ଲକଡାଉନ୍ ବେଳେ ପୋଲିସ ବାହିନୀ ଉପରେ ଆକ୍ରମଣ: ଏଏସଆଇଙ୍କୁ ଖଣ୍ଡାରେ ହାଣିଲେ, ୨ ଗୁରୁତର

Published By : Prameya-News7 Bureau | April 12, 2020 IST

ଚଣ୍ଡିଗଡ, ୧୨|୦୪:  ପଞ୍ଜାବ ପଟିଆଲାର ପରିବା ଗୋଦାମ ସ୍ଥିତ ସନୋର ରୋଡରେ କର୍ଫ୍ୟୁ ସମୟରେ ପୋଲିସ ଓ ଜନତା ମୁହାଁମୁହିଁ ହୋଇଛନ୍ତି । ପରିବା କିଣିବା ପାଇଁ ବଜାରକୁ ଯାଇଥିବା କିଛି ଲୋକ ପୋଲିସକୁ ଖଣ୍ଡାରେ ଆକ୍ରମଣ କରିଛନ୍ତି । ଏଥିରେ ଜଣେ ପୋଲିସ କର୍ମୀଙ୍କ ହାତ କଟିଯାଇଛି । ଏହାସହ ୨ଜଣ ଅଧିକାରୀ ଗୁରୁତର ଭାବେ ଆହତ ହୋଇଛନ୍ତି ।

ପୋଲିସର କହିବାନୁସାରେ, ୪,୫ ଜଣ ବ୍ୟକ୍ତି ଯେଉଁମାନେ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ରଖିଥିଲେ ଏକ ଗାଡିରେ ଯାତ୍ରା କରୁଥିଲେ । ପରିବା ବଜାରର କର୍ମଚାରୀ ସେମାନଙ୍କୁ ସକାଳ ୭ଟାରେ ରୋକିବାକୁ ଚେଷ୍ଟା କରିଥିଲେ । ସେମାନଙ୍କୁ କର୍ଫ୍ୟୁ ପାସ୍ ଦେଖାଇବାକୁ କୁହାଯାଇଥିଲା । କିନ୍ତୁ ସେମାନେ ଗାଡିରୁ ବାହାରି କର୍ମଚାରୀଙ୍କୁ ଧକ୍କା ମାରିଥିଲେ ।

ଏହାସହ ସେମାନେ ସେଠାରେ ଉପସ୍ଥିତ ଥିବା ଜଣେ ଏଏସଆଇଙ୍କୁ ହାତ ହାଣି ଦେଇଛନ୍ତି । ପଟିଆଲା ସହର ଥାନାଅଧିକାରୀଙ୍କ କହୁଣୀରେ ଆଘାତ ଲାଗିଛି । ଏହାସହ ଅନ୍ୟ ଜଣେ ପୋଲିସ ଅଧିକାରୀ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି ।

ଏଏସଆଇଙ୍କୁ ରାଜେନ୍ଦ୍ର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଜଟିଳ ହେବାରୁ ତାଙ୍କୁ ଚଣ୍ଡିଗଡ ସ୍ଥାନାନ୍ତରିତ କରାଯାଇଛି । ଏସଏସପିଙ୍କ କହିବାନୁସାରେ, ଆକ୍ରମଣ ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ସମାନଙ୍କୁ ଗିରଫ କରିବା ପାଇଁ ପ୍ରୟାସ କରାଯାଉଛି । ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ କଟକଣା ଲାଗୁ ହୋଇଛି । ପଞ୍ଜାବରେ ଗତ ୨୪ ଘଣ୍ଟାରେ କର୍ଫ୍ୟୁ ଲାଗୁ କରି ଲକଡାଉନ ପାଳନ କରିବା ପାଇଁ ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ହେଉଛି ଏଠାରେ ପୋଲିସ ବାହିନୀ ଉପରେ ତୃତୀୟ ବୃହତ ଆକ୍ରମଣ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.