ପଞ୍ଚତାରକା ହୋଟେଲରେ ମଡେଲ୍‌ଙ୍କୁ ଦୁଷ୍କର୍ମ, ଅଭିଯୁକ୍ତକୁ ଖୋଜୁଛି ପୋଲିସ

Published By : Prameya-News7 Bureau | February 25, 2021 IST

ନୂଆଦିଲ୍ଲୀ ୨୫/୦୨ : ରାଜଧାନୀ ଦିଲ୍ଲୀରେ ଜଣେ ମଡେଲ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ମଡେଲଜଣକ ଚାଣକ୍ୟପୁର ଥାନାରେ ଅଭିଯୋଗ କରିଛନ୍ତି । FIR ରୁଜୁ ପରେ ମାମଲାର ତଦନ୍ତ ଆରମ୍ଭ କରିଦେଇଛି ପୋଲିସ ।

ଅଭିଯୋଗ କରିଥିବା ମଡେଲଙ୍କ କହିବା ଅନୁଯାୟୀ, ମୁମ୍ବାଇରୁ ତାଙ୍କର ଜଣେ ବନ୍ଧୁ ଦିଲ୍ଲୀ ଆସିଥିଲେ । ତେବେ ଦିଲ୍ଲୀରେ ପହଞ୍ଚିବା ପରେ ଯୁବତୀଙ୍କୁ ଦେଖାକରିବା ପାଇଁ ଖାନ୍‌ ମାର୍କେଟ୍‌କୁ ଡକାଇଥିଲେ ଯୁବକ । ସେଠାରୁ ଉଭୟ ଏକ ପଞ୍ଚତାରକା ହୋଟେଲକୁ ଯାଇଥିଲେ । ତେବେ ଉକ୍ତ ହୋଟେଲରେ ଯୁବକଜଣକ ଦୁଷ୍କର୍ମ କରିଥିବା କହିଛନ୍ତି ପୀଡିତା । କେବଳ ସେତିକି ନୁହେଁ ବାହାରେ ଏକଥା ପ୍ରକାଶ କଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ବୋଲି ମଡେଲଜଣକ ଅଭିଯୋଗରେ ଦର୍ଶାଇଛନ୍ତି ।

ସୂଚନା ଅନୁସାରେ, ଯୁବକଜଣକ ନିଜ ପିତା ଏବଂ ସମ୍ପର୍କୀୟଙ୍କ ସହିତ କୌଣସି କାମରେ ମୁମ୍ବାଇରୁ ଦିଲ୍ଲୀ ଆସିଥିଲେ । ସମସ୍ତେ ଦିଲ୍ଲୀର ଏକ ହୋଟେଲରେ ରହିଥିଲେ । ତେବେ ଅଭିଯୁକ୍ତଜଣକ ପରଦିନ ଅନ୍ୟ ଏକ ହୋଟେଲରେ ରୁମ୍‌ ବୁକ୍‌ କରିଥିଲା ଏବଂ ଚକ୍ରାନ୍ତ କରି ମଡେଲଙ୍କୁ ଉକ୍ତ ପଞ୍ଚତାରକା ହୋଟେଲକୁ ନେଇ ସେଠାରେ ତାଙ୍କ ସହିତ ଦୁଷ୍କର୍ମ କରିଥିଲା ।

ଏ ନେଇ ଦିଲ୍ଲୀ ପୋଲିସ କହିଛି ଯେ, ପୀଡିତାଙ୍କ ଅଭିଯୋଗ ଅନୁଯାୟୀ ମାମଲା ରୁଜୁ ହୋଇଛି । ଅଭିଯୁକ୍ତ ଯୁବକକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି ପୋଲିସ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.