ପୋଖରାନ ପରମାଣୁ ପରୀକ୍ଷଣ ଓ ବାଜପେୟୀ

Published By : Prameya-News7 Bureau | August 16, 2018 IST

ଇତିହାସ ସେଇମାନେ ହିଁ ସୃଷ୍ଟି କରନ୍ତି, ଯେଉଁମାନେ ନିଜଠୁ ଉର୍ଦ୍ଧରେ ରଖନ୍ତି ଅନ୍ୟମାନଙ୍କୁ, ସମାଜକୁ , ଦେଖିପାରନ୍ତି ଭବିଷ୍ୟତକୁ । ଏମିତି ଜଣେ ଅନନ୍ୟ ବ୍ୟକ୍ତିତ୍ବ ଅଟଳ ବିହାରୀ ବାଜପେୟୀ । ଯେତେବେଳେ ଭାରତର ପରମାଣୁ ପରୀକ୍ଷଣ ଉପରେ ଆମେରିକା ସମେତ ଚାରିଆଡୁ ଚାପ ପଡ଼ିଥିଲେ, ସେତେବେଳେ ଅଦମ୍ୟ ସାହସ ଦେଖାଇଥିଲେ ବାଜପେୟୀ । ପୋଖରାନରେ ପରମାଣୁ ପରୀକ୍ଷଣ ପାଇଁ ଦେଇଥିଲେ ଅନୁମତି । ବାଜପେୟୀଙ୍କ ଅଦମ୍ୟ ସାହସ ଯୋଗୁଁ ୧୯୯୮ ମସିହା ମେ ୧୧ ତାରିଖରେ ରାଜସ୍ଥାନର ପୋଖରାନରେ ହସିଥିଲେ ବୁଦ୍ଧ ।… ପୋଖରାନ…ଭାରତର ଶକ୍ତି, ସମ୍ମାନର ସାକ୍ଷୀ…ସେହି ସାକ୍ଷୀର ମହାନାୟକ ଅଟଳ…ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ।୯ ଏପ୍ରିଲ ୧୯୯୮ । ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଭେଟିଥିଲେ ସେ ସମୟରେ ପ୍ରତିରକ୍ଷା ମନ୍ତ୍ରାଳୟର ମୁଖ୍ୟ ପରାମର୍ଶଦାତା ଡିଆରଡିଓର ମୁଖ୍ୟ ଏ.ପି.ଜେ. ଅବଦୁଲ କଲାମ ।ସାଙ୍ଗରେ ଥିଲେପରମାଣୁ ଶକ୍ତି ଆୟୋଗ ଅଧ୍ୟକ୍ଷ ଡକ୍ଟର ରାଜଗୋପାଳ ଚିଦାମ୍ବରମ । ବାଜପେୟୀ ଦୁହିଁଙ୍କୁ ପଚାରିଥିଲେ ପରମାଣୁ ପରୀକ୍ଷଣ କରିବା ପାଇଁ କେତେ ସମୟ ଲାଗିବ ? କଲାମଙ୍କ କହିଥିଲେ, ମାତ୍ର ୩୦ ଦିନ। ଏହାପରେ ସଚ୍ଚିବ ବ୍ରଜେଶ ମିଶ୍ରଙ୍କ ସହ ଆଲୋଚନା ପରେ ପରୀକ୍ଷଣ ପାଇଁ ମେ ୧୦ ତାରିଖ ଧାର୍ଯ୍ୟ ହେଲା । କିନ୍ତୁ ତତ୍କାଳୀନ ରାଷ୍ଟ୍ରପତି କେ. ଆର୍. ନାରାୟଣନଙ୍କ ଲାଟିନ ଆମେରିକା ଗସ୍ତ ପାଇଁ ଦିନେ ଘୁଞ୍ଚିଲା ତିଥି । ମେ ୧୧ , ଭାରତୀୟ ଇତିହାସର ମହା ବୀରତ୍ବର ଦିବସ… ପୋଖରାନ ସାରା ବିଶ୍ବରେ କଲା କମ୍ପନ … ଭାରତର ଏହି ପରମାଣୁ ପରୀକ୍ଷଣ ଉପରେ କଡ଼ା ନଜର ରଖିଥିଲା ଆମେରିକା । ମହାକାଶରୁ ଭାରତ ଉପରେ ଘୂରୁଥିଲା ଆମେରିକା ସ୍ପାଇ ସାଟେଲାଇଟ। କିନ୍ତୁ ଭାଙ୍ଗିଯାଇଥିଲା ମହାଶକ୍ତି ବୋଲାଉଥିବା ଆମେରିକାର ଗର୍ବ । ସିଆଇଏ ଏଜେଣ୍ଟ କିମ୍ବା ମାର୍ତିନ ସାଟେଲାଇଟ୍ କିଛି ବି ଟେର୍ ପାଇଲେନି । କିଛି ବୈଜ୍ଞାନିକ ଏବଂ ଅଳ୍ପ କେତେଜଣଙ୍କୁ ଛାଡ଼ିଦେଲେ କାହା ପାଖରେ ଏହାର ସୂଚନା ନଥିଲା । ସଫଳ ପରୀକ୍ଷଣର ପ୍ରଥମ ସଂକେତ ବାଜପେୟୀଙ୍କୁ ଦେଇଥିଲେ ଡକ୍ଟର କଲାମ । ସେତେବେଳେ କଲାମ କହିଥିଲେ, ବୁଦ୍ଧ ପୁଣି ଥରେ ହସିଲେ ।…ପୋଖରାନ ଯାଇଥିଲେ ବାଜପେୟୀ.ତାପରେ ଦେଶବାସୀଙ୍କୁ ତାଙ୍କ ଉଦ୍ବୋଧନ ଥିଲା କାଳଜୟୀ, ମହାନ ଭାରତର ଅପରାଜେୟ ଶକ୍ତିର ପ୍ରମାଣ…. ଏହି ପରୀକ୍ଷଣକୁ ନେଇ ଭାରତ ଉପରେ ଅନେକ ଦେଶ କଟକଣା ଲଗାଇଥିଲେ । ଦେଶ ଭିତରେ ମଧ୍ୟ ବାଜପେୟୀଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା ।କିନ୍ତୁ ଏହି ମହାନ ଜନନାୟକ ଥିଲେ ଅବିଚଳିତ । ଦେଶ ତାଙ୍କ ପାଇଁ ସବୁଠୁ ବଡ, ଦେଶର ସମ୍ମାନ ଶକ୍ତି ତାଙ୍କ ପାଇଁ ଶ୍ରେଷ୍ଠ…. ବାଜପେୟୀଙ୍କର ଏହି ଅଟଳ ନିଷ୍ପତ୍ତି ସାରା ବିଶ୍ବରେ ଭାରତକୁ ଦେଇଥିଲା ଏକ ମହାଶକ୍ତିର ପରିଚୟ । ବୃଦ୍ଧି ପାଇଥଲା ଭାରତର ଶକ୍ତି ଓ ସମ୍ମାନ ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.