ପଦବୀ ପଚାରିବାରୁ ରାଗିଗଲେ ପୋଲିସ ବାବୁ: ମଝି ରାସ୍ତାରେ ଯୁବକଙ୍କୁ ମାରିଲେ ଲାତ, ବିଧା

Published By : Prameya-News7 Bureau | June 15, 2021 IST

ଗୋରଖପୁର, ୧୫/୦୬ : ଉତ୍ତର ପ୍ରଦେଶ ଗୋରଖପୁର ଜିଲ୍ଲାରେ ପୋଲିସ ଦବଙ୍ଗଗିରିର ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ କିଛି ପୋଲିସ ଜଣେ ଯୁବକଙ୍କୁ ଲାତ ବିଧା ମାରୁଥିବା ଦେଖିବାକୁ ମିଳିଛି। ଯୁବକ ଜଣକ ଲଗାତାର ହାତ ଯୋଡି ତାଙ୍କୁ ଛାଡି ଦେବାକୁ କହୁଛନ୍ତି l କିନ୍ତୁ ନିର୍ଦୟୀ ପୋଲିସ କର୍ମଚାରୀ ତାଙ୍କୁ ମାଡ ମାରୁଛନ୍ତି। ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଏସପି ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଭିଡିଓଟି ସୋମବାର ଅପରାହ୍ନର ବୋଲି କୁହାଯାଉଛି। ଖବର ଅନୁଯାୟୀ ଯୁବକ କିଛି ଜିନିଷ କିଣିବାକୁ ଦୋକାନକୁ ଆସିଥିଲେ। ରାସ୍ତାରେ ପାର୍କିଂ ହୋଇଥିବା ସ୍କୁଟି ବିଷୟରେ ପଚରାଯିବାରୁ ଯୁବକ ଜାଣିନଥିବା କହିବାରୁ ରାଜଘାଟ ପୋଲିସ ଯୁବକଙ୍କୁ ମାଡ ମାରିଥିଲା। ଯୁବକ ଜଣକ ହାତ ଯୋଡି ନିବେଦନ କରିଥିଲେ କିନ୍ତୁ ପୋଲିସ କର୍ମଚାରୀ ତାଙ୍କ କଥା ଶୁଣି ନଥିଲେ। ଏହା ପରେ ଜବରଦସ୍ତ ତାଙ୍କୁ ଗାଡ଼ିରେ ବସାଇ ପୋଲିସ ଷ୍ଟେସନକୁ ନେଇ ଯାଇଥିଲେ। ଭିଡିଓରେ ଦୁଇ-ତିନି ଜଣ ପୋଲିସ ତାଙ୍କୁ ମାଡ ମାରୁଥିବାର ନଜର ଆସିଛି।

ଯୁବକଙ୍କୁ ପ୍ରଥମେ ଦୋକାନରେ ମାଡ଼ ମାରିଥିଲେ ଏବଂ ପରେ ତାଙ୍କୁ ରାସ୍ତା ମଝିରେ ପିଟିଥିଲେ। ତଥାପି ବି ପୋଲିସର ରାଗ ଶାନ୍ତ ହୋଇନଥିଲା। ତାପରେ ବଳପୂର୍ବକ ଯୁବକଙ୍କୁ ଜିପରେ ପୋଲିସ ଷ୍ଟେସନ ନେଇଯାଇଥିଲେ ଓ ତାଙ୍କର ଚାଲାଣ କରିଥିଲେ। କୁହାଯାଉଛି ଯେ ଯୁବକ ଜଣକ ପୋଲିସକୁ ତାଙ୍କ ପଦବୀ ପଚାରିଥିଲେ। ଏଥିରେ ରାଗିଯାଇ ପୋଲିସ ତାଙ୍କୁ ମାଡ଼ ମାରିଥିଲା।ଥାନା ସର୍କଲ ସିଓ ବିମଲ କୁମାର ସିଂହ କହିଛନ୍ତି ଯେ ଯୁବକ ପୋଲିସ ସହ ଅଶ୍ଳୀଳ ବ୍ୟବହାର କରିଥିଲେ। ରାସ୍ତାରେ ପାର୍କିଂ ହୋଇଥିବା ସ୍କୁଟି ଯୋଗୁଁ ରାସ୍ତା ଜାମ ହୋଇଥିଲା। ସେଥିପାଇଁ ପୋଲିସ୍ ତାଙ୍କୁ ପୋଲିସ ଷ୍ଟେସନକୁ ନିଆଯାଇଥିଲା ଏବଂ ୧୫୧ ଶାନ୍ତି ଉଲ୍ଲଂଘନ ଧାରାରେ ଚାଲାଣ କାଟିଥିଲା। ଏସପି କହିଛନ୍ତି ଯେ ମାମଲାର ଯାଞ୍ଚ ହେଉଛି ଏବଂ ଯାଞ୍ଚ ଫଳାଫଳ ପରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.