ଓଡିଶାକୁ ପୋଲାଭରମ୍ ଝଟ୍କା : ଆଉ ଦୁଇ ବର୍ଷ କାମ ଜାରି ରଖିବାକୁ ଆନ୍ଧ୍ରକୁ ଅନୁମତି
27/06/2019 at 3:33 PM

ନୂଆଦିଲ୍ଲୀ ୨୭|୬: ଓଡ଼ିଶାକୁ ପୋଲାଭରମ୍ ଝଟକା । ବିବାଦୀୟ ପୋଲାଭରମ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆଉ ଦୁଇ ବର୍ଷ ଚାଲୁ ରଖିବା ପାଇଁ ଆନ୍ଧ୍ରକୁ ଅନୁମତି ମିଳିଛି । ପରିବେଶ ମଞ୍ଜୁରୀ ଉଲ୍ଲଙ୍ଘନ ପ୍ରସଙ୍ଗରେ ୨୦୧୧ର କାର୍ଯ୍ୟବନ୍ଦ ଆଦେଶନାମାକୁ ପୁଣି ସ୍ଥଗିତ ରଖାଯାଇ ଆସନ୍ତା ଦୁଇ ବର୍ଷ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଚାଲୁ ରଖିବାକୁ ଅନୁମତି ଦିଆଯାଇଛି । ଏ ନେଇ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ବୁଧବାର ଘୋଷଣା କରିଛନ୍ତି ।
୨୦୧୪ରେ ଏନଡିଏ ସରକାର କ୍ଷମତାକୁ ଆସିବା ପରଠାରୁ ଏହି ପ୍ରକଳ୍ପ କାର୍ଯ୍ୟବନ୍ଦ ଆଦେଶନାମା ଉପରେ ଏକ ବର୍ଷ ଲେଖାଏଁ ସ୍ଥଗିତାଦେଶ ଜାରି କରୁଥିଲେ । ଚଳିତ ଥର ଏହି ଅବଧିକୁ ୨ ବର୍ଷ ବଢ଼ାଇ ଦେଇଛନ୍ତି । ଗତବର୍ଷ ଜୁଲାଇ ୧୦ରେ ଏକ ବର୍ଷ ପାଇଁ ସ୍ଥଗିତାଦେଶ ଜାରି ଘୋଷଣା ପରେ ଏହାକୁ ବିରୋଧ କରି ଓଡ଼ିଶା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ତେବେ ଡିସେମ୍ବର ୩ ଶୁଣାଣିରେ ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ ଆଦେଶ ଦେବାକୁ ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ ମନା କରିଦେଇଥିଲେ। ଓଡ଼ିଶା ସରକାରଙ୍କ ଆବେଦନକୁ ସୁପ୍ରିମକୋର୍ଟଙ୍କ ଅଗ୍ରାହ୍ୟ ପରେ ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜାରି ରହିବ ବୋଲି ସ୍ପଷ୍ଟ ହୋଇଥିଲା । ମାମଲା ଏବେ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ରହିଛି ।