ଦାନ୍ତେଓ୍ବାଡାରେ ସୁରକ୍ଷାବଳ ଏବଂ ମାଓବାଦୀଙ୍କ ମଧ୍ୟରେ ସଂଘର୍ଷ, କୁଖ୍ୟାତ ମାଓବାଦୀ ହୁଙ୍ଗା ନିପାତ

Published By : Prameya-News7 Bureau | April 11, 2021 IST

ରାୟପୁର  ୧୧/୦୪: ରବିବାର ଦିନ ଛତିଶଗଡ଼ ଦାନ୍ତେଓ୍ବାଡାରେ ସୁରକ୍ଷାବଳ ଏବଂ ମାଓବାଦୀଙ୍କ ମଧ୍ୟ​‌ରେ ଜୋରଦାର ଫାଇଟ୍‌ ଦେଖିବାକୁ ମିଳିଛି। ଗୁଳିବିନିମୟରେ  ଏକାଧିକ ମାଓବାଦୀ ନିହତ ହୋଇଥିବା ବେଳେ ବେଟ୍ଟି ହୁଙ୍ଗା ପ୍ରାଣ ହରାଇଥିବା ସୂଚନା ମିଳିଛି। ତେବେ ପୋଲିସ ହୁଙ୍ଗାର ମୃତଦେହ ଉଦ୍ଧାର କରିଥିବା ବେଳେ ତା ମୁଣ୍ଡ ଉପରେ ଲକ୍ଷେ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଦାନ୍ତେଓ୍ବାଡାର ଗାଦମ ଏବଂ ଜଙ୍ଗମପାଲ ଜଙ୍ଗଲରେ ଏବେ ଗୁଳିବିନିମୟ ଜାରି ରହିଥିବା ମଧ୍ୟ ଜଣାପଡ଼ିଛି।

ଘଟଣାସ୍ଥଳରୁ ସୁରକ୍ଷାବଳ ୨ କେଜିର ଆଇଇଡି ବିସ୍ଫୋଟକ ଜବତ କରିଥିବା ବେଳେ  ଗୋଟିଏ ୮ ଏମଏମ ପିସ୍ତଲ, ଗୋଟିଏ ଗୁଳି ପୂର୍ଣ୍ଣ ବନ୍ଧୁକ, ନକ୍ସଲୀ ସାହିତ୍ୟ ଏବଂ ଅନ୍ୟ ସାମଗ୍ରୀ ଜବତ କରିଛି। ସୂଚନାଯୋଗ୍ୟ, ଗତ ସପ୍ତାହରେ ବିଜାପୁରରେ ହୋଇଥିବା ନକ୍ସଲ ହମଲାର ଜବାବରେ  ୧୨ ମାଓବାଦୀଙ୍କୁ ନିପାତ କରିଥିଲେ ଯବାନ। ନକ୍ସଲଙ୍କ ସହ ହୋଇଥିବା ଲଢ଼େଇରେ ୨୨ ଜଣ ଯବାନ ସହିଦ ହୋଇଥିଲେ ଏବଂ ୩୨ ଜଣ ଆହତ ହୋଇଥିଲେ।

ଏହା ସହ ଜଣେ ଯବାନଙ୍କୁ ମାଓବାଦୀ ବନ୍ଦୀ କରିନେଇଥିଲେ। ତେବେ ସରକାରଙ୍କ ଅନୁସାରେ ଛତିଶଗଡ଼ର ୮ ଜିଲ୍ଲା ନକ୍ସଲ ପ୍ରବଣ । ଏଥିରେ ବିଜାପୁର, ସୁକମା, ବସ୍ତର, ଦାନ୍ତେଓ୍ବାଡା, କାଙ୍କେର, ନାରାୟଣପୁର, ରାଜନନ୍ଦଗାଁ ଏବଂ କୋଣ୍ଡାଗାଁ ସାମିଲ। ୧୦ ବର୍ଷରେ ଏହି ସବୁ ସ୍ଥାନରେ ୩,୭୨୨ ମାଓ ଆକ୍ରମଣ ହୋଇଥିବା ବେ​‌ଳେ ୪୮୯ ଯବାନ ସହିଦ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.