ଜଙ୍ଗଲରେ ଚାଲିଥିଲା ବାଘ ଛାଲ ବିକ୍ରି ଡିଲ, ମାଡ଼ିବସିଲା ପୋଲିସ, ଛାଲ ସହ ୫ ଗିରଫ

Published By : Prameya-News7 Bureau | January 17, 2022 IST

ଦେବଗଡ, ୧୭ /୦୧: ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଆମ୍ବକଟା ଜଙ୍ଗଲରେ ବାଘଛାଲ ବିକ୍ରି ପାଇଁ ଯୋଜନା ଚାଲିଥିବା ବେଳେ ଜିଲ୍ଲା ପୋଲିସର ସ୍ବତନ୍ତ୍ର ସ୍କ୍ବାର୍ଡ ଛାଲ ଜବତ କରିବା ସହ ଏଥିରେ ସାମିଲ ଥିବା ପାଞ୍ଚ ଜଣଙ୍କୁ ଗିରଫ କରିଛି । ଦେବଗଡ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ବାରକୋଟ ଥାନା ଅନ୍ତର୍ଗତ ଆମ୍ବକଟା ଜଙ୍ଗଲରେ ଏକ କଲରାପତରିଆ ବାଘଛାଲ ବିକ୍ରି ପାଇଁ ଯୋଜନା ଚାଲିଥିବା ବେଳେ ଏନେଇ ପୋଲିସ ପାଖରେ ଖବର ପହଞ୍ଚିଥିଲା। ଏହି ଖବର ପାଇବା ପରେ ଦେବଗଡ ଏସଡିପିଓ ପ୍ରତ୍ୟୁଷ ମହାପାତ୍ରଙ୍କ ନେତୃତ୍ଵରେ ଗଠିତ ସ୍ବତନ୍ତ୍ର ପୋଲିସ ବାହିନୀ ବାରକୋଟ ପୋଲିସ ସହାୟତାରେ ଘଟଣାସ୍ଥଳରେ ଗ୍ରାହକ ବେଶରେ ପହଞ୍ଚି ବାଘଛାଲ ସହ ପାଞ୍ଚ ଜଣଙ୍କୁ ଗିରଫ କରିଥିଲେ ।

ଗିରଫ ପାଞ୍ଚ ଜଣଙ୍କ ମଧ୍ୟରୁ ଦେବଗଡ ଜିଲ୍ଲାର ଜଣେ ହୋଇଥିବା ବେଳେ ଅନ୍ୟ ଚାରିଜଣଙ୍କ ଘର ସୁନ୍ଦରଗଡ ଜିଲ୍ଲା ଅଞ୍ଚଳରେ ବୋଲି ଜଣାପଡ଼ିଛି। ଗିରଫ ପାଞ୍ଚ ଜଣ ବ୍ୟକ୍ତି ହେଲେ ଦେବଗଡ ଜିଲ୍ଲା ସିରିଗିଡା ଗ୍ରାମର ଧିରେନ ନାଏକ, ସୁନ୍ଦରଗଡ ଜିଲ୍ଲା ମହୁଲପଦା ଥାନା ଅନ୍ତର୍ଗତ ଜାଗୁତି ଗ୍ରାମର ନିରଞ୍ଜନ ନାଏକ, ମହୁଲପଦା ଗ୍ରାମର ଶୁକୁରୁ କୁଲୁ, ବଣେଇ ଅଞ୍ଚଳର ମୁସ୍ତାକ ଉଦ୍ଦିନ, ଲହୁଣୀପଡା ଅଞ୍ଚଳର ପତି କିଶାନ। ଗିରଫ ବ୍ୟକ୍ତିଙ୍କ ପାଖରୁ ସଦ୍ୟ ମରାଯାଇଥିବା ପ୍ରାୟ ଛଅ ଫୁଟ ଲମ୍ବର ଏକ କଲରାପତରିଆ ବାଘଛାଲ ଜବତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.