ସ୍ବାମୀର ଅତ୍ୟାଚାର ସହି ପାରିଲାନି ସ୍ତ୍ରୀ : ହାତ ବାନ୍ଧି ବେଲଣା କାଠିରେ ଚିପି ଦେଲା ତଣ୍ଟି

Published By : Prameya-News7 Bureau | July 03, 2020 IST

ନୋଏଡ଼ା ୩/୭: ନୋଏଡ଼ାର ସେକ୍ଟର ୨୦ରେ ହୋଇଥିବା ହତ୍ୟାକାଣ୍ଡର ପୋଲିସ୍ ଚାଞ୍ଚଲ୍ୟକର ଖୁଲାସା କରିଛି ଯାହାକୁ ଶୁଣି ସମସ୍ତଙ୍କ ହୋଶ୍ ଉଡ଼ିଯାଇଛି। ପୋଲିସ୍ ଜଣେ ଯୁବକଙ୍କ ହତ୍ୟା ମାମଲାରେ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି। ପୋଲିସ୍ ସାମନାରେ ନିଜ ଦୋଷ ସ୍ବୀକାର କରିଥିବା ପତ୍ନୀ କହିଛନ୍ତି ଯେ ତାଙ୍କ ସ୍ବାମୀ ମଦ ପିଇ ଘରକୁ ଫେରିଥିଲା ଏବଂ ତାଙ୍କୁ ମାରପିଟ କରିବାକୁ ଲାଗିଲା। ସେହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଯାହା ପରେ ସେ ସ୍ବାମୀର ହାତ ଦଉଡ଼ିରେ ବାନ୍ଧି ବେଲଣା କାଠିରେ ଗଳା ଚିପି ହତ୍ୟା କରି ଦେଇଥିଲେ।

ଜୁନ୍ ୨୬ତାରିଖ ସକାଳେ ଥାନା ସେକ୍ଟର ୨୦ର ପୋଲିସକୁ ସେକ୍ଟର ୮ଅଞ୍ଚଳରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହ ମିଳିଥିଲା। ପୋଲିସ୍ ଅଜଣା ବ୍ୟକ୍ତି ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଦେଇଥିଲା। ତଦନ୍ତ ସମୟରେ ଯୁବକ ୩୨ବର୍ଷ ବୟସ୍କ ଚୁନ୍ନୁ ପାସଓ୍ବାନ ବୋଲି ଜଣା ପଡ଼ିଥିଲା। ସେ ବିହାରର ପାଟନାରେ ରହୁଥିଲା।

ଚୁନ୍ନୁ ପାସଓ୍ବାନ ଇ-ରିକ୍ସା ଚଲାଉଥିଲା। ତା ପରିବାରରେ ପତ୍ନୀ ଏବଂ ୨ପୁଅ। ତା ପରିବାର ସେକ୍ଟର ୮ରେ ଝୁଗ୍ଗୀରେ ରହୁଥିଲେ। ପୋଷ୍ଟମର୍ଟମ ରିପୋର୍ଟରେ ସାମନାକୁ ଆସିଥିଲା ଯେ ତା ମୃତ୍ୟୁ ତଣ୍ଟି ଚିପିବା ଦ୍ବାରା ହୋଇଛି। ସେ ମଦ ପିଇ ନିଜ ପତ୍ନୀଙ୍କ ସହ ଝଗଡ଼ା ଏବଂ ମାରପିଟ କରୁଥିଲା।

ସନ୍ଦେହ ଯୋଗୁଁ ପୋଲିସ୍ ମୃତକର ପତ୍ନୀଙ୍କୁ ହେପାଜତରେ ନେଇ ପଚରାଉଚୁରା କରିଥିଲେ। ମହିଳା କହିଥିଲେ ଯେ ସେ ନିଜ ସ୍ବାମୀଙ୍କ ମଦ ପିଇବା ଅଭ୍ୟାସ ଯୋଗୁଁ ଚିନ୍ତିତ ଥିଲେ। ଏଥିପାଇଁ ସେମାନଙ୍କ ଘର ମାଲିକ ମଧ୍ୟ ଅତ୍ୟନ୍ତ ଚିନ୍ତିତ ରହୁଥିଲେ। ତାର ଏହି ଅଭ୍ୟାସ ଯୋଗୁଁ ସେମାନଙ୍କୁ ଅନେକ ଥର ଘର ଛାଡ଼ିବାକୁ ପଡ଼ିଥିଲା। ସେକ୍ଟର-୮ର ଘରକୁ ମଧ୍ୟ ସେ ପାଖାପାଖି ୨ମାସ ହେଲା ଆସିଥିଲେ।

ମହିଳା କହିଥିଲେ ଯେ ସେ ନିଜ ସ୍ବାମୀକୁ ନିଶା ମୁକ୍ତି କେନ୍ଦ୍ରକୁ ମଧ୍ୟ ପଠାଇଥିଲେ କିନ୍ତୁ ତଥାପି କୌଣସି ପରିବର୍ତ୍ତନ ହୋଇନଥିଲା। ଜୁନ୍ ୨୫ତାରିଖ ରାତିରେ ତାଙ୍କ ସ୍ବାମୀ ମଦ ପିଇ ଘରକୁ ଫେରିଥିଲା ଏବଂ ନିଶାସକ୍ତ ଅବସ୍ଥାରେ ତାଙ୍କ ସହ ମାରପିଟ କରିଥିଲେ। ଯାହା ପରେ ସେ ସ୍ବାମୀର ହାତ ଦଉଡ଼ିରେ ବାନ୍ଧି ବେଲଣାରେ ତା ଗଳା ଚିପି ଦେଇଥିଲେ। ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଯାଇଥିଲା। ପୋଲିସ୍ ମହିଳାଠୁ ବେଲଣା କାଠି ଏବଂ ଦଉଡ଼ି ଜବତ କରି ତାକୁ ଜେଲ୍ ପଠାଇ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.