ହକି ବିଶ୍ବକପ୍ ; ଆସନ୍ତାକାଲି ବାରବାଟୀ ଷ୍ଟାଡିୟମରେ ଶୋ, ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ପୋଲିସ ଓ ଜିଲ୍ଲା ପ୍ରଶାସନ
27/11/2018 at 4:17 PM

କଟକ ୨୭|୧୧: ବିଶ୍ବକପ୍ ହକି ପାଇଁ ଐତିହାସିକ ମୁହୂର୍ତ୍ତ। ହକି ଇତିହାସରେ ଯାହା କେବେ ଦେଖିବାକୁ ମିଳିନଥିଲା ତାହାର ସାକ୍ଷୀ ହେବ ସାରା ବିଶ୍ବ। ନୂଆ ଇତିହାସ ସୃଷ୍ଟି କରିବ ଓଡ଼ିଶା। ପ୍ରଥମଥର ଲାଗି ବିଶ୍ବକପ୍ ହକି ପାଇଁ ହେବ ରଙ୍ଗାରଙ୍ଗ ଉଦଘାଟନୀ ଉତ୍ସବ। ଏଥିପାଇଁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ। ଦୁଇ ଘଣ୍ଟା ଧରି ନୃତ୍ୟଗୀତରେ ବିଭୋର କରିବେ ନାମୀଦାମୀ କଳାକାର। ଷ୍ଟାଡିୟମର ମହାମଞ୍ଚରେ ଏକାଠି ଦିଶିବେ ବଲିଉଡର ନାମୀ ତାରକା। କଳିଙ୍ଗ ଷ୍ଟାଡିୟମରେ ଉଦଘାଟନ ହେବ ବିଶ୍ବକପ୍ ହକିର ୧୪ତମ ସଂସ୍କରଣ ।
ଆସନ୍ତାକାଲି ବାରବାଟୀରେ ଶୋ । ମ୍ୟୁଜିକ୍ ମାଷ୍ଟ୍ରୋ ଏ.ଆର. ରେହମାନଙ୍କ ସୋ ପାଇଁ ଭିଡ ଜମିବ । ଏଥିପାଇଁ ସମସ୍ତେ ଉତ୍ସାହିତ । ପାଖାପାଖି ୩୫ ହଜାର ଲୋକଙ୍କ ପାଇଁ ହୋଇଛି ବ୍ୟବସ୍ଥା । ବାରବାଟୀ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛି ପୋଲିସ ଓ ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ, ଡିସିପି, ଅଗ୍ନିଶମ ଓ ଏନଡିଆରଏଫର ଅଧିକାରୀମାନେ ସବୁ ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଡିସିପି କହିଛନ୍ତି । ଶୋ ଦେଖିବାକୁ ଆସୁଥିବା ଦର୍ଶକଙ୍କ ପାଇଁ ୨୮ ତାରିଖ ସାଢେ ୨ଟାରେ ଗେଟ୍ ଖୋଲାଯିବ ।