ନକଲି ଟୁର ଏଣ୍ଡ ଟ୍ରାଭେଲ କମ୍ପାନୀ ନାମରେ ଠକୁଥିବା ଯୁବତୀ ଗିରଫ, ଜାଣନ୍ତୁ କିପରି ଧରାପଡିଲା ପୋଲିସ ଜାଲରେ
2/11/2019 at 6:37 PM

ନୂଆଦିଲ୍ଲୀ : ନକଲି ଟୁର ଏଣ୍ଡ ଟ୍ରାଭେଲ କମ୍ପାନୀ ନାମରେ ଲୋକଙ୍କୁ ଠକୁଥିବା ଜନୈକା ଉଚ୍ଚ ଶିକ୍ଷିତା ଯୁବତୀଙ୍କୁ ବସନ୍ତକୁଞ୍ଜ ପୋଲିସ ଶେଷରେ ଗିରଫ କରିବାରେ ସଫଳ ହୋଇଛି। ଯୁବତୀ ଦୀର୍ଘ ଦିନରୁ ଇଣ୍ଟରନେଟ୍ ରେ ‘କ୍ଲିକ୍ ମେରାକି ପ୍ରାଇଭେଟ ଲିମିଟେଡ’ନାମରେ ଏକ କମ୍ପାନୀ ଚଳାଉଥିଲେ। ସେ ବିଦେଶ ଭ୍ରମଣରେ ଯାଉଥିବା ଲୋକଙ୍କୁ କମ୍ପାନୀ ମାଧ୍ୟମରେ ସେଠାରେ ବିଭିନ୍ନ ସେବା ଯୋଗାଇଦେବାର ଲୋଭନୀୟ ପ୍ରତିଶ୍ରୁତି ଦେଇ ବିପୁଳ ଟଙ୍କା ନେଉଥିଲେ ହେଁ ସେପରି କିଛି ସେବା ପ୍ରଦାନ କରୁନଥିଲେ।

କମ୍ପାନୀର ଠକେଇ ସମ୍ପର୍କରେ କେଶବ ଢିଙ୍ଗରା ନାମକ ଜନୈକ ବ୍ୟକ୍ତି ଅଭିଯୋଗ କରିଥିଲେ। ଏଥିରେ କମ୍ପାନୀ ତାଙ୍କୁ ୬ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଥିବା ଢିଙ୍ଗରା ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଚଳାଇଥିଲେ ହେଁ କମ୍ପାନୀ ଅଥବା ଏହାର ମାଲିକଙ୍କର କୌଣସି ସନ୍ଧାନ ପାଇ ପାରୁନଥିଲା। ତେବେ ଆସନ୍ତୁ ଜାଣିବା କିପରି ଧରାପଡିଲା ଠକେଇ।

ୱେବସାଇଟ୍ ଆଡ୍ରେସରେ ପୋଲିସ ଅନୁସନ୍ଧାନ ଆରମ୍ଭ କରିଥିଲା। ତେବେ ଏଥିରୁ ବିଶେଷ କିଛି ସୁଫଳ ମିଳିନଥିଲା। ତେବେ ଅନଲାଇନ ଫୁଡ ଅର୍ଡରରୁ ଜଣାପଡିଥିଲା ଠକ କମ୍ପାନୀ ମାଲିକର ସନ୍ଧାନ। ଫୁ଼ଡ ଅର୍ଡର କରି ଘରେ ଅପେକ୍ଷା କରିରହିଥିବା ବେଳେ ଖାଦ୍ୟ ପ୍ୟାକେଟ୍ ବଦଳେ ପହଞ୍ଚିଥିଲା ହାତକଡି। ପୋଲିସ ତୁବା ଫାତମା ନାମ୍ନୀ ୨୮ ବର୍ଷ ବୟସ୍କା ଯୁବତୀଙ୍କୁ ଗିରଫ କରିଥିବା ବେଳେ ମାମଲାର ଅଧିକ ତଦନ୍ତ ଜାରି ରହିଛି। ଫାତମା ବେଙ୍ଗାଲୁରୁରେ ବିଟେକ୍ ଉତୀର୍ଣ୍ଣ ହେବା ପରେ ଚାକିରୀର ସନ୍ଧାନ କରିଥିଲା। ତେବେ ମନଲାଖି ଚାକିରୀ ନ ମିଳିବାରି ସେ ଅନଲାଇନ ଠକେଇ ବେପାର ଆରମ୍ଭ କରିଥିଲା। ଏଥିରେ ତାକୁ ତାର ଭାଇ ଓ ସାଙ୍ଗମାନେ ସହଯୋଗ କରୁଥିଲେ। ତେବେ ମାମଲାରେ ପୋଲିସ ଏକାକୀ ତୁବାକୁ ଗିରଫ କରିଛି।