ଅଜବ ତଦନ୍ତ : ଜେଲ୍‌ରେ ଥିଲା ଯୁବକ, ତଥାପି ଚୋରି ଘଟଣାରେ ଅଭିଯୁକ୍ତ ସଜାଇଲା ପୋଲିସ

Published By : Prameya-News7 Bureau | November 12, 2019 IST

ଉଦଳା ୧୨।୧୧: ଜେଲରେ ଥାଇ କେମିତି ଅପରାଧ ଘଟାଇଲେ ଅଭିଯୁକ୍ତ। ଏକ ଅପରାଧିକ ମାମଲାରେ ସଂପୃକ୍ତ ଜଣେ ଯୁବକ ୨୦ ଦିନ ଜେଲରେ ରହିଲେ । ହେଲେ ସେହି ସମୟରେ ଅନ୍ୟ ଏକ ଚୋରି ଘଟଣାରେ ତାଙ୍କୁ ଅଭିଯୁକ୍ତ ସଜାଇଲା ପୋଲିସ । ଏମିତି ଏକ ଘଟଣା ସାମ୍ନାକୁ ଆସିବା ପରେ ଉଦଳା ଥାନା ପୋଲିସର ଅପାରଗତା ଏବେ ପଦାରେ ପଡିଛି । 

{"id":182903}

ସୂଚନାଯୋଗ୍ୟ ଯେ, ଗତ ୨୦୧୮ ନଭେମ୍ବର ୮ ତାରିଖରେ ଉଦଳା ଥାନା ନୂଆସାହି ଗାଁର ରମାକାନ୍ତ ନାୟକଙ୍କୁ ପୋଲିସ ଗିରଫ କରିଥିଲା । ଏହାପରେ  ଉଦଳା ଉପଜିଲ୍ଲାପାଳଙ୍କ କୋର୍ଟରେ ହାଜର କରିଥିଲା ପୋଲିସ । ଅଭିଯୁକ୍ତଙ୍କର ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ତାଙ୍କୁ ଜେଲକୁ ପଠାଇ ଦିଆଯାଇଥିଲା । ପୁନଶ୍ଚ ୨୨ ତାରିଖରେ ତାଙ୍କର ଜାମିନ ନାମଞ୍ଜୁର ହେବାରୁ ସେ ଜେଲରେ ବିଚାରଧୀନ କଏଦୀ ଭାବେ ରହିଥିଲେ । ଶେଷରେ ନଭେମ୍ବର ୨୯  ତାରିଖ ଦିନ ୨୦ ହଜାର ଟଙ୍କାର ବେଲବଣ୍ଡରେ ସେ ଜାମିନରେ ଆସିଥିଲେ । ହେଲେ ଉକ୍ତ ୨୦୧୮ ନଭେମ୍ବର ୧୧ ତାରିଖ ବିଳମ୍ବିତ ରାତିରେ ଉଦଳା ଥାନା ଭୀମତାଳି ଛକ ନିକଟରେ ଥିବା ସାଇ ମନ୍ଦିରରୁ ଚୋରି ହୋଇଥିଲା । ଏ ନେଇ ୧୨  ତାରିଖରେ ଉଦଳା ଥାନା ଅଭିଯୋଗ ପରେ  ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ସେହି ଘଟଣାରେ ଗତ ୨୦୧୯ ଫେବୃଆରୀ ୨୪ ତାରିଖ ଦିନ ଭୀମତାଳି ସାଇ ମନ୍ଦିର ଚୋରି ଘଟଣାରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । 

{"id":182904}

ସବୁଠାରୁ ବଡ କଥା ହେଲା ଏହି ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ରହିଥିଲେ ରମାକାନ୍ତ ନାୟକ । ତେବେ ପ୍ରଶ୍ନ ଉଠୁଛି ୨୦୧୮ ନଭେମ୍ବର ୮  ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଜେଲରେ ରହିଥିବା ନୂଆସାହି ଗାଁର ରମାକାନ୍ତ ନାୟକ ଏହି ସାଇ ମନ୍ଦିର ଚୋରି ଘଟଣାରେ ଦୋଷୀ ଭାବେ ଗିରଫ ହେଲେ କେମିତି । କାରଣ ୨୦୧୮ ନଭେମ୍ବର ୮ ତାରିଖରୁ  ୨୯ ତାରିଖ ପର୍ଯ୍ୟନ୍ତ  ସେ ଜେଲରେ ଥିଲେ । ଏହି ସମୟରେ ଜେଲରେ ଥିବା  ରମାକାନ୍ତ  ନଭେମ୍ବର ୧୧ ତାରିଖ ବିଳମ୍ବିତ ରାତିରେ ସାଇ ମନ୍ଦିରରୁ ଚୋରି କଲେ କିପରି ?  ଜେଲରେ ଥିବା ଅଭିଯୁକ୍ତ କିପରି ଆସି ଚୋରି କରିଲେ, ଏହାକୁ ନେଇ ଉଦଳା ପୋଲସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.