ଅର୍ଥଲୋଭରେ ସନ୍ଥବାବାଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ, ପୋଲିସ୍‌ କଲା ପର୍ଦ୍ଦାଫାଶ

Published By : Prameya-News7 Bureau | March 05, 2021 IST

ବରଗଡ଼, ୦୫/୦୩: ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ରେଙ୍ଗାଲି କ୍ୟାମ୍ପଠାରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା ବାଳ ଯୋଗେଶ୍ୱରୀ ଆଶ୍ରମରେ ଜଣେ ସନ୍ଥବାବାଙ୍କୁ କିଛିଦିନ ତଳେ ହତ୍ୟା କରାଯାଇଥିବାର ଖବର ମିଳିଥିଲା । ବର୍ତ୍ତମାନ ପୋଲିସ ଏହି ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ରେଙ୍ଗାଲିକ୍ୟାମ୍ପ ମାଲିପଡାର ସୁରେନ ପଟେଲ(୨୯) ହୋଇଥିବା ଜଣାପଡ଼ିଛି ।

ଏନେଇ ଶୁକ୍ରବାର ଅତାବିରା ଥାନା ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ଏସ୍‌ଡିପିଓ ଦୀପକ କୁମାର ଗୋଚ୍ଛାୟତ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ସୁରେନ ମୃତ ସନ୍ଥବାବା ସ୍ୱାମୀ ଦାମୋଦର ସଦାଙ୍କ ସହିତ ପୂର୍ବରୁ ସମ୍ପର୍କ ସ୍ଥାପନ କରି ଆଶ୍ରମକୁ ଯିବା ଆସିବା କରୁଥିଲା ।

ଅଭିଯୁକ୍ତ ପାଖରେ ଆର୍ଥିକ ସମସ୍ୟା ଦେଖାଯିବାରୁ ଅର୍ଥଲୋଭରେ ସେ ସନ୍ଥବାବାଙ୍କୁ ହତ୍ୟା କରିଥିବା ନେଇ ପୋଲିସ ଆଗରେ ସ୍ୱୀକାର କରିଥିବା ଏସଡିପିଓ ଗୋଚ୍ଛାୟତ କହିଛନ୍ତି । ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଏକ ହତ୍ୟା ମାମଲା (ନଂ-୫୦/୨୧) ରୁଜୁ ହୋଇଛି । ସାମ୍ବାଦିକ ସମ୍ମିଳନୀରେ ଅତାବିରା ଥାନା ଆଇଆଇସି ପୁରୁଷୋତ୍ତମ ଭୋଇ ମଧ୍ୟ ଉପସ୍ଥିତ ଥିବା ଜଣାପଡ଼ିଛି ।

ତେବେ ଗତମାସ ୨୨ ତାରିଖରେ ଆଶ୍ରମ ଭିତରୁ ମୃତ ସନ୍ଥଙ୍କ କ୍ଷତ ବିକ୍ଷତ ମୃତଦେହ ଜବତ ହୋଇଥିଲା । ଘଟଣାସ୍ଥଳର ପାରିପାର୍ଶ୍ୱିକ ସ୍ଥିତିରୁ ତାହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଇଥିଲା । ବରଗଡ଼ ଏସପି ପଦ୍ମିନୀ ସାହୁଙ୍କ ନିର୍ଦ୍ଦେଶକ୍ରମେ ଅତାବିରା ପୋଲିସ ଉପରୋକ୍ତ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.