ଖାକି ପୋଷାକୀଙ୍କ ପରଓ୍ବା ନାହିଁ ! ରାସ୍ତା ଉପରେ ଗଡେଇ ତଡେଇ ପିଟିଲେ, ମହିଳା ଅଫିସରଙ୍କ ନିର୍ଦ୍ଦେଶରେ ଭ୍ୟାନ୍‌ରେ ନେଇଗଲେ

Published By : Prameya-News7 Bureau | May 26, 2020 IST

ଭଦ୍ରକ ୨୬।୫: ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଭାଇରାଲ୍ ଭିଡିଓ । ମହିଳା ଥାନା ଅଧିକାରୀଙ୍କ ସମ୍ମୁଖରେ ଜନୈକ ବ୍ୟକ୍ତିଙ୍କୁ ରାସ୍ତା ଉପରେ ଗଡେଇ ତଡେଇ ପିଟୁଛନ୍ତି ଦୁର୍ବୃତ୍ତ । ଜଣେ ନୁହେଁ କି ଦୁଇଜଣ ନୁହେଁ ମହିଳା ଥାନା ଅଧିକାରୀଙ୍କ ସହ ୬ଜଣ ପୋଲିସ କର୍ମଚାରୀ ଅଛନ୍ତି । ଏହି ଘଟଣା କିଛିଦିନ ପୂର୍ବର ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ କରୋନା ପାଇଁ ଲାକ୍ ଡାଉନ୍ ଚାଲିଥିବା ବେଳେ ମାସ୍କ ନପିନ୍ଧି ଥିବାରୁ ଏଭଳି ଘଟଣା ଘଟିଛିଲା । ଏହି ଦୃଶ୍ୟ ହେଉଛି ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ବନ୍ତ ଥାନା ଅଞ୍ଚଳର ଦୃଶ୍ୟ । ଭାଇରାଲ୍ ଭିଡିଓରେ ବନ୍ତ ଅଞ୍ଚଳର ଜନୈକ ବ୍ୟକ୍ତିଙ୍କୁ ପୋଲିସ କର୍ମଚାରୀମାନେ ରାସ୍ତା ଉପରେ ବାଡିରେ ପିଟୁଛନ୍ତି । ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ବନ୍ତ ଅଞ୍ଚଳର ଜନୈକ ଯୁବକ ଘଟଣାର ଭିଡିଓ ଟ୍ବିଟ୍ କରିଥିଲେ । ଆଉ ଲେଖିଥିଲେ ଯେ ବ୍ୟକ୍ତି ଜଣଙ୍କ ମାସ୍କ ପିନ୍ଧି ନଥିବାରୁ ତାଙ୍କୁ ପୋଲିସ ରାଜରାସ୍ତାରେ ପିଟୁଛି ।

ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ବନ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରକ୍ତାକ୍ତ ଅବସ୍ଥାରେ ଭର୍ତ୍ତି କରାଯାଇଥିଲା । ବ୍ୟକ୍ତି ଜଣଙ୍କ ମେଡିକାଲରୁ ଏବେ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ମିଳିଛି । ବନ୍ତ ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି ବୋଲି ଭଦ୍ରକ ଏସପି ସୂଚନା ଦେଇଛନ୍ତି । ଜନୈକ ମହିଳା କନେଷ୍ଟବଳଙ୍କୁ ଦୁର୍ବ୍ୟବହାର ନେଇ ମାମଲା ହୋଇଛି । ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

ଅନ୍ୟପଟେ ଜଣେ କନେଷ୍ଟବଳ ମଧ୍ୟ ନିଲମ୍ବିତ ହୋଇଛନ୍ତି । ଅଭିଯୁକ୍ତକୁ ଧରିବା ବେଳେ ଅତ୍ୟଧିକ ବଳ ପ୍ରୟୋଗ କରିଥିବାରୁ କନେଷ୍ଟବଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ନେଇ ଟ୍ବିଟ୍ ଯୋଗେ ଭଦ୍ରକ ଏସପି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.