ମା’ଙ୍କ ସହ ସ୍କୁଲ ଯାଉଥିବାବେଳେ ଚାପିଦେଲେ ଟ୍ରକ; ଘଟଣାସ୍ଥଳରେ ଶିଶୁ ମୃତ, ୧୦୦ ବାଇକ ପୋଡିଦେଲେ ସ୍ଥାନୀୟ ଲୋକେ
14/12/2018 at 12:00 PM

ଅଲିଗଡ଼ ୧୪/୧୨ : ସ୍କୁଲ ଯାଉଥିବା ଶିଶୁକୁ ଟ୍ରକ ଚାପିଦେବା ଫଳରେ ଘଟଣାସ୍ଥଳରେ ହିଁ ଶିଶୁର ମୃତ୍ୟୁ ହୋଇଯାଇଛି | ବନ୍ନାଦେବୀ ଥାନା ଅନ୍ତର୍ଗତ ନଗଲା-କଲା ରାଜପଥରେ ଆଜି ସକାଳେ ଜଣେ ଶିଶୁ ନିଜ ମାଙ୍କ ସହ ସ୍କୁଟିରେ ସ୍କୁଲକୁ ଯାଉଥିଲେ | ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ଚାପିଦେବା ଫଳରେ ଘଟଣାସ୍ଥଳରେ ହିଁ ଶିଶୁର ମୃତ୍ୟୁ ହୋଇଯାଇଥିଲା | ଶିଶୁଙ୍କ ମା ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତୀ ଯାଇଥିଲେ | ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖା ଦେଇଥିଲା | ଉତ୍ତେଜିତ ଲୋକେ ଟ୍ରକର କାଚ ଭଙ୍ଗାରୁଜା କରିବା ସହ ପାଖରେ ଥିବା ଡାଏଲ ୧୦୦ ବାଇକକୁ ପୋଡି ଦେଇଥିଲେ | ଘଟଣା ପରେ ସେଠାରେ ପୋଲିସ ଅଧିକାରୀ ପହଂଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି | ଉତ୍ତେଜିତ ପରିସ୍ଥିତି ଦେଖି ଘଟଣାସ୍ଥଳରେ ପୋଲିସ ଫୋର୍ସ ମୃତୟନ କରାଯାଇଛି | ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଟ୍ରକ ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଛି | ପୋଲିସ ଟ୍ରକ ଡ୍ରାଇଭରକୁ ଖୋଜୁଛି |
ରୀନା ଉପାଧ୍ୟାୟ ସୁରେନ୍ଦ୍ର ନଗର ଅଂଚଳରେ ରୁହନ୍ତି | ଖେର ବାଇପାସ ସ୍ଥିତ ଗଗନ ପବ୍ଲିକ ସ୍କୁଲରେ ଶିକ୍ଷକତା କରନ୍ତି | ସେହି ସ୍କୁଲରେ ରୀନାଙ୍କ ଝିଅ ବଂଶିକା ତୃତୀୟ ଶ୍ରେଣୀରେ ପଢୁଥିଲେ | ବଂଶିକା ପ୍ରତିଦିନ ମାଙ୍କ ସହ ସ୍କୁଲକୁ ଯିବା ଆସିବା କରନ୍ତି | ଆଜି ସକାଳେ ପ୍ରାୟ ୮ଟା ବେଳେ ସେ ସ୍କୁଲ ଯାଉଥିବାବେଳେ ନଗଲା-କଲା ରାଜପଥରେ ଏକ ଖାଲରୁ ରକ୍ଷା ପାଇବା ପାଇଁ ସାମ୍ନାରୁ ଆସୁଥିବା ଏକ ଟ୍ରକ ସହ ଧକା ହୋଇଯାଇଥିଲା | ଟ୍ରକ ଦ୍ରୁତ ଗତିରେ ଆସୁଥିଲା | ବଂଶିକା ସ୍କୁଟିରୁ ପଡିଯିବା ଫଳରେ ଟ୍ରକଟି ବଂଶିକାଙ୍କୁ ଚାପି ଦେଇଥିଲା | ରୀନା ସାମାନ୍ୟ ଆଘାତ ହୋଇଥିଲେ | କିନ୍ତୁ ବଂଶିକାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା |

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା | ପୋଲିସ ପହଂଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଥିଲା | ପୋଲିସ ବଂଶିକାଙ୍କ ମୃତଦେହ ଜବତ କରି ପୋଷ୍ଟ ମର୍ଟମ ପାଇଁ ପଠାଇବା ସହ ରୀନାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଇଛି | ଫେରାର ଡ୍ରାଇଭରକୁ ପୋଲିସ ଖୋଜୁଛି |