ବାୟୁସେନାର ଅବସରପ୍ରାପ୍ତ ଅଧିକାରୀ ଡାକ୍ତର ହୋଇ କଲେଣି ୭୦ହଜାର ଅପରେସନ : ଏବେ ଜଣାପଡିଲା ତାଙ୍କ ସାର୍ଟିଫିକେଟ ନକଲି, ପୋଲିସ କଲା ଗିରଫ…

Published By : Prameya-News7 Bureau | October 01, 2019 IST

ସାହାରନପୁର ୧/୧୦: ଏମବିବିଏସର ନକଲି ଡିଗ୍ରୀ ଆଧାରରେ ଦୀର୍ଘ ବର୍ଷ ଯାଏଁ ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଥିବା ଜଣେ ଡାକ୍ତର ଏବଂ ନର୍ସିଙ୍ଗହୋମର ସଞ୍ଚାଳକଙ୍କୁ ପୋଲିସ୍ ଗିରଫ କରିଛି। ଅଭିଯୁକ୍ତକୁ କୋର୍ଟରେ ହାଜର କରାଯାଇ ଜେଲ୍ ପଠାଯାଇଛି।  ଅଭିଯୁକ୍ତ କର୍ଣ୍ଣାଟକର ଜଣେ ଡାକ୍ତରଙ୍କ ଡିଗ୍ରୀକୁ ସ୍କାନ୍ କରି ନିଜ ଫଟୋ ଲଗାଇ ଏବଂ ନାଁ ବଦଳାଇ ସ୍ବାସ୍ଥ୍ୟ ବିଭାଗରେ ଚାକିରୀ ପାଇଥିଲେ ଏବଂ ପାଖାପାଖି ୧୦ବର୍ଷ ହେଲା ଦେଓବନ୍ଦରେ ନର୍ସିଂ ହୋମ୍ ଚଲାଉଥିଲେ। ଅଭିଯୁକ୍ତ ବାୟୁସେନାର ଜଣେ ଅବସରପ୍ରାପ୍ତ ହାବିଲଦାର।

ଏସପି ଗତକାଲି ପ୍ରେସ କନଫରେନ୍ସରେ କହିଥିଲେ ଯେ ଅଭିଯୁକ୍ତ ରାଜେଶ ଶର୍ମା ଓରଫ ଓମପାଲ ଶର୍ମାଙ୍କୁ ଗତକାଲି ସକାଳେ ତଲହେଡ଼ି ଚୁଙ୍ଗୀରୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ଗତ ରବିବାର ଦେଓବନ୍ଦର ମାଙ୍ଗାଲୋର ରୋଡ ସ୍ଥିତ ନବଜୀବନ ନର୍ସିଙ୍ଗ ହୋମର ସଞ୍ଚାଳକ ଡାକ୍ତର ରବି ପ୍ରକାଶ ଖୁରାନା ଅଭିଯୋଗ କରିଥିଲେ।

ରବି କହିଛନ୍ତି ଯେ ସେ ଶିବମ୍ ନର୍ସିଂ ହୋମରେ ସର୍ଜରି କରୁଥିବା ଡାକ୍ତର ରାଜେଶ ଶର୍ମାଙ୍କୁ ସର୍ଜରି କରିବା ନିମନ୍ତେ ଡାକୁଥିଲେ। ରାଜେଶ ଭୁଲଭାଲ ସର୍ଜରି କରୁଥିବାରୁ ରବିଙ୍କୁ ତାଙ୍କର ଏମବିବିଏସ,ଡିଏନବି ଜର୍ନଲ ସର୍ଜରି ଡିଗ୍ରୀ ଉପରେ ସନ୍ଦେହ ହୋଇଥିଲା। ଏହା ପରଠୁ ସେ ଆଉ ରାଜେଶଙ୍କୁ ଡାକିନଥିଲେ। ରାଜେଶ ଯେଉଁ ରେଜିଷ୍ଟେସନ ନମ୍ବର କହିଥିଲେ ସେହି ନମ୍ବରକୁ ଇଣ୍ଟରନେଟରେ ୟୁପି ମେଡିକାଲ କାଉନସିଲରେ ସର୍ଚ୍ଚ କରିବାରୁ ତାହା ଅନ୍ୟର ବୋଲି ଜଣାପଡ଼ିଥିଲା।

ରାଜେଶ କୌଣସି ଏମବିବିଏସ ଡିଗ୍ରୀ ହାସଲ କରିନଥିଲେ। ସେ ରାଜେଶଙ୍କ ପତ୍ନୀ ସତ୍ୟା ଶର୍ମାଙ୍କ ଡିଗ୍ରୀ ଉପରେ ମଧ୍ୟ ସନ୍ଦେହ କରିଥିଲେ।

ଏସପିଙ୍କ କହିବାନୁସାରେ ଅଭିଯୁକ୍ତ ୧୦ବର୍ଷ ହେଲା ନିଜର ଏକ ନର୍ସିଙ୍ଗ ହୋମ୍ ଚଲାଉଛି। ପ୍ରଥମେ ନାଗଲରେ ଶିବମ୍ ନର୍ସିଙ୍ଗ ହୋମ୍ ଖୋଲିଥିଲେ,ଏହାପରେ ୨୦୧୮ରୁ ଦେଓବନ୍ଦରେ ଶିବମ୍ ନର୍ସିଙ୍ଗ ହୋମ୍ ଆରମ୍ଭ କରିଥିଲେ। ଏଠାରେ ସେ ତାଙ୍କ ପତ୍ନୀ ସତ୍ୟା ଶର୍ମାଙ୍କ ସହ କାର୍ଯ୍ୟରତ ଥିଲେ। ଏହା ବ୍ୟତୀତ ଆୟୁଷ୍ମାନ୍ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ମଧ୍ୟ ଏହି ନର୍ସିଂହୋମ୍ ମନୋନୀତ ହୋଇଛି। ଏହି ଯୋଜନା ଅନୁସାରେ ପାଖାପାଖି ୧୪ଲକ୍ଷ ଟଙ୍କା କ୍ଲେମ୍ ନିଆଯାଇଛି। ଅଭିଯୁକ୍ତର କହିବା ଅନୁସାରେ ସେ ଏବେ ଯାଏଁ ୭୦ହଜାର ଅପରେସନ କରି ସାରିଛି।

{"id":165013,"width":590,"height":443}



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.