୧୮ବର୍ଷ ପରେ ଏଏସ୍ଆଇ ପରୀକ୍ଷା, ତାରିଖ ଘୋଷଣା ବାକି : ୨୦୦ଫୁଲ୍ ମାର୍କ, ୪୦%ରେ ପାସ୍

Published By : Prameya-News7 Bureau | October 19, 2020 IST

ଭୁବନେଶ୍ୱର ୧୯।୧୦: ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ । ଦୀର୍ଘ ୧୮ ବର୍ଷରୁ ଅଧିକ ଦିନ ହେବ ବନ୍ଦ ରହିଥିବା ଆସିଷ୍ଟାଣ୍ଡ ସବ୍‌ ଇନ୍ସପେକ୍ଟର (ଏଏସ୍‌ଆଇ) ପଦବି ଲାଗି ଏଥର ପରୀକ୍ଷା ହେବ। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥର ୧୦୦ ନୁହେଁ, ୨ ଶହ ମାର୍କର ପରୀକ୍ଷା ହେବ। ପରୀକ୍ଷାରେ ୪୦ ପ୍ରତିଶତ ମାର୍କ ରଖି ପାସ୍‌ କଲେ ପ୍ରାର୍ଥୀ ପ୍ରଶିକ୍ଷଣ ନେଇ ଏଏସ୍‌ଆଇ ଭାବେ କାର୍ଯ୍ୟ କରିବେ।  

ଖବର ଅନୁଯାୟୀ, ୨୦୦୨ରେ ଶେଷ ଥରପାଇଁ ଏଏସ୍‌ଆଇ ପରୀକ୍ଷା ହୋଇଥିଲା। ତା’ଛଡା ୨୦୧୧ରେ କେବଳ ଏସି/ଏସ୍‌ଟି ବର୍ଗର କନଷ୍ଟେବଳମାନଙ୍କ ପାଇଁ ୧୦୦ ମାର୍କର ପରୀକ୍ଷା ହୋଇଥିଲା । ଏଥିରେ ୩୦ ପ୍ରତିଶତ ରଖି ପାସ୍‌ କରିଥିବା କନଷ୍ଟେବଳ ଓ ହାବିଲ୍‌ଦାର ମାନେ ପ୍ରଶିକ୍ଷଣ ନେବା ପରେ ଏଏସ୍‌ଆଇ ହୋଇଥିଲେ। ନିୟମ ଅନୁସାରେ ଯେଉଁ କନଷ୍ଟେବଳମାନେ ୭ ବର୍ଷରୁ ଅଧିକ ଦିନ କାର୍ଯ୍ୟ କରିଥିବେ, ସେମାନେ ପରୀକ୍ଷାରେ ପାସ୍‌ କଲା ପରେ ଏଏସ୍‌ଆଇ ହେବେ ।  

ଦୀର୍ଘ ୧୮ ବର୍ଷ ପରୀକ୍ଷା ବନ୍ଦ ହେବା ଫଳରେ ଶତାଧିକ କନେଷ୍ଟବଳ ଓ ହାବିଲଦାର ପଦୋନ୍ନତିରୁ ବଞ୍ଚିତ ରହିଲେ। ଏମିତି ଅନେକ ଇତି ମଧ୍ୟରେ ଅବସର ନେଇଗଲେଣି । ଏହି ପରୀକ୍ଷାକୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଥିଲା । ଏଥିପାଇଁ କୋର୍ଟ କଚେରୀ ପର୍ଯ୍ୟନ୍ତ କଥା ମଧ୍ୟ ଯାଏ । ତେଣୁ ପରୀକ୍ଷା ହୋଇପାରି ନଥିଲା । ଫଳରେ ଏଏସ୍‌ଆଇ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଥିଲା । ଏସବୁକୁ ନଜରରେ ରଖି ରାଜ୍ୟ ସରକାର ଏଥର ବଡ଼ ନିଷ୍ପତ୍ତି ନେଇଛନ୍ତି ।

ଏଏସ୍‌ଆଇ ପରୀକ୍ଷା ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆଣିଛନ୍ତି । ପୂର୍ବରୁ ଥିବା ୧୦୦ ମାର୍କ ପରୀକ୍ଷକୁ ୨୦୦ ମାର୍କକୁ ବୃଦ୍ଧି କରାଯାଇଛି । ଏହି ୨ ଶହ ମାର୍କ ପରୀକ୍ଷାରେ ସିଆରପିସି, ଆଇପିସି, ଆଇନ, ଓଡିଆରୁ ଇଂରାଜୀ ଓ ଇଂରାଜୀରୁ ଓଡିଆ ଅନୁବାଦ ସହ ଜେନେରାଲ୍‌ ନଜେଲ ବିଷୟ ରହିବ । ଏହି ପରୀକ୍ଷାରେ ୪୦ ପ୍ରତିଶତ ମାର୍କ ରଖି ପାସ୍‌ କରିଥିବା କନଷ୍ଟେବଳଙ୍କୁ ତାଲିମ ନେଲା ପରେ ଏଏସ୍‌ଆଇ ପଦବିରେ ନିଯୁକ୍ତି ମିଳିବ । ଯେଉଁ କନଷ୍ଟେବଳମାନେ ୭ ବର୍ଷରୁ ଅଧିକ ଚାକିରି କରିଥିବେ ସେମାନେ ହିଁ ପରୀକ୍ଷା ଦେଇ ପାରିବେ । ତେବେ କେବେ ପରୀକ୍ଷା ହେବ ସେ ବିଷୟରେ କିଛି ଜଣାପଡ଼ି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.