ଡ୍ୟୁଟି ସାରି ଫେରିବା ବେଳେ ରାସ୍ତାରେ ଡାକ୍ତରଙ୍କୁ ପୋଲିସ୍ର ମାଡ଼: କହିଲେ, ‘ତମ ଚେହେରାରୁ ଲାଗୁ ନାହିଁ ତମେ ଜଣେ ଡାକ୍ତର’
12/04/2020 at 4:20 PM

ଭରତପୁର୧୨/୪: କରୋନା ଲଢ଼େଇରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଡାକ୍ତରଙ୍କୁ ରାସ୍ତାରେ ବାଡ଼େଇଲା ପୋଲିସ୍। ଏପ୍ରିଲ ୧୧ ତାରିଖରେ ଡ୍ୟୁଟି ସାରି ଫେରିବା ସମୟରେ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ଡାକ୍ତର ଜଣଙ୍କ ଘଟଣାସ୍ଥଳରେ ହଙ୍ଗାମା କରିଥିଲେ। ତାଙ୍କୁ ବିନା ଦୋଷରେ କାହିଁକି ମାଡ ମରାଗଲା ବୋଲି ପ୍ରଶ୍ନ କରିଥିଲେ। ଏହି ଘଟଣାରେ ଉପସ୍ଥିତ ପୋଲିସ୍ କର୍ମଚାରୀ ଏବଂ ଏସ୍ଡିଏମ୍ଙ୍କ ବିରୋଧରେ ଥାନାରେ ଏଫ୍ଆଇଆର୍ ଦେଇଥିଲେ। ଏହାସହ ରୋଗୀସେବା ବନ୍ଦ କରିଦେବା ପାଇଁ ମଧ୍ୟ ଧମକ ଦେଇଥିଲେ। ଉକ୍ତ ଘଟଣାକୁ ଅନୁଧ୍ୟାନ କରି ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ପୀଡିତ ଡାକ୍ତରଙ୍କୁ ବୁଝାସୁଝା କରିଥିଲେ। ତା ପରେ ଡାକ୍ତରଙ୍କ ରାଗ ଶାନ୍ତ ହୋଇଥିଲା। ରାଜସ୍ଥାନର ଭରତପୁର ଜିଲ୍ଲାରେ ଏଭଳି ଘଟଣା ଘଟିଛି।
ଘଟଣା ଅନୁଯାୟୀ, ଜୁନିଅର ରେସିଡେଣ୍ଟ୍ ସତ୍ୟେନ୍ଦ୍ର ଡାଗୁର ଭରତପୁରସ୍ଥିତ ବାହାଦୁର ମେମୋରିଆଲ ତଥା ଆରବିଏମ୍ ହସ୍ପିଟାଲରେ କାର୍ଯ୍ୟ କରିନ୍ତି। ଏପ୍ରିଲ ୧୦ ତାରିଖରେ ସକାଳ ୧୦ଟାରେ ହସ୍ପିଟାଲରୁ ଘରକୁ ଫେରିବା ସମୟରେ ରାସ୍ତାରେ ପୋଲିସ୍ ତାଙ୍କୁ ଅଟକାଇଥିଲା। ରାସ୍ତାରେ ନିୟୋଜିତ ଥିବା ପୋଲିସ୍ ଏବଂ ଡାକ୍ତରଙ୍କ ମଧ୍ୟରେ କର୍ତ୍ତାବାର୍ତ୍ତା ଚାଲିଥିବା ବେଳେ ପାଖରେ ଥିବା ଅନ୍ୟଜଣେ ପୋଲିସ୍ କର୍ମଚାରୀ ତାଙ୍କୁ ଚାପୁଡା ମାରିଥିଲେ। ସେ ଜଣେ ଡାକ୍ତର ପାଖ ହସ୍ପିଟାଲରେ କାର୍ଯ୍ୟ କରନ୍ତି କହିବା ସତ୍ତ୍ବେ ତାଙ୍କ କଥା କେହି ଶୁଣି ନଥିଲେ। ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସେ ଡାକ୍ତର ବୋଲି ପରିଚୟ ଦେବା ପରେ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିଲା। ତମ ଚେହେରାରୁ ଲାଗୁ ନାହିଁ ତମେ ଜଣେ ଡାକ୍ତର। ଏଭଳି ଭାବେ ତାଙ୍କୁ ପୋଲିସ୍ କର୍ମଚାରୀମାନେ ଦୁର୍ବ୍ୟବହାର କରିଥିବା ଡାକ୍ତର ସତ୍ୟେନ୍ଦ୍ର ଅଭିଯୋଗ କରିଛନ୍ତି।
ରାସ୍ତାରେ ନିୟୋଜିତ ପୋଲିସ୍ କର୍ମଚାରୀଙ୍କ କହିବା ଅନୁସାରେ, ଡାକ୍ତର ସତ୍ୟେନ୍ଦ୍ରଙ୍କ ପାଖରେ ହେଲମେଟ୍ ଏବଂ ଗାଡି କାଗଜପତ୍ର ନଥିଲା। ତେଣୁ ତାଙ୍କୁ ଅଟକାଯାଇଥିଲା। ପୋଲିସ୍ ଏବଂ ଡାକ୍ତରଙ୍କ କଳି ପରବର୍ତ୍ତୀ ସମୟରେ ଉଗ୍ରରୂପ ନେଇଥିଲା। ରୋଗୀ ସେବା ବନ୍ଦ କରିବା ପାଇଁ ମଧ୍ୟ ଡାକ୍ତର ସତ୍ୟେନ୍ଦ୍ର ଧମକ ଦେଇଥିଲେ। ଏହାପରେ ଜିଲ୍ଲାପାଳ ପହଞ୍ଚି ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା କରିଥିଲେ।