ହତ୍ୟା କେସ୍‌ରେ କୁକୁଡାକୁ ଥାନାକୁ ନେଇ ଆସିଲେ ପୋଲିସ, ଏବେ କୋର୍ଟରେ କରାଯିବ ହାଜର !

Published By : Prameya-News7 Bureau | February 26, 2021 IST

ଜଗତିଆଲ ୨୬।୦୨: ତେଲଙ୍ଗାନାରେ ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଛି। ପୋଲିସ ମୃତ୍ୟୁ ମାମଲାରେ ଏକ କୁକୁଡାକୁ ନିଜ ହେପାତଜକୁ ନେଇଛି। ଏହି ମାମଲା ତେଲଙ୍ଗାନାର ଜଗତିଆଲ  ଜିଲ୍ଲାର। ଏଠାରେ ସୋମବାର ୟେଲ୍ଲମ୍ମା ମନ୍ଦିରରେ କୁକୁଡା ଲଢେଇ ଖେଳ ଚାଲିଥିଲା। ଏହି ସମୟରେ ଏକ କୁକୁଡା ୪୫ ବର୍ଷୀୟ ଟି.ସତୀଶଙ୍କ ଉପରେ ଆକ୍ରମଣ କରିଥିଲା। ଏଥିରେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା।

କୁକୁଡାର ଗୋଡରେ ଏକ ଛୁରୀ ବନ୍ଧା ଯାଇଥିଲା। କୁକୁଡାର ଆକ୍ରମଣରେ ସତୀଶଙ୍କ ପେଟ ଏବଂ ଜଙ୍ଘ ମଝିରେ ଆଘାତ ଲାଗି ବଡ କ୍ଷତ ସୃଷ୍ଟି ହୋଇଥିଲା। ଏହି ଘଟଣା ଫେବୃଆରୀ ୨୨ରେ ଲୋଥୁନୁର ଗାଁରେ ଅବୈଧ କୁକୁଡା ଲଢେଇ ଖେଳ ସମୟରେ ଘଟିଥିଲା। ପାଦରେ ଛୁରୀ ବନ୍ଧା  ହୋଇଥିବାରୁ କୁକୁଡା ଛଟ୍ ପଟ୍  ହୋଇଥିଲା। ଏହି ସମୟରେ କୁକୁଡା ଗୋଡରେ ବନ୍ଧା  ହୋଇଥିବା ଛୁରୀ ସତୀଶଙ୍କ  ପେଟ ଏବଂ ଜଙ୍ଘ ମଝି ଭାଗରେ ବାଜିଥିଲା। ସତୀଶଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ।

ତେଲଙ୍ଗାନାରେ କୁକୁଡା ଲଢେଇ ଉପରେ କଟକଣା ଲଗାଯାଇଛି। ମାତ୍ର ୟେଲ୍ଲମା ମନ୍ଦିରରେ ଏହି ଅବୈଧ ଖେଳକୁ ଆୟୋଜିତ କରାଯାଉଥିଲା। ଏହି ମାମଲାର ତଦନ୍ତ ପରେ ପୋଲିସ ଉକ୍ତ କୁକୁଡାକୁ ଗୋଲ୍ଲାପଲ୍ଲୀ ଥାନାକୁ ନେଇ ଆସିଛି। ପୋଲିସ ନୀରିକ୍ଷଣରେ କୁକୁଡାକୁ ରଖାଯାଇଛି। ପୋଲିସ କୁକୁଡା ପାଇଁ ଦାନା ପାଣିର ମଧ୍ୟ ବ୍ୟବସ୍ଥା କରିଛି।

ଖବର ଏମିତି ଆସିଥିଲା ଯେ, ପୋଲିସ କୁକୁଡାକୁ ଗିରଫ କରିଛି। କିନ୍ତୁ ପୋଲିସ ଏହି ଖବରକୁ ଖଣ୍ଡନ କରିଛି। ଗୋଲ୍ଲାପଲ୍ଲୀ ଥାନା ଅଧିକାରୀ ବି ଜୀବନ ସ୍ପଷ୍ଟ କରିଛନ୍ତି ଯେ, କୁକୁଡାକୁ ଗିରଫ କରାଯାଇ ନାହିଁ। କିନ୍ତୁ ପୋଲିସ କୁକୁଡାକୁ କୋର୍ଟରେ ହାଜର କରିବ। ଜଜଙ୍କ ନିର୍ଦ୍ଦେଶ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.