିକିପାଲିରେ ପହଞ୍ଚିବାପରେ ସେଠାକାର ଗ୍ରାମରକ୍ଷୀ ଯାଇ ତାଙ୍କୁ ଡାକିଥିଲା । ହେଲେ ସେ ଶୁଣିନଥିଲେ । ପରେ ତାଙ୍କୁ ଘର ଦୁଆରୁ ଟେକି ନେଇ ଉଲଗ୍ନ କରି ସର୍ବ ସମ୍ମୁଖରେ ପୋଲିସ୍‌ ନିସ୍ତୁକ ମାଡ଼ ମାରିଥିଲା । କେବଳ ଏତିକି ନୁହେଁ ବରଂ କିଛି କାଗଜରେ ଜବରଦସ୍ତି ଦସ୍ତଖତ ମଧ୍ୟ କରାଇ ନେଇଥିଲା । ଏହି ଘଟଣା ପରେ ତାଙ୍କ ପୁଅ ଯୁଧିଷ୍ଟିର ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।ଏବେ ସେ ଅସ୍ଥିଶଲ୍ୟ ବିଭାଗ ଶଯ୍ୟା ନଂ ୭୨ରେ ଚିକିତ୍ସାଧୀନ ରହିଛନ୍ତି ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.