ପୋଲିସ ମାଡର ଲୋମଟାଙ୍କୁରା ଭିଡିଓ : ବାଇକ ଆରୋହୀଙ୍କୁ ଥାର୍ଡ ଡିଗ୍ରୀ ଷ୍ଟାଇଲରେ ମାରିଲେ, ପୀଡିତଙ୍କ ମଥାରୁ ବାହାରିଲାନି ଚାବି ରିଙ୍ଗ୍
28/07/2020 at 6:39 PM

ଡେରାଡୁନ, ୨୮|୦୭: ପୋଲିସକୁ ଜନତାଙ୍କ ବନ୍ଧୁ କୁହାଯାଏ । ଜନତାଙ୍କୁ ସୁରକ୍ଷା ଦେବା ସହ ସହଯୋଗ କରିବା ପୋଲିସର କର୍ତ୍ତବ୍ୟ । କିନ୍ତୁ ଉତ୍ତରାଖଣ୍ଡର ଉଦ୍ଧମ ସିଂ ନଗର ଜିଲ୍ଲାରେ ପୋଲିସର ଏକ ବର୍ବରତା ସାମ୍ନାକୁ ଆସିଛି । ଏଠାରେ ପୋଲିସ ନୃଶଂସତାର ସମସ୍ତ ସୀମା ପାର୍ କରିଦେଇଛି । ଏପରିକି ମାନବିକତାକୁ ମାରିଦେଇଛନ୍ତି ଜଣେ ଅଧିକାରୀ । ଏପରି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ତାଜୁବ୍ କରିଛି ।
ରାଜ୍ୟର ରୁଦ୍ରପୁର ସିଟି ପୋଲିସ ଜଣେ ଯୁବକଙ୍କ ମୁଣ୍ଡକୁ ଗାଡି ଚାବିରେ ଆକ୍ରମଣ କରି କ୍ଷତାକ୍ତ କରିଦେଇଛନ୍ତି । ଏପରିକି ଚାବିଟି ମୁଣ୍ଡରେ ରହିଯାଇଥିଲା । ଏହାପରେ ଉତ୍ୟକ୍ତ ଲୋକେ ପୋଲିସ ଉପରେ ପଥରମାଡ କରିଥିଲେ । ସୂଚନାନୁସାରେ, ରୁଦ୍ରପୁର ପୋଲିସ ମଙ୍ଗଳବାର ବିଭିନ୍ନ ଗାଡି ମଟର ଚେକ୍ କରୁଥିଲା । ସେହି ସମୟରେ ଜଣେ ଯୁବକଙ୍କୁ ହେଲମେଟ୍ ନ ପିନ୍ଧିଥିବାରୁ ପୋଲିସ ଅଟକାଇଥିଲା । ଏହାପରେ ଉଭୟ ପକ୍ଷ ମଧ୍ୟରେ କିଛି କଟାକଟି ହୋଇଥିଲା । ସେଠାରେ ଉପସ୍ଥିତ ଥିବା ଜଣେ ପୋଲିସ ଅଧିକାରୀ ଯୁବକଙ୍କ ଗାଡିର ଚାବି ଛଡାଇ ସେହି ଚାବିରେ ତାଙ୍କ ମୁଣ୍ଡକୁ ଆଘାତ କରିଥିଲେ ।
ଏହିଘଟଣା ପରେ ସେଠାରେ ଉପସ୍ଥିତ ଥିବା କିଛି ଲୋକ ପୋଲିସର ଏପରି ବ୍ୟବହାରକୁ ବିରୋଧ କରିଥିଲେ । ଏପରିକି ପୋଲିସ ଉପରେ ପଥର ମାଡ ମଧ୍ୟ କରିଥିଲେ । ସ୍ଥାନୀୟ ବିଧାୟକ ଘଟଣାସ୍ଥଳରେ ପହଁଚି ଏପରି କରିଥିବା ପୋଲିସ ଅଧିକାରୀଙ୍କୁ ହଟାଇବାକୁ ଦାବି କରିଥିଲେ । ତେବେ ଏହି ମାମଲାର ତଦନ୍ତ ହେବ ବୋଲି ଜିଲ୍ଲା ଏସପି କହିଛନ୍ତି ।